କେବେ ଭାବିଛନ୍ତି କି, ଭଗବାନ ଶ୍ରୀକୃଷ୍ଣଙ୍କ ଭବ୍ୟ ନଗରୀ ଦ୍ୱାରକା ଶେଷରେ ସମୁଦ୍ର ଭିତରେ କିପରି ଲୀନ ହୋଇଗଲା? ଆଜିର କାହାଣୀ ଏପରି ଏକ ସହର ବିଷୟରେ ଯାହା ଥରେ ସମୁଦ୍ର କୂଳରେ ଗର୍ବର ସହିତ ଠିଆ ହୋଇଥିଲା ବୋଲି କୁହାଯାଏ । ଏହା ଏକ ଏପରି ନଗରୀ, ଯେଉଁଠାରେ ବିରାଟ ରାଜପ୍ରାସାଦ, ପ୍ରଶସ୍ତ ରାସ୍ତା, ବଜାର ଏବଂ ସାମୁଦ୍ରିକ ବାଣିଜ୍ୟର କୋଳାହଳ ଥିଲା । କିନ୍ତୁ ସମୟ ସହିତ ଧୀରେ ଧୀରେ ଏହି ସମ୍ପୂର୍ଣ୍ଣ ନଗରୀ ଇତିହାସର ପୃଷ୍ଠାରୁ ଅଦୃଶ୍ୟ ହୋଇଗଲା ।
ପ୍ରାଚୀନ ଗ୍ରନ୍ଥଗୁଡ଼ିକରେ ଦ୍ୱାରକାକୁ ଶ୍ରୀକୃଷ୍ଣଙ୍କ ରାଜଧାନୀ ଭାବେ ବର୍ଣ୍ଣନା କରାଯାଇଛି । ମହାଭାରତ, ହରିବଂଶ ଏବଂ ଶ୍ରୀମଦ୍ଭାଗବତ ପୁରାଣରେ ବର୍ଣ୍ଣନା କରାଯାଇଛି । ମାନ୍ୟତା ଅନୁସାରେ, ମଥୁରା ଛାଡ଼ିବା ପରେ ଶ୍ରୀକୃଷ୍ଣ ଯାଦବମାନଙ୍କ ପାଇଁ ସମୁଦ୍ର କୂଳରେ ଏକ ନୂଆ ଏବଂ ସୁରକ୍ଷିତ ନଗରୀ ସ୍ଥାପନ କରିଥିଲେ । କୁହାଯାଏ ଯେ ଏହି ନଗରୀ କେବଳ ବାସସ୍ଥାନ ନଥିଲା ବରଂ ବାଣିଜ୍ୟ, ସଂସ୍କୃତି ଏବଂ ଶାସନର ଏକ ବଡ଼ କେନ୍ଦ୍ର ଥିଲା । ସମୁଦ୍ର ପଥରେ ଏଠାକୁ ଦୂରଦୂରାନ୍ତରୁ ବ୍ୟବସାୟୀମାନେ ଆସୁଥିଲେ । ନଗରୀର ଗଠନ ଏବଂ ସମୃଦ୍ଧିର ବର୍ଣ୍ଣନା ଏତେ ସୁନ୍ଦର ଭାବେ ବର୍ଣ୍ଣନା କରାଯାଇଛି ଯେ, ଦ୍ୱାରକାକୁ ପ୍ରାଚୀନ ଭାରତର ସବୁଠାରୁ ଚର୍ଚ୍ଚିତ ନଗରୀମାନଙ୍କ ମଧ୍ୟରେ ଗଣାଯାଏ । କିନ୍ତୁ ତା’ପରେ ଆସିଲା ମହାଭାରତ ଯୁଦ୍ଧର ପରବର୍ତ୍ତୀ ସମୟ । ଯୁଦ୍ଧ ଶେଷ ହେଲା, କୌରବ ବଂଶର ଅନ୍ତ ହେଲା ଏବଂ ଗାନ୍ଧାରୀ ନିଜ ପୁତ୍ରମାନଙ୍କ ମୃତ୍ୟୁର ଦୁଃଖରେ ବୁଡ଼ି ରହିଲେ ।
ପୌରାଣିକ କଥା ଅନୁସାରେ, ଏହି ସମୟରେ ସେ ଶ୍ରୀକୃଷ୍ଣଙ୍କୁ ଅଭିଶାପ ଦେଇଥିଲେ ଯେ, ଯେପରି କୌରବ ବଂଶ ନଷ୍ଟ ହେଲା ସେହିପରି ଯାଦବ ବଂଶର ମଧ୍ୟ ଅନ୍ତ ହେବ । ସମୟ ଗଡ଼ିବା ସହିତ ଯାଦବମାନଙ୍କ ମଧ୍ୟରେ ହିଁ ବିବାଦ ଓ ସଂଘର୍ଷ ବଢ଼ିବାକୁ ଲାଗିଲା । ଧୀରେ ଧୀରେ ସେହି ସମୟ ମଧ୍ୟ ଆସିଲା, ଯେତେବେଳେ ଶ୍ରୀକୃଷ୍ଣ ନିଜ ଅବତାର ସମାପ୍ତ କଲେ ।
ଏଥିସହ ପୌରାଣିକ ମାନ୍ୟତା ଅନୁସାରେ, ଶ୍ରୀକୃଷ୍ଣଙ୍କ ପୃଥିବୀରୁ ପ୍ରସ୍ଥାନ ପରେ ଦ୍ୱାରକାର ଅନ୍ତ ମଧ୍ୟ ଆରମ୍ଭ ହେଲା । କୁହାଯାଏ ଯେ ସମୁଦ୍ର ଧୀରେ ଧୀରେ ସେହି ନଗରୀକୁ ଗ୍ରାସ କରିନେଲା । ରାଜପ୍ରାସାଦ, ରାସ୍ତା ଏବଂ ଅଟ୍ଟାଳିକାଗୁଡ଼ିକ ସହିତ ସମ୍ପୂର୍ଣ୍ଣ ଦ୍ବାରକା ମଧ୍ୟ ସମୁଦ୍ର ତଳେ ଅଦୃଶ୍ୟ ହୋଇଗଲା । ଶତାବ୍ଦୀ ପରେ ଶତାବ୍ଦୀ ବିତିଗଲା । ହେଲେ ଦ୍ୱାରକାର ନାମ ଗ୍ରନ୍ଥ ଏବଂ ଧାର୍ମିକ କାହାଣୀ ଆଜି ବି ଜୀବନ୍ତ ହୋଇ ରହିଛି ।
