ଆମେ ସମସ୍ତେ ଅଣ୍ଡାକୁ ଭଲ ପାଆନ୍ତି । ନାସ୍ତାରେ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ ବୋଲି ବିବେଚନା କରାଯାଏ । ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ, କିନ୍ତୁ ଅଣ୍ଡାର ଦୁଇଟି ଭାଗ ମଧ୍ୟରୁ ହଳଦିଆ ଅଂଶ ବା କେଶର ସମସ୍ତଙ୍କ ପାଇଁ ସମାନ ଭାବେ ଲାଭଦାୟକ ନୁହେଁ । ଅଣ୍ଡା କେଶରରେ ପ୍ରଚୁର ପରିମାଣର ଫ୍ୟାଟ ଏବଂ କୋଲେଷ୍ଟ୍ରଲ ରହିଥିବାରୁ, କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଏହାକୁ ଏଡ଼ାଇ ଦେବା ଭଲ । ତେବେ, ଆସନ୍ତୁ ଜାଣିବା କେଉଁ ରୋଗୀ କେଶର ଖାଇବା ଉଚିତ୍ ନୁହେଁ ।
ହାଇ କୋଲେଷ୍ଟ୍ରଲ ବ୍ୟକ୍ତି: ଅଣ୍ଡା କେଶରରେ କୋଲେଷ୍ଟ୍ରଲର ମାତ୍ରା ଅଧିକ ଥାଏ । ଯେଉଁମାନଙ୍କ ଶରୀରରେ ପୂର୍ବରୁ କୋଲେଷ୍ଟ୍ରଲ ଅଧିକ ଅଛି, ସେମାନେ କେଶର ଖାଇଲେ ରକ୍ତ ନଳୀ ବନ୍ଦ ହେବାର ଆଶଙ୍କା ଅଧିକ ରହିଥାଏ ।
ହୃଦରୋଗୀ: ହୃଦ୍ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ କମ ଫ୍ୟାଟଯୁକ୍ତ ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଏ । କେଶରରେ ଅଧିକ ଫ୍ୟାଟ ଥିବାରୁ ଏହା ହୃଦୟ ଉପରେ ଚାପ ସୃଷ୍ଟି କରେ । ତେଣୁ ସେମାନେ କେବଳ ଅଣ୍ଡାର ଧଳା ଅଂଶ ଖାଇବା ଉଚିତ ।
ମଧୁମେହ ରୋଗୀ: ମଧୁମେହ ରୋଗୀଙ୍କ ପାଇଁ ଅଧିକ ଫ୍ୟାଟଯୁକ୍ତ ଖାଦ୍ୟ ବିପଜ୍ଜନକ ହୋଇଥାଏ । ଅଧିକ କେଶର ସେବନ କଲେ ସେମାନଙ୍କର ହୃଦରୋଗ ହେବାର ଆଶଙ୍କା ବଢ଼ିଯାଏ ।
ଓଜନ ନିୟନ୍ତ୍ରଣ କରୁଥିବା ବ୍ୟକ୍ତି: ଯେଉଁମାନେ ନିଜ ଓଜନ ଏବଂ କ୍ୟାଲୋରୀକୁ ନେଇ ଚିନ୍ତିତ, ସେମାନେ ଅଧିକ କ୍ୟାଲୋରୀ ଯୋଗୁଁ କେଶରକୁ ସୀମିତ ପରିମାଣରେ ଖାଇବା ଉଚିତ୍ ।
ପାଚନ ସମସ୍ୟା: ଅଣ୍ଡାର ହଳଦିଆ ଅଂଶ ବା କେଶର, ଧଳା ଅଂଶ ତୁଳନାରେ ହଜମ ହେବା ପାଇଁ ଅଧିକ ସମୟ ନେଇଥାଏ । ଯେଉଁମାନଙ୍କୁ ଭାରୀ ଖାଦ୍ୟ ହଜମ କରିବାରେ ଅସୁବିଧା ହୁଏ, ସେମାନେ ଅଣ୍ଡା କେଶରକୁ ସୀମିତ ପରିମାଣରେ ଖାଇବା ଉଚିତ୍ । ବିଶେଷକରି ଛୋଟ ପିଲା ଏବଂ ବୟସ୍କ ବ୍ୟକ୍ତି ଯାହାର ପେଟ ଶୀଘ୍ର ଖରାପ ହୋଇଯାଏ, ସେମାନଙ୍କ କ୍ଷେତ୍ରରେ ସତର୍କତା ଆବଶ୍ୟକ । ଜଣେ ସୁସ୍ଥ ବ୍ୟକ୍ତି କିମ୍ବା ପିଲା ପାଇଁ ଦିନକୁ ଗୋଟିଏ ସମ୍ପୂର୍ଣ୍ଣ ଅଣ୍ଡା ଖାଇବା ସ୍ୱାସ୍ଥ୍ୟକର ହୋଇଥାଏ, କାରଣ ଏଥିରେ ଶରୀର ପାଇଁ ଆବଶ୍ୟକ ଅନେକ ଜରୁରୀ ଭିଟାମିନ୍ ଥାଏ ।
ଡାକ୍ତରୀ ପରାମର୍ଶ: ଯଦି ଆପଣ କୌଣସି ରୋଗ କିମ୍ବା ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ ନିଜ ଖାଦ୍ୟ ଲିଷ୍ଟରେ କୌଣସି ବଡ଼ ପରିବର୍ତ୍ତନ କରିବା ପୂର୍ବରୁ ଡାକ୍ତର କିମ୍ବା ଡାଏଟିସିଆନ୍ଙ୍କ ସହିତ ପରାମର୍ଶ କରିବା ବହୁତ ଭଲ ।
