ତେଲ ଟିକସ କମାଇଲେ କେନ୍ଦ୍ର ସରକାର । ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବଢ଼ିବାରେ ଲାଗିଛି । ଏହାର ପ୍ରଭାବରୁ ସାଧାରଣ ଜନତାଙ୍କୁ ରକ୍ଷା କରିବା ପାଇଁ ଭାରତ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ‘ଏକ୍ସାଇଜ୍ ଡ୍ୟୁଟି’ (କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ) କମାଇ ଦେଇଛନ୍ତି । ପେଟ୍ରୋଲରେ କେନ୍ଦ୍ରୀୟ ଶୁଳ୍କ ଲିଟର ପିଛା ୧୩ ଟଙ୍କାରୁ କମି ୩ ଟଙ୍କା ହୋଇଛି । ଅର୍ଥାତ୍ ୧୦ ଟଙ୍କା ହ୍ରାସ ପାଇଛି । ଡିଜେଲରେ କେନ୍ଦ୍ରୀୟ ଶୁଳ୍କ ଲିଟର ପିଛା ୧୦ ଟଙ୍କାରୁ କମି ୦ (ଶୂନ) ଟଙ୍କା ହୋଇଛି। ଅର୍ଥାତ ଡିଜେଲ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ‘ଶୂନ’! ହୋଇଛି ।
ପଶ୍ଚିମ ଏସିଆ ଯୁଦ୍ଧ ଯୋଗୁଁ ତେଲ ଆମଦାନୀ ବାଧାପ୍ରାପ୍ତ ହେଉଛି ଏବଂ ଆନ୍ତର୍ଜାତୀୟ ବଜାରରେ ତେଲ ଦର ବ୍ୟାରେଲ ପିଛା ୧୦୦ ଡଲାର ଉପରକୁ ଚାଲିଯାଇଛି। ପରିବହନ ଖର୍ଚ୍ଚ ନବଢ଼ାଇବା ଏବଂ ବଜାରରେ ଜିନିଷପତ୍ରର ଦର ନିୟନ୍ତ୍ରଣ କରିବା ପାଇଁ ସରକାର ନିଜ ରାଜସ୍ୱ କ୍ଷତି ସହି ମଧ୍ୟ ତେଲ ଉପରୁ ଟିକସ କମାଇଛନ୍ତି ।
ଗତକାଲି ନାୟାରା ପେଟ୍ରୋଲ ପମ୍ପରେ ବଢ଼ିଥିଲା ତୈଳ ଦର । ଲିଟର ପିଛା ପେଟ୍ରୋଲ ୫ ଟଙ୍କା ଓ ଡିଜେଲ ୩ ଟଙ୍କା ମହଙ୍ଗା ହୋଇଥିଲା । ଦେଶର ସବୁଠାରୁ ବଡ଼ ଘରୋଇ ତୈଳ କମ୍ପାନୀ ନାୟାରା ଏନର୍ଜି ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଦେଇଛି। ବିଶ୍ୱ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଯୋଗୁଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ପେଟ୍ରୋଲ ଲିଟର ପିଛା ପ୍ରାୟ ୫ ଟଙ୍କା ବଢ଼ିଛି । ଡିଜେଲ ଲିଟର ପିଛା ୩ ଟଙ୍କା ବୃଦ୍ଧି ପାଇଛି।
