Saturday, October 10, 2026
22.4 C
Odisha

    ଘସିପୁରାର ଅନ୍ୟାୟ, ଗୁଣ୍ଡାଗିରି ବିରୋଧୀ ଯୁଦ୍ଧରେ ସାମିଲ ହେଲି: ସୌମ୍ୟ

    ଆଗକୁ ପଢନ୍ତୁ

    କେନ୍ଦୁଝର/ଘଟଗାଁ: ଘସିପୁରାରେ ବହୁଦିନ ହେଲା ଗୁଣ୍ଡାଗିରି, ଅତ୍ୟାଚାର, ଅନ୍ୟାୟ ଚାଲିଛି। ଲୋକେ ଏଠାରେ ଅତିଷ୍ଠ ହେଲେଣି। ଏହି ଅନ୍ୟାୟ ବିରୋଧରେ ଯେଉଁ ଯୁଦ୍ଧ ହେବ, ସେଥିରେ ଘସିପୁରାବାସୀଙ୍କ ସହିତ ଆଜିଠୁ ସାମିଲ ହେଲି। ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଘଟଗାଁ ତାରିଣୀଙ୍କ ଦର୍ଶନ କରିବା ପରେ ଉପସ୍ଥିତ ଲୋକମାନଙ୍କୁ ଏଭଳି ପ୍ରତିଶ୍ରୁତି ଦେଇଛନ୍ତି। ବିଧାନସଭା ପ୍ରାର୍ଥିତ୍ବ ସଂପର୍କରେ ଗଣମାଧ୍ୟମ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି ଯେ ମୁଁ ବିଜେଡିରେ ଥିଲି। ଦିନେ ତାଙ୍କର ସଂପତ୍ତି ଥିଲି। କେତେବେଳେ ପୁଣି ବୋଝ ପାଲଟିଗଲି। ମୋତେ ସେମାନେ ଦଳରୁ ବହିଷ୍କାର କରିଛନ୍ତି। ଏହା ପରେ ଅନେକ ଦଳରୁ ମୋତେ ନିମନ୍ତ୍ରଣ ଆସିଛି। ତେବେ ପୂର୍ବରୁ ବନ୍ଧୁତା ଖାତିର୍‌ରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରାର୍ଥୀ ହେବା ଲାଗି ଆଲୋଚନା କରିଛନ୍ତି। ଯେହେତୁ ଘସିପୁରା ନିରଞ୍ଜନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ଏବଂ ସେ ଏଠାରୁ ଆଉ ଲଢ଼ୁନାହାନ୍ତି, ଏଣୁ ଦଳମତ ନିର୍ବିଶେଷରେ ସ୍ଥାନୀୟ ଅଞ୍ଚଳର ନେତୃବୃନ୍ଦ, ମୁରବୀ, ସାଧାରଣସେବୀ ଏହି ଅଞ୍ଚଳରୁ ପ୍ରତିନିଧିତ୍ବ ପାଇଁ ଚାପ ପକାଉଛନ୍ତି। କୌଣସି ଗୋଟିଏ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ ମା’ ତାରିଣୀଙ୍କୁ ଆଜି ଭେଟି ପ୍ରାର୍ଥନା କରିଛି ଯେ ମୋତେ ନିଷ୍ପତ୍ତି ନେବା କ୍ଷେତ୍ରରେ ସଦ୍‌ବୁଦ୍ଧି ଦିଅନ୍ତୁ।

    ଶ୍ରୀ ପଟ୍ଟନାୟକ ଆଜି ଅପରାହ୍ନ ସାଢ଼େ ୩ଟାବେଳେ ଘଟଗାଁ ମା’ ତାରିଣୀଙ୍କ ପୀଠରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଥିବା ହଜାରେରୁ ଊର୍ଦ୍ଧ୍ବ ଲୋକ ତାଙ୍କୁ ଭବ୍ୟ ସ୍ବାଗତ କରିବା ସହ ସମ୍ବର୍ଦ୍ଧନା ଦେଇଥିଲେ। ସେ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ମନ୍ଦିର ପରିସରରେ ଥିବା ରାଜା ଗୋବିନ୍ଦ ଭଞ୍ଜ ଓ ମନ୍ଦିର ପ୍ରତିଷ୍ଠାତା ଭୀମସେନ ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ସ୍ଥାନୀୟ ଏକ ‌ହୋଟେଲର ସମ୍ମିଳନୀ କକ୍ଷ‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକଙ୍କ ସହିତ ଭାବ ବିନିମୟ କରିଥିଲେ। ଶ୍ରୀ ପଟ୍ଟନାୟକ କହିଥିଲେ, ଆମେ ଓଡ଼ିଆ ଭାଷା, ଅସ୍ମିତା, ସ୍ବାଭିମାନ କଥା କହିଆସିଥିଲୁ। ମୋତେ ଆଶ୍ବସ୍ତ ଲାଗୁଛି ଯେ ଆଜି ସବୁ ନେତାମାନେ ଦଳମତ ନିର୍ବିଶେଷରେ ଏହି କଥା କହିଲେଣି। କିଏ କେଉଁ ଦଳରେ ବି ଥାନ୍ତୁ, ଜଣେ ଓଡ଼ିଆ ଭାବେ ଏହା ମୋତେ ଆନନ୍ଦିତ କରୁଛି। ଏହାଦ୍ବାରା ଓଡ଼ିଶା ଆଗକୁ ଯିବ। ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ପ୍ରାର୍ଥିତ୍ବ ସଂପର୍କରେ ଦିନେ ଦୁଇଦିନ ମଧ୍ୟରେ ସବୁକିଛି ସ୍ପଷ୍ଟ ହୋଇଯିବ। ହେଲେ ଆଜିଠୁ ମୁଁ ଆପଣମାନଙ୍କ ସହିତ ରହିଲି। ରାଜନୀତିରେ ହାରଜିତ୍‌ ଅଛି। ନିର୍ବାଚନରେ ଜଣେ ପ୍ରାର୍ଥୀ ଜିତିବ ଓ ଜଣେ ପରାଜିତ ହେବ। ମାତ୍ର ଯିଏ ପ୍ରାର୍ଥୀ ହେବାକୁ ଡରିଯିବ, ସେ ହାରିଯିବ। ତେଣୁ ସେ ପ୍ରାର୍ଥୀ ହେବାକୁ ଭୟଭୀତ ନୁ‌ହନ୍ତି ବୋଲି ସ୍ପଷ୍ଟ କରିଥିଲେ।
    ଏହି ଅବସରରେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଂଯୋଜକ ଯଜ୍ଞପ୍ରସାଦ ସାହୁ, ପୂର୍ବତନ ଘଟଗାଁ ବ୍ଲକ୍‌ ସଭାପତି ରାଜେନ୍ଦ୍ର ପଟ୍ଟନାୟକ, ଜିତେନ୍ଦ୍ର ପଲେଇ, ଗୋଲକ ବଳ, ବିଷ୍ଣୁ ବେହେରା, ବିଭୁ ଚକ୍ର, ସତ୍ୟମ ଦେହୁରୀ, ମକରଧ୍ବଜ ବେହେରା, ସରପଞ୍ଚ ରୀମାଲତା ନାୟକ, ସରପଞ୍ଚ ମୁକୁନ୍ଦ ମୁଣ୍ଡା, ସମିତି ସଭ୍ୟ ପାର୍ବତୀ ବାର୍ଲା ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ