Wednesday, May 7, 2025
32.1 C
Odisha

ଗଣେଶ ଏକଦନ୍ତ କାହିଁକି ?

ଆଗକୁ ପଢନ୍ତୁ

 

ଗଣେଶ ହେଉଛନ୍ତି ବିଦ୍ୟାଦାତା । ପ୍ରତ୍ୟେକ ପୂଜାରେ ଗଣେଶ ଅଗ୍ରପୂଜ୍ୟ । ତାଙ୍କର ବିଭିନ୍ନ ନାମ ଅଛି ଯଥା – ଗଜାନନ,ଲମ୍ବୋଦର,ଗଣନାଥ,ବିଘ୍ନରାଜ,ଉମାପୁତ୍ର, ଏକଦନ୍ତ ପ୍ରଭୃତି । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ଦିନ ଗଣେଶ ଚତୁର୍ଥୀ ପାଳନ କରାଯାଏ । ବିଭିନ୍ନ ସ୍ଥାନରେ ଅତି ଆଡମ୍ବରରେ ଗଣପତି ପୂଜା ପାଆନ୍ତି । ଗଣେଶ ଏକଦନ୍ତ ହେଲେ କାହିଁକି, ସେ ବିଷୟରେ କିଛି ମଜାଳିଆ ପୁରାଣ କାହାଣୀ ରହିଛି । ଆଜି ସେହି କାହାଣୀ ଜାଣିବା ।

ଗଣେଶ ଭାରି ଖାଦ୍ୟପ୍ରିୟ । ଦିନେ ପେଟପୁରା ମୋଦକ ଲାଦୁ ଖାଇ ତାଙ୍କ ମୂଷିକ ବାହନରେ ବୁଲୁଥିଲେ । ବାଟରେ ଗୋଟିଏ ସାପକୁ ଦେଖିଲେ । କଳା ରଙ୍ଗର ବିରାଟ ସାପ । ସାପକୁ ଦେଖି ଗଣେଶଙ୍କ ବାହନ ମୂଷା ଡରିଗଲା । ଯାହାଫଳରେ ଭାରସାମ୍ୟ ହରାଇଲା । ମୂଷା ପିଠିରୁ ଗଣେଶ ଖସିପଡ଼ିଲେ । ସହଜେ ତ ଗଣେଶଙ୍କ ଶରୀର ପୃଥୁଳ । ପୃଥୁଳକାୟ ଗଣେଶ ଭୁଇଁରେ ପଡିଯିବାର ଦେଖି ଆକାଶରେ ଚନ୍ଦ୍ର ଫେଁ କରି ହସିଦେଲେ । ଗଣେଶ ବିଶେଷ ଲଜ୍ଜିତ ହେଲେ । ଚନ୍ଦ୍ରଙ୍କର ଏହିଭଳି ବ୍ୟବହାର ତାଙ୍କୁ ବାଧିଲା । ରାଗରେ ନିଜର ଗୋଟିଏ ଦାନ୍ତ ଉପାଡି ଚନ୍ଦ୍ରଙ୍କ ଆଡକୁ ଫିଙ୍ଗିଦେଲେ । ସେହିଦିନଠାରୁ ଗଣେଶ ଓ ଚନ୍ଦ୍ରଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହେଲା । ଗଣେଶ ଚନ୍ଦ୍ରଙ୍କୁ ଅଭିଶାପ ଦେଲେ । ଏଣୁ ଗଣେଶ ଚତୁର୍ଥୀ ଦିନ ଚଉଠି ଚାନ୍ଦକୁ ଲୋକେ ଦେଖନ୍ତି ନାହିଁ । ପ୍ରବାଦ ଅଛି-

“ଯେବେ ଦେଖିବ ଚଉଠି ଚାନ୍ଦ, ବିନା ଦୋଷରେ ଲାଗିବ ଫାନ୍ଦ ।“

ଏ ସମ୍ପର୍କରେ ଅନ୍ୟ ଏକ କାହାଣୀ ରହିଛି । ଗଣେଶ ମହାଭାରତ ଲେଖୁଥିଲେ । ଲେଖୁ ଲେଖୁ ତାଙ୍କ ଲେଖନୀ ଭାଙ୍ଗିଗଲା । ଏଣୁ ଗଣେଶ ବିରକ୍ତ ହୋଇ ତାଙ୍କର ଗୋଟିଏ ଦାନ୍ତକୁ ଭାଙ୍ଗି ତାକୁ ଲେଖନୀ ରୂପେ ବ୍ୟବହାର କରିଥିଲେ ।

ପୁରାଣରୁ ଅନ୍ୟ ଏକ କାହାଣୀ ମଧ୍ୟ ଶୁଣିବାକୁ ମିଳେ । ଏକଦା ମହାଦେବ ବିଶ୍ରାମ ନେଉଥିଲେ । ସେତିକିବେଳେ ପର୍ଶୁରାମ ତାଙ୍କୁ ଭେଟିବା ପାଇଁ ଆସିଲେ । ଗଣେଶ ପିତାଙ୍କ ବିଶ୍ରାମରେ ବ୍ୟାଘାତ ସୃଷ୍ଟିହେବ ଭାବି ପର୍ଶୁରାମଙ୍କୁ ରାସ୍ତା ଛାଡିଲେ ନାହିଁ । ପର୍ଶୁରାମ ମହାଦେବଙ୍କୁ ସାକ୍ଷାତ କରିନପାରିବାରୁ ଅପମାନିତ ଅନୁଭବ କଲେ । ନିଜର କ୍ରୋଧ ସମ୍ଭାଳି ନପାରି ଗଣେଶଙ୍କ ସହିତ ଯୁଦ୍ଧ କରିବାକୁ ଲାଗିଲେ । ଏହି ସମୟରେ ପର୍ଶୁରାମଙ୍କ କୁଠାରାଘାତରେ ଗଣେଶଙ୍କ ଏକ ଦାନ୍ତ ଭାଙ୍ଗି ଯାଇଥିଲା ।

କାହାଣୀ- ଡକ୍ଟର ଯୁଗଳ କିଶୋର ଷଡଙ୍ଗୀ

ଅନ୍ୟାନ୍ୟ ଖବର

ପାଣିପାଗ

Odisha
clear sky
32.1 ° C
32.1 °
32.1 °
40 %
0.5kmh
0 %
Wed
38 °
Thu
39 °
Fri
40 °
Sat
41 °
Sun
42 °

ସମ୍ବନ୍ଧିତ