Saturday, April 11, 2026
37.5 C
Odisha

    ଏସ୍‌ପି ଓ ଜିଲ୍ଲାପାଳଙ୍କ ବିରୋଧରେ ଏସ୍‌ଡିପିଓଙ୍କ ସଙ୍ଗିନ ଅଭିଯୋଗ: ‘କାମ ଚାପ ଅସହ୍ୟ, ନିଲମ୍ବନ ଧମକ ମିଳୁଛି’

    ଆଗକୁ ପଢନ୍ତୁ

    ଜଳେଶ୍ବର: ବାଲେଶ୍ବର ଜିଲ୍ଲାପାଳ ଓ ଏସ୍‌ପିଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଜଳେଶ୍ବରର ଭାରପ୍ରାପ୍ତ ଏସ୍‌ଡିପିଓ। ତାଙ୍କୁ ଅତ୍ୟଧିକ ଦାୟିତ୍ବ ସହିତ ମାନସିକ ନିର୍ଯାତନା ଦିଆଯାଉଛି। ଆଦିବାସୀ ହୋଇଥିବାରୁ ଭେଦଭାବର ଶିକାର ହେଉଥିବା ଅଭିଯୋଗ କରିଛନ୍ତି। ଏ ସଂକ୍ରାନ୍ତରେ ସେ ଡିଆଇଜିଙ୍କୁ ଏକ ଚିଠି ପଠାଇଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ, ଏହି ଅଭିଯୋଗକୁ ଜିଲ୍ଲାପାଳ ଖଣ୍ଡନ କରିଛନ୍ତି।

    ସୂଚନା ଅନୁସାରେ;  ଜଳେଶ୍ୱର ଭାରପ୍ରାପ୍ତ ଏସ୍‌ଡିପିଓ ବ୍ରଜମୋହନ ପ୍ରଧାନ ପୂର୍ବାଞ୍ଚଳ ଡିଆଇଜି ଡାକ୍ତର ସତ୍ୟଜିତ ନାଏକଙ୍କୁ ଲେଖିଥିବା ଚିଠି ଏବେ ଭାଇରାଲ୍‌ ହେଉଛି। ଚିଠିରେ ଉଲ୍ଲେଖ ରହିଛି; ୫୮ ବର୍ଷ ବୟସରେ ବାଲେଶ୍ୱର ମୁଖ୍ୟାଳୟ ଡିସିପି ଓ ଜଳେଶ୍ୱର ଏସ୍‌ଡିପିଓ ପରି ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦବିର ଦାୟିତ୍ୱ ମୋ ଉପରେ ଲଦି ଦିଆଯାଇଛି। ଗତ ୬ ତାରିଖ ଦିନ ହୋଇଥିବା ଏକ ଜିଲ୍ଲାସ୍ତରୀୟ ବୈଠକରେ ଜିଲ୍ଲାପାଳ ଓ ଏସ୍‌ପି ବିଭିନ୍ନ ଥାନାର ଆଇଆଇସିଙ୍କ ସମ୍ମୁଖରେ କଟୁ ମନ୍ତବ୍ୟ ଦେଇ ଅପମାନିତ କରିଥିଲେ। ଏସ୍‌ପି ଖଣି ବିଭାଗକୁ ମୋ ବିରୋଧରେ ଅଭିଯୋଗ ପାଇଁ ସୁପାରିସ୍‌ କରିବା ସହ ଚାକିରିରୁ ନିଲମ୍ବନ ଧମକ ଦେଇଥିଲେ। ଚିଠିରେ ଆହୁରି ଲେଖାଯାଇଛି, ‘ବାଲେଶ୍ୱର ଜିଲ୍ଲାରେ ମୁଁ ଭେଦଭାବର ଶିକାର ହେଉଛି। ମୋ ଘର କନ୍ଦମାଲ ଏବଂ ମୁଁ ଜଣେ ଆଦିବାସୀ। ଅତ୍ୟଧିକ କାମ ଚାପ ଯୋଗୁ ମାନସିକ ଚାପରେ ରହୁଛି। ତେଣୁ ମୋତେ କାମରୁ ମୁକ୍ତି ଦିଆଯାଉ। ଏସ୍‌ଡିପିଓ ପଦବିରୁ ଅବ୍ୟାହତି ମିଳୁ।’ ଏନେଇ ଏସ୍‌ଡିପିଓ ଶ୍ରୀ ପ୍ରଧାନଙ୍କ ପ୍ରତିକ୍ରିୟା ନିଆଯାଇଥିଲା। ସେ ଚିଠି ଲେଖିଥିବା କଥା ମାନିଛନ୍ତି। ଏହା ମଧ୍ୟ କହିଛନ୍ତି ଯେ ମୋତେ ଦାୟିତ୍ୱରୁ ଅବ୍ୟାହତି ନ ମିଳିଲେ ଆତ୍ମହତ୍ୟା କରିବି।

    ଅନ୍ୟପକ୍ଷରେ, ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ। ସେ କହିଛନ୍ତି, ଖଣି ପ୍ରସଙ୍ଗରେ ଅଭିଯୋଗ ଗ୍ରହଣ କରାଯାଇ ନଥିବାରୁ ତାଙ୍କୁ ତାଗିଦ୍‌ କରାଯାଇଥିଲା। ତାଙ୍କୁ କୌଣସି ପ୍ରକାର ଅପମାନସୂଚକ କଥା କୁହାଯାଇନି। ନିର୍ଦ୍ଦେଶ ଅନୁସାରେ କାମ ନକଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯିବ ବୋଲି କୁହାଯାଇଥିଲା। ଆଜି ଏସ୍‌ଡିପିଓ ଶ୍ରୀ ପ୍ରଧାନ ଜଳେଶ୍ୱର ଥାନାରେ କାମ ସାରି ଫେରୁଥିବା ବେଳେ ରାସ୍ତାରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଜଳେଶ୍ୱର ଜିକେ ଭଟ୍ଟର ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଉଚ୍ଚ ରକ୍ତଚାପ ଯୋଗୁ ଶ୍ରୀ ପ୍ରଧାନ ଅସୁସ୍ଥ ହୋଇଥିବା ଡାକ୍ତର କହିଛନ୍ତି। ଖବରପାଇ ପୂର୍ବାଞ୍ଚଳ ଡିଆଇଜି ଡାକ୍ତର ଶ୍ରୀ ନାୟକ ଡାକ୍ତରଖାନା ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି। ଏହାସହିତ ତାଙ୍କର ବୟାନ ରେକର୍ଡ କରିଥିବା ମଧ୍ୟ ଜଣାପଡ଼ିଛି। ଏ ସମ୍ପର୍କରେ ଡିଆଇଜି ଡ. ସତ୍ୟଜିତ ନାଏକ କହିଛନ୍ତି, ‘ମୁଁ ଜିଲ୍ଲା ବାହାରେ ଥିଲି, ଗତକାଲି ରାତିରେ ବାଲେଶ୍ୱର ଫେରିଛି। ଚିଠିରେ କ’ଣ ଲେଖାଯାଇଛି, ତାହା ଜାଣିନି। ଏଠାରୁ ଗଲା ପରେ ଅନୁଧ୍ୟାନ କରିବି।’

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ