ଭୁବନେଶ୍ୱର : ଭାରତ ଓ ଭୁଟାନ ମଧ୍ୟରେ ଶୈକ୍ଷିକ ସହ ବନ୍ଧନ ଓ ସମ୍ପର୍କକୁ ଆହୁରି ସଦୃଢ଼ କରିବା ପାଇଁ ଭୁଟାନର ୪୦ ଜଣିଆ ବୌଦ୍ଧ ଶିକ୍ଷକ ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନରେ ଅଛନ୍ତି । କିଟ୍ ଓ କିସ୍ ରେ ୧୦ ଦିନିଆ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁଟାନ ସରକାର କିଟ୍ କୁ ପଠାଇଥିବା ଏହି ପ୍ରତିନିଧିମଣ୍ଡଳ କିଟ୍ ଓ କିସ୍ ପରିଦର୍ଶନ କରିବା ସହ ଭୁବନେଶ୍ୱର ତଥା ଲଳିତଗିରି, ରତ୍ନଗିରି, ଉଦୟଗିରି ଭଳି ଓଡ଼ିଶାର ବିଭିନ୍ନ ଐତିହ୍ୟ ସ୍ଥଳ ପରିଦର୍ଶନ କରିଛନ୍ତି ।
ଏହି ଅବସରରେ ଆଜି ଆୟୋଜିତ ଆଧ୍ୟାତ୍ମିକ ଶିକ୍ଷଣ ଅଧିବେଶନରେ ଭୁଟାନ୍ ପ୍ରତିନିଧିମଣ୍ଡଳ ସହ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ମଧ୍ୟରେ ଆଧ୍ୟାତ୍ମିକତା ଉପରେ ବ୍ୟାପକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ଆଲୋଚନା ଅବସରରେ ଡ. ସାମନ୍ତ ସେମାନଙ୍କୁ ଶିକ୍ଷା ଓ ସଂସ୍କାର, କର୍ମ ଓ ପ୍ରାରବ୍ଧ ତଥା ଆର୍ଟ ଅଫ୍ ଗିଭିଂ ଆଦି ବିଷୟରେ ବୁଝାଇଥିଲେ ।
ସେ କହିଲେ, ଯଦି ଆପଣ ଜୀବନରେ କିଛି ଲୋକଙ୍କୁ ଖୁସି ଦେଇପାରୁନାହାଁନ୍ତି, ତେବେ ଆପଣ ଜୀବନରେ ବହୁତ କମ୍ କାମ କରିଛନ୍ତି । ” ବର୍ତ୍ତମାନ ସମୟରେ ଶିକ୍ଷା ସହ ସଂସ୍କାର ଏକାନ୍ତ ଅପରିହାର୍ଯ୍ୟ ବୋଲି ଡ. ସାମନ୍ତ କହିଥିଲେ । ଆର୍ଟ ଅଫ୍ ଗିଭିଂ ଉପରେ ସୂଚନା ଦେଇ ଡ.ସାମନ୍ତ କହିଲେ ଆର୍ଟ ଅଫ୍ ଗିଭିଂ ହେଉଛି ଏକ ଜୀବନ ଦର୍ଶନ । ଦେବାରେ ଆନନ୍ଦ ଥାଏ । ତେଣୁ କୌଣସି ଉପାୟରେ ଅନ୍ୟକୁ ସାହାଯ୍ୟ କରିପାରିଲେ ଜୀବନ ସୁଖମୟ ହୋଇଥାଏ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୌଦ୍ଧ ଶିକ୍ଷକମାନେ ପାରମ୍ପରିକ ଜ୍ଞାନକୁ ସମସାମୟିକ ଶିକ୍ଷାଗତ ଅଭ୍ୟାସ ସହିତ ମିଶ୍ରଣ କରିବା ଦିଗରେ ସେମାନଙ୍କର ଦକ୍ଷତାକୁ ମଜବୁତ କରିବେ । କିଟ ଓ କିସ ପରିଦର୍ଶନ ସେମାନଙ୍କୁ ଅନେକ କଥା ଶିଖିବାର ସୁଯୋଗ ଦେଇଛି ବୋଲି ବୌଦ୍ଧ ଶିକ୍ଷକମାନେ କହିଥିଲେ କିଟ ଓ କିସ ପରିଦର୍ଶନକୁ “ଏକ ସୁବର୍ଣ୍ଣ ସୁଯୋଗ” ବୋଲି କହିବା ସହ କିଟ ଓ କିସର ଶିକ୍ଷା ଅଭିଯାନର ଭୂୟସୀ ପ୍ରଶଂସା କରିଥିଲେ ।

