ଭାରତର ପୂର୍ବୋତ୍ତର ରାଜ୍ୟରେ ବର୍ଷା ଓ ଭୂସ୍ଖଳନ ତାଣ୍ଡବ ରଚିଛି । ସିକ୍କିମରେ ରବିବାର ସନ୍ଧ୍ୟାରେ ଆର୍ମି କ୍ୟାମ୍ପ ପାଖରେ ଭୂସ୍ଖଳନ ହୋଇ ୩ ଜଣଙ୍କର ଜୀବନ ଚାଲିଯାଇଛି ।
ଖବର ମୁତାବକ, ଉତ୍ତର ସିକ୍କିମରେ ରବିବାର ସନ୍ଧ୍ୟାରେ ଆର୍ମି କ୍ୟାମ୍ପ ନିକଟରେ ଭୂସ୍ଖଳନ ହୋଇଥିଲା । ଏଥିରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଅନେକ ଲୋକ ନିଖୋଜ ରହିଥିବା ଜଣାପଡିଛି । ଏଠାରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ମୃତକଙ୍କ ପରିଚୟ ଏବଂ ନିଖୋଜଙ୍କ ପାଇଁ ସର୍ଚ୍ଚ ଅପରେସନ ଜାରି ରହିଛି ।
ଆସାମ, ମଣିପୁର, ସିକ୍କିମର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ବନ୍ୟା ଓ ଭୂସ୍ଖଳନ ସ୍ଥିତି । ରାସ୍ତାଘାଟ, ଘରଦ୍ବାର ଚାରିଆଡ଼େ ପାଣି ହିଁ ପାଣି ଦେଖିବାକୁ ମିଳିଛି । ଅନେକ ଗାଁ ଜଳମଗ୍ନ ହୋଇଛି । ରାସ୍ତାରେ ଡଙ୍ଗା ଚାଲୁଛି । ଏନଡିଆରଏଫ୍, ଏସଡିଆରଏଫ ଟିମ୍ ପକ୍ଷରୁ ବନ୍ୟା ପ୍ରଭାବିତଙ୍କୁ ଉଦ୍ଧାର କରାଯାଉଛି ।ଉତ୍ତର ସିକ୍କିମରେ ବର୍ଷା ବିପର୍ଯ୍ୟୟ କାରଣରୁ ଜଟିଳ ସ୍ଥିତି ଦେଖିବାକୁ ମିଳିଛି । ମଙ୍ଗନ ଜିଲ୍ଲାର ଲାଚେନ୍ ଓ ଲାଚୁଙ୍ଗ ଉପତ୍ୟକାରେ ପ୍ରାୟ ୧୫ ଶହ ପର୍ଯ୍ୟଟକ ଫସି ରହିଛନ୍ତି । ଲଗାଣ ବର୍ଷା, ଭୂସ୍ଖଳନ ଓ ତିସ୍ତା ନଦୀରେ ବଢୁଥିବା ପାଣି ଯୋଗୁଁ ଅଣାୟତ୍ତ ସ୍ଥିତି ଉପୁଜିଛି । ଉଭୟ ଯାତାୟାତ ଓ ଉଦ୍ଧାର କାର୍ଯ୍ୟ ଠପ୍ ହୋଇଯାଇଛି । ରବିବାର ଲୋକଙ୍କୁ ସ୍ଥାନାନ୍ତର ପାଇଁ ସ୍ଥିର ହୋଇଥିଲେ ହେଁ ପୁଣି ଥରେ ଭୂସ୍ଖଳନ ଯୋଗୁଁ ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି ।