Friday, August 28, 2026
24.2 C
Odisha

    ଜି-୨୦ ଶିଖର ସମ୍ମିଳନୀ ୨୦୨୫: ଆତଙ୍କବାଦର ସବୁ ସ୍ବରୂପକୁ ନିନ୍ଦା

    ଆଗକୁ ପଢନ୍ତୁ

    ଜୋହାନ୍ସବର୍ଗ   : ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଶନିବାରଠାରୁ ଜି-୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଆମେରିକାର ପ୍ରତିବାଦ ଓ ବର୍ଜନ ସତ୍ତ୍ବେ ଜି-୨୦ ନେତୃବୃନ୍ଦ ପୂର୍ବ ପରମ୍ପରା ଭଙ୍ଗ କରି ପ୍ରଥମ ଦିନରେ ହିଁ ମିଳିତ ଘୋଷଣାନାମା ଜାରି କରିଛନ୍ତି। ଆତଙ୍କବାଦର ସବୁ ସ୍ବରୂପକୁ ଜି-୨୦ ନେତାମାନେ ମିଳିତ ସ୍ବରରେ ନିନ୍ଦା କରିଛନ୍ତି। ଏହା ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ ଉପଲବ୍ଧୀ ବୋଲି କୂଟନୈତିକ ମହଲ ମତବ୍ୟକ୍ତ କରିଛନ୍ତି। ଆତଙ୍କବାଦକୁ ବିଶ୍ବ ଦରବାରରେ ନିନ୍ଦା କରିବା ପାଇଁ ଭାରତ ବହୁଦିନରୁ ଦାବି କରିଆସୁଛି। କେତେକ ରାଷ୍ଟ୍ର ଆତଙ୍କବାଦକୁ ଦୁଇଟି ବର୍ଗ ଯଥା ଭଲ ଓ ଖରାପ ଭାବେ ଉପସ୍ଥାପନ କରୁଥିବାରୁ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆତଙ୍କବାଦର ମୂଳୋତ୍ପାଟନ କରିବା ସହ ଏହାର ଉଚିତ ମୁକାବିଲା କରିବାକୁ ଘୋଷଣାନାମାରେ ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ଘୋଷଣାନାମାରେ ଡବ୍ଲ୍ୟୁଟିଓ (ବିଶ୍ବ ବାଣିଜ୍ୟ ସଂଗଠନ)ରେ ସଂସ୍କାର ଅଣାଯିବା ଉପରେ ମଧ୍ୟ ଗୁରୁତ୍ବାରୋପ କରାଯାଇଛି। ଚଳିତ ସମ୍ମିଳନୀର ବିଷୟବସ୍ତୁ ଏକତା, ସମାନତା ଏବଂ ଦୀର୍ଘ ସ୍ଥାୟିତ୍ବ ଉପରେ ଆଧାରିତ। ତେଣୁ ଆଫ୍ରିକା ଭଳି ଏକ ଅନୁନ୍ନତ ମହାଦେଶରେ ବାଣିଜ୍ୟର ବିକାଶ ନିମନ୍ତେ କାର୍ଯ୍ୟ କରିବାକୁ ନେତୃବୃନ୍ଦ ସମ୍ମତି ପ୍ରକାଶ କରିଛନ୍ତି। ଏହାବ୍ୟତୀତ କୌଣସି ରାଷ୍ଟ୍ରର ସାର୍ବଭୌମତ୍ବ ଏବଂ ଆଞ୍ଚଳିକ ଅଖଣ୍ଡତାକୁ କ୍ଷୁଣ୍ଣ କରାଯିବା ଅନୁଚିତ ବୋଲି ଘୋଷଣାନାମାରେ ଉଲ୍ଲେଖ କରାଯାଇଛି। ସବୁ ରାଷ୍ଟ୍ର ପରସ୍ପର ସହ ବନ୍ଧୁତ୍ବପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା ସହ ମାନବିକ ଅଧିକାର ଏବଂ ଜାତି, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମାନତା ଆଣିବାକୁ ଉଦ୍ୟମ କରିବା ଜରୁରୀ ବୋଲି କୁହାଯାଇଛି। ଆଫ୍ରିକୀୟ ରାଷ୍ଟ୍ର ସୁଦାନ, କଙ୍ଗୋଠାରୁ ଆରମ୍ଭ କରି ପାଲେଷ୍ଟାଇନ ଓ ୟୁକ୍ରେନରେ ଯେଭଳି ସ୍ଥିତି ଉପୁଜିଛି, ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହି ସବୁ ସ୍ଥାନରେ ସ୍ଥାୟୀ ଶାନ୍ତି ବଜାୟ ରଖିବାକୁ ନେତୃବୃନ୍ଦ ଏକମତ ହୋଇଛନ୍ତି।

    ଆୟୋଜକ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଏହି ସମ୍ମିଳନୀକୁ ଶନିବାର ଉଦ୍‌ଘାଟନ କରିଛନ୍ତି। ରାମଫୋସା ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ଘୋଷଣାନାମାରେ ଉଲ୍ଲେଖ କରାଯାଇଥିବା କେତେକ ଶବ୍ଦକୁ ଆମେରିକା ନାପସନ୍ଦ କରିଛି। ତେବେ ଏହି ପ୍ରତିବାଦ ସହ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁନଶ୍ଚ କୌଣସି ସମ୍ମିଳନୀର ଉଦ୍‌ଯାପନୀ ଦିନରେ ମିଳିତ ଘୋଷଣାନାମା ଜାରି କରାଯାଇଥାଏ। ତେବେ ଚଳିତବର୍ଷ ଏହି ପରମ୍ପରାକୁ ଭଙ୍ଗ କରାଯାଇଛି। କେତେକ ପ୍ରସ୍ତାବ ଗ୍ରହଣ ନ କରିବାକୁ ଆମେରିକା ଚାପ ପକାଇଥିଲେ ସୁଦ୍ଧା ଏହାକୁ ଉପେକ୍ଷା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗ ଦେଇଥିବାବେଳେ ଚାରିଟି ନୂଆ ପ୍ରସ୍ତାବ ଆଗତ କରିଛନ୍ତି। ଏଗୁଡିକ ହେଉଛି ଗ୍ଲୋବାଲ ଟ୍ରାଡିସନାଲ ନଲେଜ ରିପୋଜିଟୋରି ପ୍ରତିଷ୍ଠା, ଆଫ୍ରିକା ସ୍କିଲ୍‌ସ ମଲ୍‌ଟିପ୍ଲାୟର ଇନିସିଏଟିଭ୍‌, ଗ୍ଲୋବାଲ ହେଲଥ୍‌କେୟାର ରେସ୍‌ପନ୍ସ ଟିମ୍‌ ଗଠନ ଏବଂ ଡ୍ରଗ୍‌ସ-ଆତଙ୍କବାଦ ମେଣ୍ଟର ମୁକାବିଲା ପାଇଁ ପ୍ରସ୍ତୁତି। ଏହି ଚାରିଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ବିଶ୍ବର ସାମଗ୍ରିକ ବିକାଶ ଘଟିବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଥମ ଅଧିବେଶନକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ବୈଶ୍ବିକ ବିକାଶ ପ୍ରକ୍ରିୟାର ମାନଦଣ୍ଡ ନିର୍ଦ୍ଧାରଣ ପ୍ରସଙ୍ଗକୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବା ଜରୁରୀ। ଯଦିଓ ଜି-୨୦ ସମ୍ମିଳନୀ ଇତିପୂର୍ବରୁ ବିଶ୍ବର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାକୁ ସୁଧାରି ପାରିଛି, ତଥାପି ପ୍ରଚଳିତ ଧାରା ଯୋଗୁଁ ବିଶ୍ବର ଅଧିକାଂଶ ଲୋକ ଉପକୃତ ହୋଇପାରୁନାହାନ୍ତି। ବିଶେଷ କରି ଆଫ୍ରିକାରେ ବିକାଶ ପ୍ରକ୍ରିୟା ମନ୍ଥର ହୋଇପଡିଥିବା ମୋଦୀ କହିଛନ୍ତି। ଆଫ୍ରିକା ମହାଦେଶରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ଆୟୋଜିତ ହେଉଥିବାରୁ ବିକାଶ ପ୍ରକ୍ରିୟାର ମାନଦଣ୍ଡ ପ୍ରଥମେ ଏହି ମହାଦେଶ ଉପରେ ଲାଗୁ କରାଯିବା ଉଚିତ ବୋଲି ​‌େ​‌ମାଦୀ କହିଛନ୍ତି।

    ଗ୍ଲୋବାଲ ଟ୍ରାଡିସନାଲ ନଲେଜ୍‌ ରିପୋଜିଟୋରି ପ୍ରସ୍ତାବ ଅନୁଯାୟୀ ପାରମ୍ପରିକ ଜ୍ଞାନକୌଶଳକୁ ସାଂପ୍ରତି ଢାଞ୍ଚାରେ ପ୍ରୟୋଗ କରାଯିବା ଉଚିତ ଯାହାଫଳରେ ଆଗାମୀ ପିଢି ଲାଭବାନ ହେବେ। ଏହି ପ୍ରସଙ୍ଗରେ ଭାରତର ଇତିହାସ ବେଶ ସମୃଦ୍ଧ। ତେଣୁ ଲୋକଙ୍କ ଜୀବନଶୈଳୀକୁ ଉନ୍ନତ କରିବାରେ ଏହି ପ୍ରସ୍ତାବ ଫଳପ୍ରଦ ହୋଇପାରିବ ବୋଲି ମୋଦୀ କହିଛନ୍ତି। ଆଫ୍ରିକା ସ୍କିଲ୍‌ସ ମଲଟିପ୍ଲାୟର ଇନିସିଏଟିଭ୍‌ ଯୋଜନାରେ ଟ୍ରେନ୍‌ ଦି ଟ୍ରେନର୍ସ ମଡେଲକୁ ଆପଣେଇ ହେବ। ଏହାଦ୍ବାରା ଆଗାମୀ ୧୦ ବର୍ଷ ମଧ୍ୟରେ ଆଫ୍ରିକା ମହାଦେଶରେ ଲକ୍ଷାଧିକ ଯୋଗ୍ୟ ଟ୍ରେନର ସୃଷ୍ଟି ହୋଇପାରିବେ ବୋଲି ସେ କହିଛନ୍ତି। ଏହି ଟ୍ରେନରମାନେ ଦକ୍ଷଣ ଯୁବଗୋଷ୍ଠୀକୁ ଉପଯୁକ୍ତ ତାଲିମ ଦେଇପାରିବେ। ଏହାଦ୍ବାରା ଆଫ୍ରିକା ମହାଦେଶର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ। ଗ୍ଲୋବାଲ ହେଲଥ୍‌କେୟାର ସିଷ୍ଟମ ଦ୍ବାରା ସ୍ବାସ୍ଥ୍ୟସେବା ସମ୍ପର୍କିତ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୋଦୀ କହିଛନ୍ତି। ଜରୁରୀ ସ୍ବାସ୍ଥ୍ୟସେବା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଯୋଜନା ଆଶାନୁରୂପ ଫଳ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଶେଷରେ ବିଶ୍ବ ପ୍ରତି ବିପଦ ସୃଷ୍ଟି କରୁଥିବା ଡ୍ରଗ୍‌ସ-ଟେରର (ମାଦକଦ୍ରବ୍ୟ-ଆତଙ୍କବାଦ) ମେଣ୍ଟ ପ୍ରତି ସତର୍କ ରହିବାକୁ ମୋଦୀ ପ୍ରସ୍ତାବ ଦେଇଛନ୍ତି। ଡ୍ରଗ୍‌ସ ଚୋରାଚାଲାଣ ଏବଂ ବିଶେଷ କରି ଫେଣ୍ଟାନିଲ୍‌ ଭଳି ଘାତକ ଡ୍ରଗ୍‌ସର ବ୍ୟବହାର ଉପରେ କଟକଣା ଜାରି କରାଯିବାକୁ ମୋଦୀ ଗୁରୁତ୍ବ ଦେଇଛନ୍ତି। ସାଂପ୍ରତିକ ସମୟରେ ଡ୍ରଗ୍‌ସ-ଟେରର ମେଣ୍ଟ ସାଧାରଣ ସ୍ବାସ୍ଥ୍ୟସେବା, ସାମାଜିକ ସ୍ଥିରତା ଏବଂ ବୈଶ୍ବିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବିଶ୍ବର ସବୁ ରାଷ୍ଟ୍ର ଏହା ବିରୋଧରେ ଅଭିଯାନ ଆରମ୍ଭ କରିବାକୁ ମୋଦୀ ଆହ୍ବାନ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    95 %
    2.1kmh
    89 %
    Fri
    30 °
    Sat
    28 °
    Sun
    29 °
    Mon
    24 °
    Tue
    23 °

    ସମ୍ବନ୍ଧିତ