ଅଧିକାଂଶ ଲୋକ ଚା’ ଏବଂ କଫିରୁ ସେମାନଙ୍କ ସକାଳର ଆରମ୍ଭ କରିଥାଆନ୍ତି । କିନ୍ତୁ ବିଶେଷଜ୍ଞଙ୍କ ମତରେ, ସଠିକ୍ ଖାଦ୍ୟ ସହିତ ଦିନ ଆରମ୍ଭ କରିବା ଖୁବ୍ ଜରୁରୀ ହୋଇଥାଏ । ଯାହାଦ୍ବାରା ସୁସ୍ଥ ଶରୀର ଗଠନ କରାଯାଇପାରିବ । ତେଣୁ ସୁସ୍ଥ ରହିବାକୁ ଚାହୁଁଥିଲେ ପ୍ରଥମେ ସକାଳର ଖାଇବା ଉପରେ ଗୁରୁତ୍ବ ଦେବା ଉଚିତ୍ । କିଛି ଲୋକ ସକାଳେ ଫଳ ଏବଂ ଡ୍ରାଏ ଫ୍ରୁଟ୍ସ ଖାଇବାକୁ ଉଚିତ୍ ବୋଲି ଭାବିଥାଆନ୍ତି । ପ୍ରତ୍ୟେକ ଖାଦ୍ୟର ଭିନ୍ନ ଭିନ୍ନ ପ୍ରଭାବ ଆମ ଶରୀର ଉପରେ ପଡିଥାଏ ।
ସକାଳେ ଏଭଳି କିଛି ଖାଦ୍ୟ ଖାଇବା ଉଚିତ୍ ଯାହା ସହଜରେ ହଜମ କରିଥାଏ । ଅନେକ ଲୋକ ସକାଳୁ ଖାଲି ପେଟରେ କଦଳୀ ଖାଇଥାଆନ୍ତି ତ ଆଉ ପୁଣି କିଏ ଖଜୁରୀ ଖାଇଥାଆନ୍ତି । ତେବେ ଖାଲି ପେଟରେ କଦଳୀ ନା ଖଜୁରୀ କେଉଁ ଖାଦ୍ୟଟି ଖାଇବା ଉଚିତ୍ ଆସନ୍ତୁ ଆମେ ଆଜି ସେସମ୍ପର୍କରେ ଜାଣିବା । ଯାହା ଖାଇବା ଦ୍ବାରା ଶରୀର ଉପରେ ସୁପ୍ରଭାବ ପକାଇବ ।
କଦଳୀ : କଦଳୀ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଏବଂ ପ୍ରାକୃତିକ ଶର୍କରାରେ ଭରପୂର, ଯାହା ଏହାକୁ ଶକ୍ତିର ଏକ ଭଲ ଉତ୍ସ କରିଥାଏ। ତଥାପି, ଖାଲି ପେଟରେ କଦଳୀ ଖାଇବା ସମସ୍ତଙ୍କ ପାଇଁ ଉପଯୁକ୍ତ ନୁହେଁ । କଦଳୀ ଖାଇବା ଦ୍ୱାରା ତୁରନ୍ତ ଶକ୍ତି ମିଳିଥାଏ । ଏଥିରେ ପୋଟାସିୟମ୍ ଭରପୂର ମାତ୍ରାରେ ଥିବାରୁ ଏହା ହାର୍ଟ ଏବଂ ମାଂସପେଶୀ ପାଇଁ ଲାଭଦାୟକ ହୋଇଥାଏ । ଏଥିରେ ଅନେକ ଲାଭକାରୀ ଗୁଣ ରହିଛି । କିନ୍ତୁ ଏହାକୁ ଖାଇବାର ସାଇଡ ଇଫେକ୍ଟ ମଧ୍ୟ ହୋଇପାରେ । ଏଥିରେ ଥିବା ମ୍ୟାଗ୍ନେିସିୟମ୍ ସନ୍ତୁଳନ ଠିକ୍ ନ ରହିବାରୁ ଏସିଡିଟି ଏବଂ ପେଟ ଫୁଲିବା ଭଳି ସମସ୍ୟା ଦେଖାଦେଇଥାଏ । କଦଳୀକୁ ସକାଳୁ ଖାଲି ପେଟରେ ଖାଇବା ପରିବର୍ତ୍ତେ ଟିକେ ବିଳମ୍ବରେ ଖାଆନ୍ତୁ ।
ଖଜୁରୀ : ଖଜୁରୀକୁ ଖାଲି ପେଟରେ ଖାଇବା ସବୁଠାରୁ ଲାଭଦାୟକ ହୋଇଥାଏ । ଏହା ଶରୀର ପାଇଁ ଖୁବ୍ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଏହାକୁ ଖାଇବା ଦ୍ବାରା ତୁରନ୍ତ ଶକ୍ତି ମିଳିଥାଏ । ଏଥିରେ ଥିବା ଫାଇବର ଗୁଣ ହଜମ କରିବାରେ ସାହାଯ୍ୟ କରେ । ଏଥିସହ କୋଷ୍ଠକାଠିନ୍ୟ ଭଳି ସମସ୍ୟାକୁ ରୋକିବାରେ ମଧ୍ୟ ସହାୟକ କରେ । ଏହାକୁ ଖାଇବା ଦ୍ବାରା ପେଟ ହାଲୁକା ରହିବା ସହ ଏସିଡିଟିର ଆଶଙ୍କାକୁ କମ୍ କରିଥାଏ । ଏତିକି ନୁହେଁ ଏହା ଅନ୍ତନଳୀ ସ୍ବାସ୍ଥ୍ୟକୁ ମଧ୍ୟ ଉନ୍ନତ କରେ । ଏହା ମେଟାବୋଲେଜିୟମକୁ ବୃଦ୍ଧି କରେ । ଏଥିରେ ଆଇରନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରପୁର ମାତ୍ରାରେ ଥାଏ । ଯାହା ଥକ୍କାପଣକୁ ଦୂର କରିଥାଏ । ବିଶେଷଜ୍ଞଙ୍କ ମତରେ, ରାତିସାରା ପାଣିରେ ୨ରୁ ୩ଟି ଖଜୁର ଭିଜାଇ ସକାଳେ ଖାଇବା ଦ୍ୱାରା ଭଲ ହଜମ ଏବଂ ପୋଷକ ତତ୍ତ୍ୱ ଅବଶୋଷଣରେ ସାହାଯ୍ୟ ମିଳିଥାଏ ।ଅଧିକାଂଶ ଲୋକଙ୍କ ପାଇଁ ଖାଲି ପେଟରେ ଖଜୁରୀ ଖାଇବା ଏକ ସୁସ୍ଥ ବିକଳ୍ପ । ଯାହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ ଏବଂ ଦୀର୍ଘସ୍ଥାୟୀ ଶକ୍ତି ପ୍ରଦାନ କରେ । ସୁସ୍ଥ ଶରୀର ଗଠନ କରିବାକୁ ଚାହୁଁଥିଲେ ଖଜୁରୀକୁ ଖାଇବାରେ ସାମିଲ କରିପାରିବେ ।

