Tuesday, March 31, 2026
25.7 C
Odisha

    ଘରୋଇ କମ୍ପାନି ସଂପ୍ରସାରଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କଠୋର: ୮୦% ସ୍ଥାନୀୟ ନିଯୁକ୍ତି ଦେଲେ ସମର୍ଥନ

    ଆଗକୁ ପଢନ୍ତୁ

    ରେଙ୍ଗାଲି: ମଙ୍ଗଳବାର ଲପଙ୍ଗାସ୍ଥିତ ଆଦିତ୍ୟ ଆଲୁମିନିୟମ କାରଖାନା ପରିସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୧ ହଜାର କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୩.୬ ଲକ୍ଷ ଟନ୍‌ କ୍ଷମତାବିଶିଷ୍ଟ ସ୍ମେଲଟର୍‌ ସମ୍ପ୍ରସାରଣ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହା ସହିତ ୪୫୦୦ କୋଟି ଟଙ୍କାରେ ବାର୍ଷିକ ୧.୭ ଲକ୍ଷ ଟନ୍‌ କ୍ଷମତା ବିଶିଷ୍ଟ ଫ୍ଲାଟ୍‌ ରୋଲ୍‌ଡ ପ୍ରଡକ୍ଟସ୍‌ (ଏଫ୍‌ଆର୍‌ପି) ଏବଂ ବ୍ୟାଟେରି-ଗ୍ରେଡ୍‌ ଆଲୁମିନିୟମ ଫଏଲ ଉତ୍ପାଦନ କାରଖାନାର ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଛନ୍ତି।ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲାକୁ ସମୃଦ୍ଧ କରିବାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିଛି। ତେବେ କଂପାନି ପକ୍ଷରୁ ସ୍ଥାନୀୟ ନିଯୁକ୍ତି ପ୍ରତି ଗୁରୁତ୍ୱ ଦିଆଯାଉ ନଥିବାରୁ ଜନପ୍ରତିନିଧି ଓ ସ୍ଥାନୀୟ ଲୋକେ ଅସନ୍ତୁଷ୍ଟ। କଂପାନି କର୍ତ୍ତୃପକ୍ଷ ଏବେ ୬୫୦୦ ଲୋକଙ୍କୁ ନିଯୁକ୍ତି ଦେଇଥିବା କହୁଛନ୍ତି। ସେଥିରୁ ୮୦ ପ୍ରତିଶତ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦିଆଯାଇଥିବା କୁହାଯାଉଛି। ଏହାର ହିସାବ ନିକାଶ ହେବ। ଏହି ଲକ୍ଷ୍ୟ ହାସଲ ହୋଇଥିଲେ, ଆମେ କାରଖାନା ସଂପ୍ରସାରଣରେ ସମର୍ଥନ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେହିଭଳି ଜନ ପ୍ରତିନିଧିମାନଙ୍କ ପରାମର୍ଶକୁ ଦୃଷ୍ଟିରେ ରଖି ସିଏସ୍‌ଆର୍ କାମ ତ୍ବରାନ୍ବିତ କରିବାକୁ କଂପାନି କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିଲେ ଯେ ସ୍ଥାନୀୟ ନିଯୁକ୍ତି କେବଳ ସମ୍ବଲପୁର ପାଇଁ ନୁହେଁ; ରାଜ୍ୟର ଅନ୍ୟ ଶିଳ୍ପାନୁଷ୍ଠାନଗୁଡ଼ିକ କ୍ଷେତ୍ରରେ ମଧ୍ୟ ଲାଗୁ ହେବ।
    ମୁଖ୍ୟମନ୍ତ୍ରୀ କହିଥିଲେ, ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ କରାଯିବ। ଅଞ୍ଚଳକୁ ପ୍ରଦୂଷଣମୁକ୍ତ କରିବା ନିମନ୍ତେ ଯାହା ଦରକାର ରାଜ୍ୟ ସରକାର କରିବେ। ଆଗାମୀ ଦିନରେ ଓଡ଼ିଶାରେ ଶିଳ୍ପ କ୍ଷେତ୍ରରେ ୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ। ଓଡ଼ିଶାରେ ନୂଆ ଶିଳ୍ପ ପ୍ରତିଷ୍ଠା ଜରିଆରେ ୧୫ ଲକ୍ଷ ନୂଆ ନିଯୁକ୍ତି ସୃଷ୍ଟି ହେବ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ, ବିସ୍ଥାପନ ଯେମିତି ଯନ୍ତ୍ରଣାଦାୟକ ନ ହେବ, ତାହାକୁ ଦୃଷ୍ଟିରେ ରଖି ରାଜ୍ୟରେ ନୂଆ ଆର୍‌ଓଆର୍‌ ନୀତି ଆସିବାକୁ ଯାଉଛି। ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ସ୍ଥାନୀୟ ନିଯୁକ୍ତିକୁ ନେଇ କଂପାନି ଉପରେ ବର୍ଷିଥିଲେ। ଶିଳ୍ପମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ୱାଇଁ, ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ପୂର୍ବତନ ବିଧାୟକ ନାଉରୀ ନାୟକ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ପ୍ରମୁଖ ମଞ୍ଚାସୀନ ଥିଲେ।
    ଏହି ଅବସରରେ ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍‌ର ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ କହିଲେ, ହିଣ୍ଡାଲ୍‌କୋ ପକ୍ଷରୁ ଓଡ଼ିଶା ନିମନ୍ତେ ପ୍ରାୟ ୩୭,୦୦୦ କୋଟି ଟଙ୍କାର ଯୋଜନା ରହିଛି। ଏହି ପ୍ରକଳ୍ପ ଦ୍ୱାରା ରାଜ୍ୟରେ ପ୍ରାୟ ୧୫ ହଜାରରୁ ଅଧିକ ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଆଶା କରାଯାଉଛି। ନୂଆକରି କାର୍ଯ୍ୟକ୍ଷମ ହୋଇଥିବା ଏଫ୍‌ଆର୍‌ପି ଏବଂ ବ୍ୟାଟେରି-ଗ୍ରେଡ୍‌ ଆଲୁମିନିୟମ ଫଏଲ୍‌ କାରଖାନା ଦେଶରେ ଏହି ଧରଣର ପ୍ରଥମ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ