ନୂଆଦିଲ୍ଲୀ : କିଏ ହେବ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ । ଗେରୁଆ ପାର୍ଟିର ନେତା ଏବଂ କାର୍ଯ୍ୟକର୍ତ୍ତାଙ୍କୁ ନେଇ ରାଜନୈତିକ ମହଲରେ ଏହି ଚର୍ଚ୍ଚା ବେଶ ଜୋର ଧରିଛି । କୁହାଯାଉଛି ଯେ ବିହାର ନିର୍ବାଚନ ପୂର୍ବରୁ ବିଜେପିରେ ଏକ ବଡ ସାଂଗଠନିକ ପରିବର୍ତ୍ତନ ହୋଇପାରେ । କାରଣ ବିଜେପି ଚାହୁଁଛି ଯେ ବିହାରରେ ହେବାକୁ ଥିବା ନିର୍ବାଚନ ଜଣେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଲଢାଯାଉ । ବର୍ତ୍ତମାନର ସଭାପତି ଜେ.ପି ନଡ୍ଡାଙ୍କ କାର୍ଯ୍ୟକାଳ ପୂର୍ବରୁ ଦୁଇ ଥର ବୃଦ୍ଧି କରାଯାଇଛି । ଖୁବଶୀଘ୍ର ଜଣେ ନୂଆ ଅଧ୍ୟକ୍ଷ ଆଣିବାକୁ ପ୍ରସ୍ତୁତି ଚାଲିଛି ।
ଏହି ପଦ ପାଇଁ ଏପର୍ଯ୍ୟନ୍ତ କୌଣସି ଚେହେରା ସାମ୍ନାକୁ ଆସିନଥିବା ବେଳେ ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ ଆରଏସଏସ ଓ ବିଜେପି ନେତୃତ୍ୱଙ୍କ ମଧ୍ୟରେ ଏହି ବିଷୟରେ ସହମତି ହୋଇପାରୁନାହିଁ । ନିକଟରେ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ନାମ ଏହି ପଦ ପାଇଁ ସୁପାରିଶ କରାଯାଇ ଆରଏସଏସ ପାଖକୁ ପଠାଯାଇଥିଲା । ହେଲେ ସେହି ଦୁଇ ଜଣଙ୍କ ମଧ୍ୟରୁ କାହାର ନାମରେ ସହମତି ପ୍ରକାଶ ପାଇନାହିଁ । ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୂପେନ୍ଦ୍ର ଯାଦବଙ୍କ ନାମ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ପଠାଯାଇଥିଲା । ଏହି ଦୁଇ ଜଣ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଖୁବ ନିକଟର ବୋଲି ବେଶ ଚର୍ଚ୍ଚା ହୋଇଥାଏ ।
ଆରଏସଏସ ପକ୍ଷରୁ କୁହାଯାଇଛି ବିଜେପି ୨୦୨୯ ପରବର୍ତ୍ତୀ ସମୟକୁ ଦୃଷ୍ଟିରେ ରଖି ଏବେଠାରୁ ପ୍ରସ୍ତୁତି କରିବା ଜରୁରୀ । କାରଣ ସଂଘ ବିଜେପି ପାଇଁ ଆଉ ଏକ ପୀଢି ତିଆରି କରିବାକୁ ପ୍ରୟାସ କରିବାକୁ ଚାହୁଁଛି । ବିଜେପି କୁ ଏକ ରବର ଷ୍ଟାମ୍ପ ଅଧ୍ୟକ୍ଷ ଅପେକ୍ଷା ଏକ ମଜବୁତ ନେତୃତ୍ୱ ମିଳିବା ଉଚିତ୍ ଯାହାକୁ ପାର୍ଟିର କର୍ମକର୍ତ୍ତମାନେ ମଧ୍ୟ ପସନ୍ଦ କରୁଥିବେ । ଯିଏକି ନରେନ୍ଦ୍ର ମୋଦୀଙ୍କ ପରେ ବିଜେପିକୁ ସମ୍ଭାଳିବାରେ ସକ୍ଷମ ହୋଇଥିବେ । ଜଣେ ବରିଷ୍ଠ ନେତା କହିଛନ୍ତି ଯେ ତିନି ତିନି ଥର ବୈଠକ ହେଲା ପରେ ମଧ୍ୟ ଆରଏସ୍ଏସ୍ ଏବଂ ବିଜେପି ମଧ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷକୁ ନେଇ ସହମତି ପ୍ରକାଶ ହୋଇପାରୁନାହିଁ ।
ଅଧ୍ୟକ୍ଷ ପଦ ପାଇଁ ଚର୍ଚ୍ଚାରେ ଥିବା ନାମ
ଏହାପୂର୍ବରୁ ଶୁଣିବାକୁ ମିଳୁଥିଲା ଯେ ବିଜେପି ଇତିହାସରେ ପ୍ରଥମ ଥର ଜଣେ ମହିଳାଙ୍କ ହାତରେ ପାର୍ଟିର ନେତୃତ୍ୱ ଦେଇପାରେ । ସେଥିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନାମ ପ୍ରମୁଖରେ ରହିଥିଲା । ଏହାବ୍ୟତୀତ ଆଉ ଦୁଇ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଥିଲା । ସେମାନେ ହେଲେ ମନହୋର ଲାଲ ଖଟ୍ଟର ଏବଂ ଶିବରାଜ ସିଂହ ଚୌହାନ୍ ।
ସୁତ୍ର ଅନୁସାରେ ଅଧ୍ୟକ୍ଷ ଚୟନରେ ବିଳମ୍ବର ତିନୋଟି କାରଣ ରହିଛି । ପ୍ରଥମତଃ ଆରଏସ୍ଏସ୍ ଏବଂ ବିଜେପି ନେତାମାନେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ବରିଷ୍ଠ ନେତାଙ୍କ ମତାମତ ନେଇଛନ୍ତି । ଏଥିରେ ପୂର୍ବତନ ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ ଏବଂ ସାମ୍ବିଧାନିକ ପଦବୀରେ ଥିବା ନେତାମାନେ ଅନ୍ତର୍ଭୁକ୍ତ । ଦ୍ୱିତୀୟରେ ସମ୍ପ୍ରତି ଜଗଦୀପ ଧନଖଡଙ୍କ ଇସ୍ତଫା ପରେ, ଉପରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର ୯ରେ ଥିବାରୁ ବିଜେପି ଚାହୁଁଛି ଯେ ଏହାର ପ୍ରାର୍ଥୀ ସି.ପି ରାଧାକୃଷନ ଏକ ବଡ ବିଜୟ ପାଆନ୍ତୁ । ସେଥିପାଇଁ ସମ୍ପୂର୍ଣ୍ଣ ଧ୍ୟାନ ବର୍ତ୍ତମାନ ଏହି ନିର୍ବାଚନ ଉପରେ ରହିଛି ।
ଅନ୍ୟ ଏକ କାରଣ ବିଜେପି ପାଇଁ ଦେଶର ସବୁଠାରୁ ବଡ ରାଜ୍ୟ ଉତ୍ତେରପ୍ର୍ରଦେଶରେ ଆଗାମି ସଭାପତି ବାଛିବା ଏକ ବଡ ଚ୍ୟାଲେଞ୍ଜ ହୋଇଛି । ମିଳିଥିବା ସୂଚନା ଅନୁସାରେ ଏଠାରେ ସଭାପତି ପଦକୁ ନେଇ ଅମିତ ଶାହ ଓ ଯୋଗୀ ଆଦିତ୍ୟନାଥଙ୍କ ମଧ୍ୟରେ ବି ସହମତି ପ୍ରକାଶ ପାଉନାହିଁ । ଦଳର ସମ୍ବିଧାନ ଅନୁସାରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ବାଚନ କେବଳ ସେତେବେଳେ ହୋଇପାରିବ ଯେତେବେଳେ ଅତିକମରେ ୧୯ଟି ରାଜ୍ୟ ୟୁନିଟରେ ନିର୍ବାଚିତ ସଭାପତି ଥିବେ । ବର୍ତ୍ତମାନ ୟୁପି, ଗୁଜୁରାଟ, କର୍ଣ୍ଣାଟକ ସମତେ ୭ଟି ରାଜ୍ୟରେ ସଭାପତିଙ୍କ ନିର୍ବାଚନ ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇନାହିଁ ।