Saturday, February 21, 2026
33.5 C
Odisha

    କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା: ପାଇଲଟ୍‌ଙ୍କ ସହ ୭ ମୃତ, ୬ ସପ୍ତାହରେ ୫ମ ଘଟଣା

    ଆଗକୁ ପଢନ୍ତୁ

    କେଦାରନାଥ: କେଦାରନାଥ ମନ୍ଦିରରୁ ଉତ୍ତରାଖଣ୍ଡର ଗୁପ୍ତକାଶୀ ଅଭିମୁଖେ ଉଡ଼ାଣ ଭରିଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଆର୍ଯ୍ୟନ୍‌ ଏଭିଏସନ୍‌ର ଏହି ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଜଣଙ୍କ ମଧ୍ୟରେ ପାଇଲଟ୍‌ ମଧ୍ୟ ଅଛନ୍ତି। ୧୦ ମିନିଟ୍‌ର ଯାତ୍ରା ସମୟରେ ହେଲିକପ୍ଟରଟି ଗୌରୀକୁଣ୍ଡ ଓ ସୋନପ୍ରୟାଗ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ୟୁସିଏଡିଏ) ପକ୍ଷରୁ ଜାରି ବିବୃତି ଅନୁଯାୟୀ, ରବିବାର ସକାଳ ୫ଟା ୨୦ ମିନିଟ୍‌ରେ ଏହି ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୬ ଜଣ ତୀର୍ଥଯାତ୍ରୀ (୫ ଜଣ ବୟସ୍କ, ଜଣେ ୨୩ ମାସର ଶିଶୁ) ଏବଂ ପାଇଲଟ୍ ଥିଲେ। ଜଙ୍ଗଲରେ ହେଲିକପ୍ଟର ଖସିବା ପରେ ତାହା ଜଳି ଯାଇଥିଲା।କେଦାରନାଥ ଧାମ ଗସ୍ତ ପରେ ଜଣେ ଶିଶୁ ସମେତ ୬ ଜଣ ହେଲିକପ୍ଟରରେ ଫେରୁଥିବା ବେଳେ ପାଗ ଅଚାନକ ଖରାପ ହୋଇ ଯାଇଥିଲା। ପାଇଲଟ୍ ହେଲିକପ୍ଟର ଅବତରଣ କରିବାକୁ ଚେଷ୍ଟା କରିଥିଲେ

    ମଧ୍ୟ ଗୌରୀକୁଣ୍ଡ ନିକଟରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌ ସମେତ ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଅପରେସନ୍‌ର ନେତୃତ୍ୱ ନେଉଛନ୍ତି ବୋଲି ଜିଲ୍ଲା ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ରାହୁଲ ଚୌବେ କହିଛନ୍ତି। ମୃତକଙ୍କ ମଧ୍ୟରେ ମହାରାଷ୍ଟ୍ରର ୟବତମାଲର ଜୟସ୍ବାଲ ପରିବାରର ତିନି ଜଣ ସଦସ୍ୟ ରାଜକୁମାର ସୁରେଶ ଜୟସ୍ୱାଲ, ଶ୍ରଦ୍ଧା ଜୟସ୍ୱାଲ ଏବଂ ସେମାନଙ୍କର ୨୩ ମାସର ଝିଅ କାଶୀ ଜୟସ୍ୱାଲ ଅଛନ୍ତି। ସେମାନଙ୍କ ପୁଅ ଭିବାନ ଜେଜେବାପାଙ୍କ ସହ ରହୁଥିବାରୁ ରକ୍ଷା ପାଇଯାଇଛନ୍ତି। ଗଡୱାଲ କମିସନର ବିନୟ ଶଙ୍କର ପାଣ୍ଡେ କହିଛନ୍ତି ଯେ ଯାତ୍ରୀଙ୍କ ମଧ୍ୟରେ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (ବିକେଟିସି) କର୍ମଚାରୀ ବିକ୍ରମ ରାୱତ ମଧ୍ୟ ଥିଲେ। ପ୍ରାଣ ହରାଇଥିବା ଅନ୍ୟ ତୀର୍ଥଯାତ୍ରୀମାନେ ହେଲେ ଉତ୍ତରପ୍ରଦେଶର ବିନୋଦ ଦେବୀ (୬୬) ଏବଂ ତ୍ରିଷ୍ଟି ସିଂହ (୧୯)। ଏହି ଦୁର୍ଘଟଣାରେ ଜୟପୁରନିବାସୀ ୩୯ ବର୍ଷୀୟ ପାଇଲଟ୍ କ୍ୟାପଟେନ୍ ରାଜବୀର ସିଂହ ଚୌହାନଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରକୁ ଦେଖି ଅଧିକାରୀଙ୍କୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ସମସ୍ତ ମୃତଦେହ ଉଦ୍ଧାର କରାଯାଇଛି। ତେବେ ମୃତଦେହ ଚିହ୍ନଟ କଷ୍ଟକର ହୋଇଥିବାରୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ପୂର୍ବରୁ ଡିଏନ୍ଏ ଟେଷ୍ଟ କରାଯିବ ବୋଲି ଇନ୍ସପେକ୍ଟର ଜେନେରାଲ ରାଜୀବ ସ୍ୱରୂପ କହିଛନ୍ତି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ‘ଏକ୍ସ’ରେ ଏହି ଦୁଃଖଦ ଖବର ସେୟାର କରିବା ସହ ପୀଡ଼ିତ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି।
    ସୂଚନାଯୋଗ୍ୟ, ମେ ୨ରେ କେଦାରନାଥର ଦ୍ୱାର ଖୋଲିବା ପରେ ଏହା ହେଉଛି ପଞ୍ଚମ ଦୁର୍ଘଟଣା। ଏହା ପୂର୍ବରୁ ଜୁନ୍ ୭ ତାରିଖରେ କେଦାରନାଥ ଅଭିମୁଖେ ଯାଉଥିବା ଏକ ହେଲିକପ୍ଟର ଉଡ଼ାଣ ସମୟରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଉତ୍ତରାଖଣ୍ଡର ଏକ ରାଜପଥରେ ଅତି ବିପଜ୍ଜନକ ଭାବେ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ବିମାନରେ ଥିବା ୫ ଜଣ ତୀର୍ଥଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ଆସିଥିବା ବେଳେ ପାଇଲଟ୍‌ ସାମାନ୍ୟ ଆହତ ହୋଇଥିଲେ। ଆଜିର ଘଟଣା ପରେ ମୁଖ୍ୟମନ୍ତ୍ରୀ ଧାମୀ ଉତ୍ତରାଖଣ୍ଡରେ ହେଲିକପ୍ଟର ଚଳାଚଳ ପାଇଁ କଠୋର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ପରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଚାରିଧାମକୁ ହେଲିକପ୍ଟର ଚଳାଚଳ ଅସ୍ଥାୟୀ ଭାବେ ବନ୍ଦ ରଖି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଅପରେସନ୍‌ର ସମୀକ୍ଷା କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    33.5 ° C
    33.5 °
    33.5 °
    15 %
    4.2kmh
    11 %
    Sat
    33 °
    Sun
    35 °
    Mon
    36 °
    Tue
    35 °
    Wed
    34 °

    ସମ୍ବନ୍ଧିତ