ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଭାବର ଠାକୁର । ଭାବ ଥିଲେ ତାଙ୍କୁ ପାଇବା ହୋଇଯାଏ ସହଜ । ଏହି ଭାବକୁ ନେଇ ପୁରୀରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ଗୁପ୍ତ ଗୁଣ୍ଡିଚା ଯାତ୍ରା । ନୀଳାଦ୍ରୀବିଜେ ଦିନ ମା ଲକ୍ଷ୍ମୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ଗୁପ୍ତ ଗୁଣ୍ଡିଚା ଯାତ୍ରା କରୁଛନ୍ତି ମହାପ୍ରଭୁ । ଶ୍ରୀକ୍ଷେତ୍ରରେ ଦୁର୍ଗାମାଧବ ଉପାସନାର ଆଜିଠାରୁ ଗୁପ୍ତଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି । ଶ୍ରୀଜଗନ୍ନାଥ ଏହି ଯାତ୍ରାରେ ମା’ ମହାଲକ୍ଷ୍ମୀ ସ୍ବରୂପା ମା’ ଦୁର୍ଗାଙ୍କୁ ସାଙ୍ଗରେ ନେଇ ଦୋଳମଣ୍ଡପ ସାହି ସ୍ଥିତ ନାରାୟଣୀ ମନ୍ଦିରକୁ ଆଗାମୀ ଆଠ ଦିନ ପର୍ଯ୍ୟନ୍ତ ବିଜେ କରିଥାନ୍ତି । ଲୋକକଥା ଅନୁସାରେ ମା’ ଲକ୍ଷ୍ମୀଙ୍କୁ ରଥଯାତ୍ରା ନେଇ ନଥିବା ହେତୁ ନୀଳାଦ୍ରି ବିଜେ ଦିନ ଅଭିମାନିନୀ ମା’ ଲକ୍ଷ୍ମୀଙ୍କୁ ଗୁପ୍ତଗୁଣ୍ଡିଚା ନେବା ପାଇଁ ପ୍ରତିଶୃତି ପାଳନ ପୂର୍ବକ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରି ଏହି ନିଆରା ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି । ଯାହାକୁ ଦର୍ଶନ କରି ଭକ୍ତମାନେ କୃତାର୍ଥ ଲାଭ କରୁଛନ୍ତି ।
ଆଶ୍ବିନ ମାସରେ ଷୋଳପୂଜା ସମୟରେ ପ୍ରଥମ ଆଠ ଦିନ ଦୁର୍ଗା ମାଧବ ଶ୍ରୀମନ୍ଦିର ପରିସରରେ ଥିବା ମା’ ବିମଳାଙ୍କ ମନ୍ଦିର ଜଗମୋହନରେ ପୂଜା ପାଉଥିବା ବେଳେ ଶେଷ ୮ ଦିନ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି । ଶାକ୍ତ ଗୁଣ୍ଡିଚା ବା ଗୁପ୍ତ ଗୁଣ୍ଡିଚା ଭାବେ ଅଭିହିତ ଏହି ନିଆରା ପାରମ୍ପରିକ ଯାତ୍ରା କାହିଁ ପ୍ରାଚୀନ କାଳରୁ ଅନୁଷ୍ଠିତ ହୋଇଆସୁଛି । ଦୁର୍ଗାମାଧବ ଉପାସନାର ପ୍ରତୀକ ସ୍ୱରୂପ ଶ୍ରୀଜଗନ୍ନାଥ ଗୁପ୍ତଗୁଣ୍ଡିଚାରେ ମା’ ମହାଲକ୍ଷ୍ମୀ ସ୍ବରୂପା ମା’ ଦୁର୍ଗାଙ୍କୁ ନେଇ ବିଜେ କରନ୍ତି ।
ଆଜି ସକାଳ ଧୂପ ନୀତି ପରେ ଦୁର୍ଗାମାଧବଙ୍କୁ ସ୍ୱତନ୍ତ୍ର ବିମାନରେ ବିଜେ କରାଯାଇଥିଲା । ବିଜେ ସମୟରେ ଘଣ୍ଟ ଛତା ବିଜେ କାହାଳି ବଜାଯାଇ ଶ୍ରୀମନ୍ଦିରରୁ ଦୋଳମଣ୍ଡପ ସାହି ନାରାୟଣୀ ମନ୍ଦିରକୁ ବିଜେ କରାଯାଇଥିଲା । ସେଠାରେ ପହଞ୍ଚିବା ପରେ ସ୍ୱତନ୍ତ୍ର ଉପଚାରରେ ପୂଜାର୍ଚ୍ଚନା କରାଯାଇଥିବାବେଳେ ନାରାୟଣୀ ମନ୍ଦିରରେ ଦୁର୍ଗା ମାଧବ ଅବସ୍ଥାନ କରିଥିଲେ । ସ୍ୱତନ୍ତ୍ର ଭାବେ ଏଠାରେ ତାଙ୍କୁ ମାଣ୍ଡୁଆ ଓ ଖଇକୋରା ଭୋଗ ଲାଗି କରାଯିବାର ବିଧି ରହିଥିବା ବେଳେ ଏହି ନିଆରା ପରମ୍ପରାକୁ ଦର୍ଶନ କରି ଭକ୍ତ ମାନେ ବିଭୋର ହୋଇପଡିଥିଲେ ।
ଶାରଦୀୟ ଦୁର୍ଗାଉତ୍ସବରେ ନିଆରା ଓ ଅନନ୍ୟ ଏହି ପରମ୍ପରା ଏବେ ବି ବିଧି ଅନୁସାରେ ପାଳିତ ହୋଇଆସୁଛି । ତେବେ ଶ୍ରୀମନ୍ଦିରରେ ଚନ୍ଦନଲାଗି ନୀତି ବଢିବା ପରେ ନାରାୟଣୀ ମନ୍ଦିରରୁ ଦୁର୍ଗାମାଧବ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।