Thursday, October 15, 2026
23.8 C
Odisha

    ଖୋଲିଲା ଶ୍ରୀମନ୍ଦିର ପାଣ୍ଠି; ଆସିଲା ଚମକେଇଦେବା ଭଳି ତଥ୍ୟ

    ଆଗକୁ ପଢନ୍ତୁ

    ପୁରୀ  :  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଆର୍ଥିକ ପରିଚାଳନା ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଛି। ପୁରୀର ଆୟ ମୁଖ୍ୟତଃ ଭକ୍ତଙ୍କ ଦାନ, ଶ୍ରୀମନ୍ଦିର ଖଣିଖାଦାନ, ସ୍ଥାୟୀ ଜମାରେ ରଖାଯାଇଥିବା ଅର୍ଥର ସୁଧ, ଜମି ବିକ୍ରି ଓ ଜମି ଅଧିଗ୍ରହଣ ଏବଂ ସରକାରୀ ଅନୁଦାନରୁ ହୋଇଥାଏ। ଉକ୍ତ ଆୟର କିଛି ନିର୍ଦ୍ଦିଷ୍ଟ ଅଂଶ କର୍ପସ ପାଣ୍ଠି ହିସାବରେ ଏବଂ ଅନ୍ୟ ଏକ ଅଂଶ ଫାଉଣ୍ଡେସନ ପାଣ୍ଠି ହିସାବରେ ସ୍ଥାୟୀ ଜମାରେ ରଖାଯାଇଥାଏ। ଅବଶିଷ୍ଟ ଆୟ ମନ୍ଦିର ପାଣ୍ଠି ହିସାବରେ ରଖାଯାଇଥାଏ। ଶ୍ରୀମନ୍ଦିରର ଦୈନନ୍ଦିନ ଖର୍ଚ୍ଚ ଉକ୍ତ ମନ୍ଦିର ପାଣ୍ଠିରୁ ହୋଇଥାଏ ଏବଂ ବଳକା ମନ୍ଦିର ପାଣ୍ଠି ଅର୍ଥକୁ ସ୍ଥାୟୀ ଜମା ହିସାବରେ ରଖାଯାଏ। ଏହି ସମସ୍ତ ସମ୍ପତ୍ତିର ସ୍ୱଚ୍ଛ, ସଠିକ୍ ପରିଚାଳନା କରିବା ହେଉଛି ଶ୍ରୀମନ୍ଦିର ପ୍ରଶାସନର ପ୍ରମୁଖ ଦାୟିତ୍ୱ। ଗତ ୩୧ ଅଗଷ୍ଟ ୨୦୨୬ ସୁଦ୍ଧା ଶ୍ରୀଜଗନ୍ନାଥ ମନ୍ଦିରର ଉପରୋକ୍ତ ୩ଟି ଯୋଜନାରେ ୧୮୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ସ୍ଥାୟୀ ଜମାରେ ରଖାଯାଇଅଛି। ଏଥି ମଧ୍ୟରୁ ବିଭିନ୍ନ ରାଷ୍ଟ୍ରୟତ ବ୍ୟାଙ୍କମାନଙ୍କରେ ୧୩୧୧ କୋଟି ୯ ଲକ୍ଷ ୫୮ ହଜାର ୨୮୩ ଟଙ୍କା ଏବଂ ଶ୍ରୀଜଗନ୍ନାଥ ମନ୍ଦିରର ପି.ଏଲ୍ ଆକାଉଣ୍ଟରେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ରଖାଯାଇଅଛି।

    ଏତଦ୍ ବ୍ୟତୀତ ଅଦ୍ୟ ତାରିଖରେ ଶ୍ରୀଜଗନ୍ନାଥ ମନ୍ଦିରର ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟମାନଙ୍କରେ (ସେଭିଙ୍ଗସ୍/ କରଣ୍ଟ/ ଫ୍ଲେକ୍ସି) ୧୦୦ କୋଟି ୭୦ ଲକ୍ଷ ୬୬ ହଜାର ୮୬୮ ଟଙ୍କା ରହିଅଛି। ଏହାସହ ପ୍ରତ୍ୟେକ ଦିନ ଶ୍ରୀମନ୍ଦିର ହୁଣ୍ଡି ଗଣନା ହେବା ସହ ତତ୍ ସମ୍ବନ୍ଧୀୟ ବିବରଣୀ ସୂଚନା ଫଳକ ଏବଂ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରାଯାଉଅଛି। ଶ୍ରୀମନ୍ଦିରର ପରିଚାଳନାରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱ ବଜାୟ ରଖିବା ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ଲକ୍ଷ୍ୟ। ମହାପ୍ରଭୁଙ୍କ ପ୍ରତି ସମର୍ପିତ ଭକ୍ତମାନଙ୍କର ଦାନରାଶି ଏବଂ ମନ୍ଦିର ସମ୍ପତ୍ତିର ସଠିକ୍ ପରିଚାଳନା ସମ୍ପର୍କରେ ଜନସାଧାରଣ ଓ ଭକ୍ତଗଣଙ୍କୁ ଅବଗତ କରାଇବା ପାଇଁ ଏହି ସୂଚନା ପ୍ରକାଶ କରାଯାଉଛି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପ୍ରକାଶ ଥାଉକି, ଚଳିତ ବର୍ଷ ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ୧୫ ଜୁଲାଇ ୨୦୨୬ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଡିଜିଟାଲ ହୁଣ୍ଡି – ସମର୍ପଣର ଶୁଭ ଲୋକାର୍ପଣ ହୋଇଥିଲା।

    ଏହି ପ୍ଲାଟଫର୍ମ ଜରିଆରେ ଶ୍ରଦ୍ଧାଳୁ ଭକ୍ତମାନେ ପୃଥିବୀର କୋଣ ଅନୁକୋଣରୁ ସୁବିଧା ତଥା ସରଳିକୃତ ଭାବେ ଶ୍ରୀଜଗନ୍ନାଥ ମନ୍ଦିର ଓ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଦାନ ଦେଇ ପାରିବେ। ଦାନର ପରିମାଣ ମଧ୍ୟ ରସିଦ ଆକାରରେ ଡାଉନଲୋଡ୍ କରି ପାରିବେ । ଗତ  ଅଗଷ୍ଟ୩୧ ତାରିଖ ସୁଦ୍ଧାଏହି ପ୍ଲାଟଫର୍ମ ଜରିଆରେ ୫୬ ଲକ୍ଷ ୭୦ ହଜାର ୭୦୫ ଟଙ୍କା ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତ ମାନେ ଦାନ ସୁତ୍ର‌େ‌ରେ ଦେଇଛନ୍ତି ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    90 %
    1kmh
    99 %
    Thu
    29 °
    Fri
    29 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ