ଭୁବନେଶ୍ୱର : କିଟ୍ ଓ କିସ୍ ପରିଦର୍ଶନରେ ୩୫ ଜଣିଆ ଶ୍ରୀଲଙ୍କା ପ୍ରତିନିଧି ମଣ୍ଡଳ । ଶ୍ରୀଲଙ୍କା ସରକାରଙ୍କ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀଲଙ୍କାର ବୁଦ୍ଧିଜୀବୀ ଓ ନୀତି ନିର୍ଦ୍ଧାରକଙ୍କୁ ନେଇ ଏକ ୩୫ଜଣିଆ ପ୍ରତିନିଧିମଣ୍ଡଳ ଆଜି କିଟ୍ ଓ କିସ୍ ପରିଦର୍ଶନରେ ଆସି ଫେରିଯାଇଛନ୍ତି । ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଆନୁକୂଲ୍ୟରେ ଏହି ପ୍ରତିନିଧିମଣ୍ଡଳ ଭାରତ ଗସ୍ତରେ ଆସିଥିବା ବେଳେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ସଂଯୋଜନାରେ ସେମାନେ ଓଡ଼ିଶା ଆସିଛନ୍ତି । ସେମାନଙ୍କ ଓଡ଼ିଶା ଗସ୍ତସୂଚୀ ପରିପ୍ରେକ୍ଷୀରେ ସେମାନେ ପ୍ରଥମେ କିଟ୍ ଓ କିସ୍ ପରିଦର୍ଶନ କରିଥିଲେ ।
ସେମାନେ କିଟ୍ ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରିବା ସହ କିସ୍ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। କିଟ୍ ଓ କିସ୍ ବିଷୟରେ ଜାଣି ସେମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଏହା ସହ ଜନଜାତି ଛାତ୍ରଛାତ୍ରୀଙ୍କୁ କିସ୍ ମାଧ୍ୟମରେ ଶିକ୍ଷା ଜରିଆରେ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଉଥିବା ଜାଣି କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ନିଜ ସ୍ୱାଗତ ଭାଷଣରେ ଶ୍ରୀ ସାମନ୍ତ କହିଲେ, ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବିଭିନ୍ନ ଦୃଷ୍ଟିରୁ ବହୁ ପୁରାତନ ସମ୍ପର୍କ ରହିଆସିଛି । ବହୁ ପୂର୍ବରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ସାଂସ୍କୃତିକ, ପାରମ୍ପରିକ, ବାଣିଜ୍ୟିକ ଓ କୁଟନୀତିକ ସମ୍ପର୍କ ରହିଆସିଛି ।
୨୦୧୯ରୁ ଶ୍ରୀଲଙ୍କା ସହ କିଟ୍ ଓ କିସ୍ ର ସମ୍ପର୍କ ମଧ୍ୟ ଧରି ରହିଆସିଛି ବୋଲି ଡକ୍ଟର ସାମନ୍ତ ସୂଚନା ଦେଇଥିଲେ । କିଟ୍ ବିଶ୍ୱବିଦ୍ୟାଳୟରେ ଶ୍ରୀଲଙ୍କା ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଶ୍ରୀଲଙ୍କାର ବହୁ ବିଶିଷ୍ଟ ବ୍ୟକ୍ତି ଶିକ୍ଷାବିତ୍ ମଧ୍ୟ କିଟ୍ ଓ କିସ୍ ପରିଦର୍ଶନ କରି ଏହାର ଉଚ୍ଚ ପ୍ରଶଂସା କରିଛନ୍ତି ବୋଲି ଶ୍ରୀ ସାମନ୍ତ କହିଥିଲେ । ଏହି କାର୍ଯ୍ୟକ୍ରମରେ କଲମ୍ବୋସ୍ଥିତ ଭାରତ ସରକାରଙ୍କ ଉଚ୍ଚାୟୁକ୍ତ ସୌରଭ ସବଲୋକ, ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟର ବରିଷ୍ଠ ଅଧିକାରୀ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ, କିଟ୍ ଇଂଟରନ୍ୟାସନ୍ ଲ ବ୍ୟାପାର ମହାନିର୍ଦ୍ଦେଶକ ଦେବରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।