ଭୁବନେଶ୍ୱର : କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ । ବୁଢ଼ାବଳଙ୍ଗ, ବୈତରଣୀ ସମେତ ପ୍ରମୁଖ ନଦୀ ବିପଦ ସଙ୍କେତ ତଳେ ରହିଛି । କେବଳ ଜଳକା ନଦୀ ବିପଦ ସଙ୍କେତ ଉପରେ ଅଛି, କିନ୍ତୁ କମୁଛି । ଆଗାମୀ ୭ ଦିନ ଯାଏଁ ବର୍ଷା ନଥିବାରୁ ସ୍ଥିତିରେ ଆହୁରି ସୁଧାର ଆସିବ । ହୀରାକୁଦ ଜଳସ୍ତର ୯ଟା ସୁଦ୍ଧା ୬୨୬.୩୫ ଫୁଟ୍ ଅଛି । ୪ଟି ଗେଟ୍ ବନ୍ଦ କରାଯାଇଛି, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ୩ ଲକ୍ଷ ୮୫ ହଜାର କ୍ୟୁସେକ ପ୍ରବେଶ, ୪ ଲକ୍ଷ ୨୪ ହଜାର କ୍ୟୁସେକ ନିଷ୍କାସିତ । କାଲି ମୁଣ୍ଡଳୀରେ ସଂଧ୍ୟା ୬ଟାରେ ୫ ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେବ ।
ସୂଚନାଯୋଗ୍ୟ, ଗତକାଲି ଅଧିକ ଜଳ ପ୍ରବେଶକୁ ଦୃଷ୍ଟିରେ ରଖି ଶୁକ୍ରବାର ୨ଟି ପର୍ଯ୍ୟାୟରେ ହୀରାକୁଦର ୮ଟି ଗେଟ୍ ଖୋଲାଯାଇଥିଲା । ଏଥିସହିତ ମୋଟ ଖୋଲା ଯାଇଥିବା ଗେଟ୍ ସଂଖ୍ୟା ୨୪କୁ ବୃଦ୍ଧି ପାଇଥିଲା । ଗତ ୩ ଦିନ ଧରି ଉପର ମୁଣ୍ଡରେ ବର୍ଷା ଫଳରେ ହୀରାକୁଦ ଜଳସ୍ତର ବଢ଼ିବାରେ ଲାଗିଥିଲା । ଶୁକ୍ରବାର ସକାଳ ୮ଟା ବେଳକୁ ହୀରାକୁଦକୁ ହାରାହାରି ୨ ଲକ୍ଷ ୯୩ ହଜାର ୫୧୨ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା । ତେଣୁ ଜଳସ୍ତର ବଜାୟ ରଖିବାକୁ ସକାଳ ୯ଟାରେ ୪ଟି ଓ ଦିନ ୨ଟାରେ ଆଉ ୪ଟି ଗେଟ୍ ଖୋଲା ଯାଇଥିଲା । ଫଳରେ ହୀରାକୁଦ ବାମପାର୍ଶ୍ବର ୧୬ ଓ ଡାହାଣ ପାର୍ଶ୍ବର ୮ଟିକୁ ମିଶାଇ ମୋଟ ୨୪ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସିତ ହେଉଥିଲା