ପୁଣି ଚର୍ଚ୍ଚାରେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ବା ନାଣ୍ଡୁ ଧଳ । ବିବାଦରେ ଛନ୍ଦି ହୋଇ ଏବେ ଚିନ୍ତାରେ ପଡ଼ିଛନ୍ତି । କଂଗ୍ରେସ ଭବନ ଭିତରକୁ ପ୍ରବେଶ କରାଇ ନଦେବାରୁ ମତ ରଖିଛନ୍ତି ନାଣ୍ଡୁ ଧଳ । କଂଗ୍ରେସ ଭବନ ଭିତରକୁ ଯିବା ପାଇଁ ସମର୍ଥକଙ୍କୁ ନେଇ କଂଗ୍ରେସ ଭବନରେ ପହଞ୍ଚିଥିଲେ ନାଣ୍ଡୁ ଧଳ । କିନ୍ତୁ ତାଙ୍କୁ ଭିତରକୁ ପଶିବାକୁ ଦିଆଯାଇ ନଥିଲା । ଏନେଇ ଷଡଯନ୍ତ୍ର କରାଯାଇଛି ବୋଲି କହିଛନ୍ତି ନାଣ୍ଡୁ ।
ନାଣ୍ଡୁ ଧଳଙ୍କ କହିବା ଅନୁସାରେ କଂଗ୍ରେସ ଦଳରେ ମିଶିବେ ବୋଲି ତାଙ୍କୁ ପିସିସି ସଭାପତି ୧୫ ତାରିଖ ସମୟ ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ କହିଲେ ଏନେଇ ଚିନ୍ତା କରାଯାଉଛି ପରବର୍ତ୍ତୀ ସମୟରେ ଚିନ୍ତା କରାଯିବା । ତେବେ କାହିଁକି ମିଶିବା ପାଇଁ ସମୟ ଦେଉଥିଲେ ପିସିସି ସଭାପତି ବୋଲି ପ୍ରଶ୍ନ କରିଛନ୍ତି ନାଣ୍ଡୁ ।
ନାଣ୍ଡୁ କଂଗ୍ରେସ ଦଳରେ ଆଗରୁ ରହିଛନ୍ତି, ସେ ନିଜ ୨୦ ହଜାର ସମର୍ଥକମାନଙ୍କୁ କଂଗ୍ରେସ ଦଳରେ ମିଶାଇବାକୁ ଆଣିଥିଲେ । କିନ୍ତୁ ତାଙ୍କୁ କଂଗ୍ରେସ ଭବନ ଭିତରକୁ ପ୍ରବେଶ କରାଗଲାନାହିଁ । ତେଣୁ ସେ ନିଜ ସମର୍ଥକଙ୍କୁ ନେଇ ଦିଲ୍ଲୀ ଯିବେ ବୋଲି କହିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଭେଟି ଏ ବାବଦରେ ଅବଗତ କରାଇବେ ବୋଲି ସୂଚନା ଦେଇଛନ୍ତି ।
ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି । ଏନେଇ ବିଭିନ୍ନ ସ୍ଥାନରେ ମିଶ୍ରଣ ପର୍ବ ଚାଲିଛି । ନେତା କର୍ମୀମାନେ ବିଭିନ୍ନ ଦଳରେ ମିଶୁଥିବାବେଳେ କଂଗ୍ରେସ ଆଗରେ ରହିଛି । ତେବେ କଂଗ୍ରେସ ଭବନରେ ମହା ମିଶ୍ରଣ ପର୍ବ ଆୟୋଜିତ ହେଉଥିବାବେଳେ ଦେଖିବାକୁ ମିଳିଥିଲା ଏଭଳି ହାଇଡ୍ରାମା ।