Sunday, March 29, 2026
26.3 C
Odisha

    ଓଡ଼ିଶାରେ ୫୫୯ ବର୍ଗ କିମି ଜଙ୍ଗଲ ବଢ଼ିଛି: ଆଇଏସ୍‌ଏଫ୍‌ଆର୍‌-୨୦୨୩ ରିପୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୨୧ ତୁଳନାରେ ୨୦୨୩ରେ ଓଡ଼ିଶାରେ ୫୫୯ ବର୍ଗକିମି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ବୃଦ୍ଧିପାଇଛି। ଏଥିରେ ଜଙ୍ଗଲ ଅଞ୍ଚଳ ୧୫୧.୮୯ ବର୍ଗକିମି ହୋଇଥିବା ବେଳେ ବୃକ୍ଷ ଅଞ୍ଚଳ ୪୦୬.୬୮ ବର୍ଗକିମି ରହିଛି। ଆଜି କେନ୍ଦ୍ର ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ବାରା ଉନ୍ମୋଚନ କରାଯାଇଥିବା ଇଣ୍ଡିଆ ଷ୍ଟେଟ୍‌ ଅଫ୍‌ ଫରେଷ୍ଟ ରିପୋର୍ଟ (ଆଇଏସ୍‌ଏଫ୍‌ଆର୍‌)-୨୦୨୩ରେ ଏହି ତଥ୍ୟ ଦିଆଯାଇଛି। ଭାରତରେ ୮,୨୭,୩୫୭ ବର୍ଗ କିମି ଜଙ୍ଗଲ ଓ ବୃକ୍ଷ ଆଚ୍ଛାଦିତ ଅଞ୍ଚଳ ରହିଛି। ଯାହାକି ମୋଟ ଭୌଗୋଳିକ ଅଞ୍ଚଳର ୨୫.୧୭ ପ୍ରତିଶତ। ୨୦୨୧ ତୁଳନାରେ ୨୦୨୩ରେ ଦେଶରେ ୧୧୪୫ ବର୍ଗକିମି ଜଙ୍ଗଲ ଓ ବୃକ୍ଷ ଅଞ୍ଚଳ ବୃଦ୍ଧି ପାଇଛି। ଏହି ବୃଦ୍ଧି ସର୍ବାଧିକ ଚାରି ରାଜ୍ୟରେ ରହିଛି। ସେହି ସବୁ ରାଜ୍ୟ ହେଲା, ଛତିଶଗଡ଼ (୬୮୪ ବର୍ଗକିମି), ଉତ୍ତରପ୍ରଦେଶ ( ୫୫୯ ବର୍ଗକିମି), ରାଜସ୍ଥାନ (୩୯୪ ବର୍ଗକିମି) ଓ ଓଡ଼ିଶା।

    ସେହିଭଳି ଭାରତୀୟ ବନ ସର୍ଭେକ୍ଷଣ (ଏଫ୍‌ଏସ୍‌ଆଇ) ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ତିନିଟି ରାଜ୍ୟ ମିଜୋରାମ, ଗୁଜରାଟ ଓ ଓଡ଼ିଶାରେ ସର୍ବାଧିକ ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଥିବା କୁହାଯାଇଛି। ମିଜୋରାମରେ ୨୪୨ ବର୍ଗକିମି, ଗୁଜରାଟରେ ୧୮୦ ବର୍ଗକିମି ଓ ଓଡ଼ିଶାରେ ୧୫୨ ବର୍ଗକିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି ପାଇଛି। ରିପୋର୍ଟ ଅନୁସାରେ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ୨୦୨୧ ତୁଳନାରେ ୨୦୨୩ରେ ୬୧.୯୪ ବର୍ଗକିମି ଜଙ୍ଗଲ ଅଞ୍ଚଳ ହ୍ରାସ ପାଇଥିବାବେଳେ ଗଂଜାମ ଜିଲ୍ଲାରେ ୧୬୯.୧୮ ବର୍ଗକିମି ଜଙ୍ଗଲ ଅଞ୍ଚଳ ବୃଦ୍ଧି ହୋଇଛି। କ୍ଷେତ୍ରଫଳ ଦୃଷ୍ଟିରୁ ମଧ୍ୟପ୍ରଦେଶରେ ସବୁଠୁ ଅଧିକ ସ୍ଥାନରେ ଜଙ୍ଗଲ ରହିଥିବା ରିପୋର୍ଟରେ କୁହାଯାଇଛି।

    ରିପୋର୍ଟରେ ଦେଶରେ ‌୪,୯୯୧.୬୮ ବର୍ଗ କିମି ହେନ୍ତାଳ ଜଙ୍ଗଲ ରହିଥିବାର ଦର୍ଶାଯାଇଛି। ୨୦୨୧ ତୁଳନାରେ ୨୦୨୩ରେ ଦେଶରେ ୭.୪୩ ବର୍ଗକିମି ହେନ୍ତାଳ ଜଙ୍ଗଲ ହ୍ରାସ ପାଇଛି। ଅନ୍ୟପକ୍ଷରେ ୨୦୨୧ରେ ଓଡ଼ିଶାରେ ୨୫୭.୫୧ ବର୍ଗମିଟର ହେନ୍ତାଳ ଜଙ୍ଗଲ ରହିଥିବାବେଳେ ୨୦୨୩ରେ ଏହା ୨୫୯.୦୬ ବର୍ଗ କିମି ବୃଦ୍ଧି ପାଇଛି। ଦେଶର ୧୧ଟି ରାଜ୍ୟରେ ଏହ ଧରଣର ଜଙ୍ଗଲ ରହିଛି। ସର୍ବାଧିକ ୪୨.୪୫ ପ୍ରତିଶତ ହେନ୍ତାଳ ଜଙ୍ଗଲ ପଶ୍ଚିମବଙ୍ଗରେ ରହିଥିବାବେଳେ ଓଡ଼ିଶାରେ ଏହା ୫.୧୯ ପ୍ରତିଶତ। ଓଡ଼ିଶାର ହେନ୍ତାଳ ଜଙ୍ଗଲ ଥିବା ୫ ଜିଲ୍ଲା ମଧ୍ୟରୁ ସର୍ବାଧିକ ୨୧୨.୬୯ ବର୍ଗକିମି କେନ୍ଦ୍ରପଡ଼ା ଜିଲ୍ଲାରେ ରହିଛି। ଦେଶରେ ଉତ୍ତରାଖଣ୍ଡ, ଓଡ଼ିଶା ଓ ଛତିଶଗଡ଼ ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ୩ ଶୀର୍ଷ ରାଜ୍ୟ ବୋଲି କୁହାଯାଇଛି। ସେହି ଭଳି ନିଆଁ ଲାଗିବାରେ ଦେଶର ‌ଶୀର୍ଷ ୨୦ ଜିଲ୍ଲା ମଧ୍ୟରେ ଓଡ଼ିଶାର ରାୟଗଡ଼ା, କନ୍ଧମାଳ, ମାଲକାନଗରି ଓ କୋରାପୁଟ ଜିଲ୍ଲା ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.3 ° C
    26.3 °
    26.3 °
    45 %
    2.3kmh
    3 %
    Sat
    26 °
    Sun
    39 °
    Mon
    41 °
    Tue
    38 °
    Wed
    40 °

    ସମ୍ବନ୍ଧିତ