Thursday, February 12, 2026
16.2 C
Odisha

    ଘରେ ଘରେ ‘ସୁଭଦ୍ରା’

    ଆଗକୁ ପଢନ୍ତୁ

    ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଳଭଦ୍ରଙ୍କର ଅତି ଅଲିଅଳୀ ଭଉଣୀ ସୁଭଦ୍ରା। ସେ ହିଁ ଶକ୍ତି ସ୍ବରୂପିଣୀ, ଶକ୍ତିରୂପା, ଯୋଗମାୟା ତଥା ମହାମାୟୀ ଦୁର୍ଗା। ଆଜି ଆମ ରାଜ୍ୟରେ ନୂତନ ସରକାର ଦାୟିତ୍ବ ନେଲାପରେ, ପ୍ରଥମ ଦିନର ପ୍ରଥମ ବୈଠକରେ ନିଷ୍ପତ୍ତି ନେଲେ ଯେ ପ୍ରଦେଶର ଭଉଣୀମାନଙ୍କୁ ବାସ୍ତବରେ ଶକ୍ତି ସ୍ବରୂପା କରିବାକୁ ‘ସୁଭଦ୍ରା’ ଯୋଜନାର କ୍ରିୟାନ୍ବୟନ କରାଯାଉ। ଏହା ଏକ ଯୁଗାନ୍ତକାରୀ ନିଷ୍ପତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଓଡିଶାରେ ଆଜି ପର୍ଯ୍ୟନ୍ତ ହୋଇଥିବା ସମସ୍ତ ଜନହିତକାରୀ କାର୍ଯ୍ୟକ୍ରମ ମଧ୍ୟରେ ସର୍ବାଧ‌ିକ ହିତାଧିକାରୀଙ୍କର ସଂଖ୍ୟା, ସର୍ବବ୍ୟାପୀ ଏବଂ ସୁଦୀର୍ଘ ସମୟ ଧରି ଚାଲିବା ଭଳି କୌଣସି ଏକ ଯୋଜନା ଏହା ପୂର୍ବରୁ କେବେ ହୋଇନଥିଲା। ଏକ କୋଟିରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ କୌଣସି ବି ସରକାର ଏକ ଯୋଜନା ମାଧ୍ୟମରେ କେବେ ସ୍ପର୍ଶ କରିନଥିଲେ। ଏହାର ପ୍ରକ୍ରିୟା ଆରମ୍ଭ ହେଲା ବେଳକୁ ବିରୋଧୀ ରାଜନୈତିକ ଦଳଙ୍କଠାରୁ ଆରମ୍ଭ କରି ବିଭିନ୍ନ ବୁଦ୍ଧିଜୀବୀ ବନ୍ଧୁ, ଗଣମାଧ୍ୟମର ବନ୍ଧୁମାନେ ଓ ସମୀକ୍ଷକମାନେ ବହୁ ତର୍କ ଉପସ୍ଥାପନ କରି ପ୍ରମାଣ କରିବାକୁ ଚେଷ୍ଟା କଲେ ଯେ ସରକାର ଏଥିରେ ଫେଲ୍‌ ମାରିବେ ଏବଂ ମହିଳାମାନଙ୍କୁ ପ୍ରତାରଣା କରିବେ। ସେମାନଙ୍କର ପ୍ରଶ୍ନଥିଲା, ଏହାକୁ କାର୍ଯ୍ୟାନ୍ବୟନ କରିବାକୁ ଆବଶ୍ୟକ ୬୫୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ବ ଅର୍ଥ ସରକାର ଆଣିବେ କେଉଁଠୁ? ଆମ ପାଖରେ ଏହାର ଏକମାତ୍ର ଉତ୍ତର ଥିଲା ‘ଦୃଢ ରାଜନୈତିକ ଇଛାଶକ୍ତି ଥିଲେ ସରକାରଙ୍କ ନିକଟରେ ସବୁ ସମ୍ଭବ। କୌଣସି ବାଧାବିଘ୍ନ ଆମକୁ ଅଟକାଇପାରିବ ନାହିଁ।’
    ଆଜି ଯେତେବେଳେ ସୁଭଦ୍ରା ଯୋଜନାର ପ୍ରାରମ୍ଭ ହୋଇସାରିଛି, ଭଉଣୀମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଆବେଦନ କରିବା ଆରମ୍ଭ କରିଛନ୍ତି ଏବଂ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ କରକମଳରେ ଏହା ଉଦ୍‌ଘାଟିତ ହୋଇ ସମସ୍ତ ହିତାଧିକାରୀଙ୍କର ବ୍ୟାଙ୍କ ଆକାଉଣ୍ଟକୁ ଯୋଜନାର ପ୍ରଥମ କିସ୍ତି ୫୦୦୦ ଟଙ୍କା ଯିବାର ସମସ୍ତ ପ୍ରାବଧାନ କରାଯାଉଛି, ସେତେବେଳେ ସେହି ସମାଲୋଚକମାନେ ବି ଆଜି ତାରିଖରେ ପ୍ରଶଂସା କରିବାକୁ କାର୍ପଣ୍ୟ ଦେଖାଉ ନାହାନ୍ତି।
    ତେବେ ଏଇ ଭିତରେ କିଛି ବନ୍ଧୁ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ କିଛି ମିଥ୍ୟା ପ୍ରଚାର କରି ଏହି ଅଭିନବ ଯୋଜନାର ନିନ୍ଦୁକ ସାଜିଛନ୍ତି। ଯଥା ବର୍ଷକୁ ଦଶ ହଜାର ଟଙ୍କାର ଆର୍ଥିକ ସହାୟତାରେ କ’ଣ ଲାଭ ମିଳିବ, ଯୋଜନାର ସୁବିଧା ହୁଏତ ବହୁତ କମ୍‌ ଲୋକଙ୍କୁ ମିଳିବ, ଆଧାର ଲିଙ୍କ କରିବାକୁ ଦୁର୍ନୀତି ହେଉଛି ଏବଂ ଏ ଟଙ୍କା ଭବିଷ୍ୟତରେ ସୁଝିବାକୁ ପଡ଼ିବ ଇତ୍ୟାଦିର ମିଛ ପ୍ରଚାର ଅନେକ ଚାଲିଛି। ଏହା ସମ୍ପୂର୍ଣ ଭାବେ ଯେ ଅମୂଳକ ଓ ଉଦ୍ଦେଶ୍ୟ ପ୍ରଣୋଦିତ, ତାହା ସ୍ପଷ୍ଟ ଜଣାପଡୁଛି ଏବଂ ଆମ ରାଜ୍ୟର ମାଆ ଭଉଣୀମାନେ ସୁଭଦ୍ରା ଯୋଜନାର ସତ୍ୟତା ବାବଦରେ ମଧ୍ୟ ଅବଗତ ଅଛନ୍ତି।
    କିଛିଦିନ ତଳେ ବିଭାଗୀୟ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାୟକ ଓ ମୁଁ ଗୋଟିଏ ଜାଗାରେ ବସିବା ଭିତରେ ଶ୍ରୀମତୀ ପରିଡା ବାରିପଦାର ଜଣେ ବନ୍ଧୁଙ୍କୁ ପଚାରିଲେ ‘୫/୧୦ ହଜାରରେ ଜଣେ ମୁଢି ତିଆରି ବ୍ୟବସାୟ ଆରମ୍ଭ କରିପାରିବ କି?’ ବନ୍ଧୁ ଜଣଙ୍କର ଉତ୍ତର ବହୁ ସକାରାତ୍ମକ ଥିଲା। ମୋର ମତ, ବର୍ଷକୁ ଦଶ ହଜାର ଟଙ୍କା ସହାୟତା ଭାବେ ପାଇବା ନିଶ୍ଚିତ ଭାବେ ଜଣେ ମହିଳାଙ୍କର ମନୋବଳକୁ ସୁଦୃଢ କରିବ। ସେମାନଙ୍କର ଆର୍ଥିକ ମେରୁଦଣ୍ଡକୁ ସଶକ୍ତ କରିବ। ଅନେକ ହୁଏତ ଏହାକୁ ପିଲାଙ୍କର ପାଠପଢ଼ା ପାଇଁ ଖର୍ଚ କରିବେ ବୋଲି ମତ ଦେଉଛନ୍ତି, କିନ୍ତୁ ଯେଉଁ ଭଉଣୀମାନଙ୍କର ସାମାନ୍ୟ ଉଦ୍‌ଯୋଗୀ ବୁଦ୍ଧି ଯୁବ, ସେମାନେ ଅନେକ ପ୍ରକାରର ବୃତ୍ତି ବା ବ୍ୟବସାୟ ଆରମ୍ଭ କରିପାରିବେ। ପ୍ରତି ଘରେ ଜଣେ, ଦୁଇଜଣ, ତିନିଜଣ, ଚାରିଜଣ ଏହି ସହାୟତା ପାଉଥ‌ିବାରୁ ଏହାକୁ ଆଗକୁ ନେବା ବି ସବୁ ଦିଗରୁ ସେମାନଙ୍କୁ ସୁବିଧା ହେବ। ବିଭିନ୍ନ ସ୍ଥାନରେ ଭଉଣୀମାନଙ୍କ ସହ କଥାବାର୍ତ୍ତାରେ ମୋର ଯାହା ଆକଳନ ହେଲା, ଦୁଇ ତିନି ଜଣ ଭଉଣୀ ମିଶିଲେ ସୁଭଦ୍ରା ଯୋଜନା ସହାୟତା ଅର୍ଥରେ ବି ବିନା ବ୍ୟାଙ୍କରଣରେ ସେମାନେ ଉଦ୍ୟାନ କୃଷି ଉତ୍ପାଦ, ଛତୁ ଚାଷ, ଦେଶୀ କୁକୁଡ଼ା ପାଳନ, ମହୁ ଚାଷ, ଖଲିପତ୍ର ପ୍ଲେଟ ତିଆରି, କ୍ଷୁଦ୍ର ମସଲା ତିଆରି କାରଖାନା, ଘଣା ତେଲ ଉତ୍ପାଦନ, ଖାଦ୍ୟ ପ୍ରକ୍ରିୟାକରଣ, ମାଛ ପ୍ରକ୍ରିୟାକରଣ, ଶୁଖୁଆ ପ୍ରସ୍ତୁତି, ଜଳଖିଆ ଦୋକାନ, ଲୁଗାବୁଣା ବ୍ୟବସାୟ, ବିଭିନ୍ନ ହସ୍ତଶିଳ୍ପର ବ୍ୟବସାୟ, ଟେରାକୋଟାଠାରୁ ଆରମ୍ଭ କରି ୧୦୦୧ ପ୍ରକାରର ବିଭିନ୍ନ କ୍ଷୁଦ୍ର ବା ଅଣୁ ବ୍ୟବସାୟ ଆରମ୍ଭ କରିପାରିବେ। ସୁଭଦ୍ରା ଯୋଜନାର ସମ୍ପୂର୍ଣ ସହାୟତା ତାଙ୍କର ମନୋବଳ ବଢ଼ାଇବା ସହ ୮-୧୦ ହଜାର ମାସିକ ରୋଜଗାର ପାଇଁ ରାସ୍ତା ମଧ୍ୟ ଦେଖାଇବ। ଯେଉଁମାନେ ବିଭିନ୍ନ ଉଦ୍‌ଯୋଗରେ ସଫଳ ହେବେ, ତାଙ୍କୁ ଆହୁରି ଆଗକୁ ନେବାପାଇଁ ହୁଏତ ରାଜ୍ୟ ସରକାର ଆଗାମୀ ଦିନରେ ସୁଭଦ୍ରା ଯୋଜନାର ପରବର୍ତୀ ପର୍ଯ୍ୟାୟକୁ ଯାଇ ସେମାନଙ୍କୁ ହ୍ୟାଣ୍ଡ ହୋଲଡିଂ ସାହାଯ୍ୟଠାରୁ ଆରମ୍ଭ କରି ସଫଳ ବ୍ୟବସାୟୀ ଭାବେ ପ୍ରତିଷ୍ଠିତ କରିବାକୁ ଅନେକ ପଦକ୍ଷେପ ନେଇପାରନ୍ତି, ଯାହାଦ୍ବାରା ଅଧିକରୁ ଅଧ‌ିକ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିବେ। ମା’ ଓ ଭଉଣୀମାନଙ୍କୁ ଶକ୍ତିଧାତ୍ରୀ ତଥା ସ୍ବୟଂସିଦ୍ଧ। କରିବାକୁ ହୁଏତ ଏହି ଯୋଜନାଠୁ ଭଲ ପରିକଳ୍ପନା ନା ଅତୀତରେ କେବେ ଥିଲା, ନା ଆଗକୁ କେବେ ହେବ।
    ଏହି ଯୋଜନାର ଉଦ୍‌ଘୋଷଣା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ସୁଭଦ୍ରା ଟିମକୁ ଏହାର ଯୋଜନାବଦ୍ଧ କ୍ରିୟାନ୍ବୟନ ପ୍ରକ୍ରିୟା ପାଇଁ ଧନ୍ୟବାଦ ନ ଜଣାଇଲେ ଅକୃତଜ୍ଞତା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.2 ° C
    16.2 °
    16.2 °
    63 %
    1.5kmh
    0 %
    Thu
    32 °
    Fri
    33 °
    Sat
    34 °
    Sun
    34 °
    Mon
    33 °

    ସମ୍ବନ୍ଧିତ