ସୋନପୁର : ସ୍ବାମୀ ସୁଦାମ ନାଗଙ୍କ ହତ୍ୟା ଷଡ଼ଯନ୍ତ୍ରରେ ପତ୍ନୀ କବିତା ନାଗ ଦୁଇ ପ୍ରେମିକଙ୍କ ସହ ଜେଲ ଯାଇଛନ୍ତି। ଫଳରେ ବର୍ତ୍ତମାନ ତାଙ୍କୁ ୧୪ ବର୍ଷର ଝିଅ ଓ ୧୧ ବର୍ଷର ପୁଅ ନିଃସହାୟ ହୋଇପଡ଼ିଛନ୍ତି। ଡୁଙ୍ଗୁରିପାଲି ଥାନାରୁ ସୂଚନା ପାଇ ଜିଲ୍ଲା ‘ଚାଇଲ୍ଡ୍ ହେଲ୍ପ୍ ଲାଇନ୍’ ପକ୍ଷରୁ ଉଭୟଙ୍କୁ ଉଦ୍ଧାର କରାଯାଇଛି।
‘ଚାଇଲ୍ଡ୍ ହେଲ୍ପ୍ ଲାଇନ୍’ ଡିପିସି ସୁଜିତ ମିଶ୍ର, କାଉନସେଲର ସୁଧର ଦାଶ, ରାମପୁର ଥାନା ଆଇଆଇସି ବିନୋଦିନ ବରିହା ଓ ଡୁଙ୍ଗୁରିପାଲି ଥାନା ଆଇଆଇସି ରୋଜାଲିନ ପଟେଲ ଯାଇ ଦୁଇ ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କ ଘରୁ ଗୋଟିଏ ସୁନା ନେକଲେସ, ଚାରିଟି ଚୁଡ଼ି, ଦୁଇଟି କାନ ରିଙ୍ଗ, ୩ଟି କାନଫୁଲ, ଗୋଟିଏ ଲକେଟ ସହିତ ବିଭିନ୍ନ ରୂପା ଅଳଙ୍କାର ଉଦ୍ଧାର କରାଯାଇଛି। ଏଥି ସହିତ ନଗଦ ୯୯ ହଜାର ୪୦୦ ଟଙ୍କା, ଚାରିଟି ବୀମା ବଣ୍ଡ ଓ ଅନ୍ୟାନ୍ୟ ଦସ୍ତାବିଜ ମିଳିଛି। ସେଗୁଡ଼ିକ ସହିତ ଉଭୟଙ୍କୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇଛି। ଉଭୟଙ୍କୁ ବର୍ତ୍ତମାନ ସୋନପୁର ସହରସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଥିବା ଜଣାଯାଇଛି।
