Sunday, February 1, 2026
19.9 C
Odisha

    ଗ୍ରୀନ୍‌ଲାଣ୍ଡ ଦଖଲ ଯୋଜନା: ଆମେରିକା ହାତରେ ୪ ବିକଳ୍ପ

    ଆଗକୁ ପଢନ୍ତୁ

    ୱାଶିଂଟନ : ତୈଳ ସମ୍ପଦରେ ଭରା ଭେନେଜୁଏଲା ଉପରେ ପ୍ରଭୁତ୍ବ ବିସ୍ତାର କରିବା ପରେ ଆମେରିକାର ଲୋଲୁପ ଦୃଷ୍ଟି ବର୍ତ୍ତମାନ ଉତ୍ତର ମେରୁ ନିକଟରେ ଅବସ୍ଥିତ ଗ୍ରୀନଲାଣ୍ଡ ଉପରେ ପଡିଛି। ସାଧାରଣ ଲୋକଙ୍କ ପାଇଁ ଗ୍ରୀନଲାଣ୍ଡ ଏକ ବରଫାବୃତ୍ତ ଦେଶ ଭାବେ ପରିଗଣିତ ହେଉଥିଲେ ସୁଦ୍ଧା ସେଠାରେ ଗଚ୍ଛିତ ଥିବା ପ୍ରଚୁର ପରିମାଣର ଖଣିଜ ସମ୍ପଦ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଳାୟିତ କରିଛି। ଗ୍ରୀନଲାଣ୍ଡ ବର୍ତ୍ତମାନ ଡେନମାର୍କ ଅଧୀନରେ ରହିଛି। ଏହି ପରିପ୍ରେକ୍ଷୀରେ ଗ୍ରୀନଲାଣ୍ଡକୁ ଆମେରିକା କବ୍‌ଜା କରିବା ଯୋଜନା ଡେନମାର୍କ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଉଭୟ ଆମେରିକା ଓ ଡେନମାର୍କ ସାମରିକ ସଂଗଠନ ନାଟୋ (ନର୍ଥ ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ)ର ସଦସ୍ୟ ହୋଇଥିବାବେଳେ ଟ୍ରମ୍ପଙ୍କ ଏଭଳି ଯୋଜନା ନାଟୋର ମୂଳ ଲକ୍ଷ୍ୟକୁ ପ୍ରଭାବିତ କରିପାରେ ବୋଲି କୂଟନୈତିକ ମହଲ ଆଶଙ୍କା ବ୍ୟକ୍ତ କରିଛନ୍ତି। ନିକଟରେ ଏହି ପ୍ରସଙ୍ଗରେ ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡେରିକ୍‌ସେନ ଆମେରିକାକୁ କଡା ଚେତାବନୀ ଦେଇଛନ୍ତି।

    ଗ୍ରୀନଲାଣ୍ଡ ମାଟିରେ କୌଣସି ବିଦେଶୀ ସୈନ୍ୟଙ୍କୁ ଦେଖିବାମାତ୍ରେ ତୁରନ୍ତ ଗୁଳିଚାଳନା କରାଯିବ ବୋଲି ଫ୍ରେଡେରିକ ସ୍ପଷ୍ଟ ଘୋଷଣା କରିଛନ୍ତି। ଏପଟେ ଟ୍ରମ୍ପ କହିଛନ୍ତି ଯେ ଯଦି ଗ୍ରୀନଲାଣ୍ଡକୁ ସହଜ ଉପାୟରେ ଅକ୍ତିଆର କରିନହେବ, ତାହାହେଲେ ଆମକୁ କଡା ପଦକ୍ଷେପ ଗ୍ରହଣ କରିବାକୁ ପଡିବ। ସହଜ ଉପାୟ କହିଲେ ଟ୍ରମ୍ପ ବୁଝୁଛନ୍ତି ଆପୋସ ବୁଝାମଣା। ଯଦି ଏହି ପ୍ରସ୍ତାବରେ ଡେନମାର୍କ କିମ୍ବା ଗ୍ରୀନଲାଣ୍ଡବାସୀ ରାଜି ନ ହୁଅନ୍ତି, ତେ​ବେ ଭେନେଜୁଏଲା ଭଳି ସାମରିକ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ବୋଲି ଟ୍ରମ୍ପ ଆଗୁଆ ସଙ୍କେତ ଦେଇସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରୀନଲାଣ୍ଡକୁ କବ୍‌ଜା କରିବାକୁ ଆମେରିକା ନିକଟରେ ଚାରିଟି ବିକଳ୍ପ ରହିଛି।

    ସାମରିକ କାର୍ଯ୍ୟାନୁଷ୍ଠାନ : ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଜରିଆରେ ଗ୍ରୀନଲାଣ୍ଡ ଅକ୍ତିଆର କରିବା ଅତ୍ୟନ୍ତ ସହଜ। ଗ୍ରୀନଲାଣ୍ଡ ବିଶ୍ବର ବୃହତ୍ତମ ଦ୍ବୀପ ହୋଇଥିବାବେଳେ ଏହାର ଜନସଂଖ୍ୟା ହେଉଛି ମାତ୍ର ୫୭ ହଜାର। ପୁନଶ୍ଚ ଗ୍ରୀନଲାଣ୍ଡର ନିଜସ୍ବ ସେନା ନଥିବାବେଳେ ଡେନମାର୍କ ଏହାର ସୁରକ୍ଷା ଦାୟିତ୍ବ ବହନ କରୁଛି। ତେବେ ଆମେରିକାକୁ ତୁଳନା କଲେ ଡେନମାର୍କର ସାମରିକ ଶକ୍ତି ଅତି ନଗଣ୍ୟ। ଏହି ପରିପ୍ରେକ୍ଷୀରେ ଆମେରିକା ଅନାୟାସରେ ଗୀନଲାଣ୍ଡକୁ କବ୍‌ଜା କରିବା ସ୍ବାଭାବିକ। ତେବେ ବଳପୂର୍ବକ ଗ୍ରୀନଲାଣ୍ଡକୁ ଅକ୍ତିଆର କରାଗଲେ ନାଟୋ ସଂଗଠନରେ ଫାଟ ସୃଷ୍ଟି ହେବା ନିଶ୍ଚିତ। ଡେନମାର୍କ ନାଟୋ ସଦସ୍ୟ ହୋଇଥିବାରୁ ଅନ୍ୟ ସଦସ୍ୟ ରାଷ୍ଟ୍ର ଏହାକୁ କିପରି ଗ୍ରହଣ କରିବେ, ତାହା ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ସଂଗଠନରେ ଫାଟ ସୃଷ୍ଟି କରିବ। ଅବଶ୍ୟ ଟ୍ରମ୍ପଙ୍କ ସାମରିକ କାର୍ଯ୍ୟାନୁଷ୍ଠାନକୁ ଆମେରିକାର ଡେମୋକ୍ରାଟ ଓ ରିପବ୍ଲିକାନ ମାନେ ସମର୍ଥନ କରିନପାରନ୍ତି।

    ଦ୍ବିପାକ୍ଷିକ ରାଜିନାମା : ନିକଟରେ ଆମେରିକାର ଏକ ଉଚ୍ଚସ୍ତରୀୟ ପ୍ରତିନିଧିମଣ୍ଡଳ ଡେନମାର୍କ ଓ ଗ୍ରୀନଲାଣ୍ଡ ପ୍ରତିନିଧିଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିସାରିଛନ୍ତି। ଯଦି ସେମାନେ ଆମେରିକା ପ୍ରସ୍ତାବକୁ ସ୍ବୀକାର କରନ୍ତି ତେବେ ପ୍ରତ୍ୟେକ ଗ୍ରୀନଲାଣ୍ଡବାସୀଙ୍କୁ ୧ ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରାଯିବ ବୋଲି ଟ୍ରମ୍ପ ପୂର୍ବରୁ ଘୋଷଣା କରିସାରିଛନ୍ତି। ଗ୍ରୀନଲାଣ୍ଡବାସୀ ଅବଶ୍ୟ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ଗ୍ରୀନଲାଣ୍ଡ ବିକ୍ରି ଯୋଗ୍ୟ ନୁହଁ ବୋଲି ସ୍ପଷ୍ଟ କରିଛନ୍ତି। ପାଲାଉ, ମାଇକ୍ରୋନେସିଆ, ମାର୍ଶାଲ ଦ୍ବୀପପୁଞ୍ଜ ଭଳି ଗ୍ରୀନଲାଣ୍ଡକୁ କୋଫା (କମ୍ପାକ୍ଟ ଅଫ୍‌ ଫ୍ରି ଆସୋସିଏସନ)ରେ ସାମିଲ କରିବାକୁ ମଧ୍ୟ ଆମେରିକା ଚିନ୍ତା କରୁଛି। ଯଦି ଏହା ସାକାର ହୁଏ, ତେବେ ଗ୍ରୀନଲାଣ୍ଡରେ ଆମେରିକାର ସାମରିକ ଉପସ୍ଥିତି ବଜାୟ ରହିବା ସହ ଗ୍ରୀନଲାଣ୍ଡକୁ ବାର୍ଷିକ ୭ ବିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ କରିବ।

    ଗ୍ରୀନଲାଣ୍ଡବାସୀଙ୍କୁ ପ୍ରଭାବିତ କରିବା : ଗ୍ରୀନଲାଣ୍ଡବାସୀ ସ୍ବାଧୀନତା ଚାହୁଁଥିବାବେଳେ ସେମାନଙ୍କର ଅଧିକାର ସୁରକ୍ଷିତ ରଖିବାକୁ ବ୍ୟାକୁଳ ଅଛନ୍ତି। ଏହି ପରିପ୍ରେକ୍ଷୀରେ ଗ୍ରୀନଲାଣ୍ଡବାସୀଙ୍କୁ ପ୍ରଭାବିତ କରିବାକୁ ଆମେରିକା ଉଦ୍ୟମ କରିପାରେ। ତେବେ ଆମେରିକାର ଅଂଶବିଶେଷ ହେବାକୁ ଗ୍ରୀନଲାଣ୍ଡବାସୀ ଆନ୍ତରିକଭାବେ ଚାହୁଁ ନାହାନ୍ତି। ଟ୍ରମ୍ପ ପ୍ରଶାସନର ତିନିଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ବ ଗ୍ରୀନଲାଣ୍ଡବାସୀଙ୍କୁ ପ୍ରବର୍ତ୍ତାଇବାକୁ ଚକ୍ରାନ୍ତ ଚଳାଇଥିବା ଡେନମାର୍କ ଅଭିଯୋଗ କରିଛି।

    ଡେନମାର୍କ ସହ ରାଜିନାମା : ସାମରିକ କାର୍ଯ୍ୟାନୁଷ୍ଠାନ ଏକ ଫଳପ୍ରଦ ବିକଳ୍ପଭାବେ ଦୃଶ୍ୟମାନ ହେଉନଥିବାରୁ ଗ୍ରୀନଲାଣ୍ଡ ଅକ୍ତିିଆର କରିବା ନିମନ୍ତେ ଡେନମାର୍କ ସହ ଦୀର୍ଘମିଆଦୀ ରାଜିନାମା ସ୍ବାକ୍ଷର କରିବା ଆମେରିକା ପାଇଁ ସଫଳ ପଦକ୍ଷେପ ହୋଇପାରେ। ଏହାଦ୍ବାରା ଆମେରିକା ଗ୍ରୀନଲାଣ୍ଡରେ ସାମରିକ ଘାଟି ପ୍ରତିଷ୍ଠା କରିବା ସହ ଖଣିଜ ସମ୍ପଦ ହାସଲ ଉଦ୍ଦେଶ୍ୟ ମଧ୍ୟ କିଛି ମାତ୍ରାରେ ପୂରଣ କରିପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    19.9 ° C
    19.9 °
    19.9 °
    49 %
    2kmh
    100 %
    Sun
    19 °
    Mon
    31 °
    Tue
    31 °
    Wed
    32 °
    Thu
    33 °

    ସମ୍ବନ୍ଧିତ