ଚଣ୍ଡିଗଡ଼ : ପଞ୍ଜାବରେ ଆମ୍ ଆଦମୀ ପାର୍ଟିକୁ ଆଉ ଏକ ଝଟକା ଲାଗିଛି । ଦଳରୁ ନିଲମ୍ବିତ ବିଧାୟକ ତଥା ପୂର୍ବତନ ଆଇପିଏସ୍ ଅଧିକାରୀ କୁଁୱର ବିଜୟ ପ୍ରତାପ ସିଂହ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫାପତ୍ର ପଞ୍ଜାବ ବିଧାନସଭା ବାଚସ୍ପତି କୁଲତାର ସିଂହ ସନ୍ଧୱାନଙ୍କ ନିକଟକୁ ପଠାଇଛନ୍ତି ।
ଅମୃତସର ଉତ୍ତର ବିଧାନସଭା ଆସନରୁ ବିଧାୟକ ଥିବା କୁଁୱର ବିଜୟ ପ୍ରତାପ ସିଂହ ସୋମବାର ସୋସିଆଲ ମିଡିଆ ଜରିଆରେ ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିଥିଲେ । ସେ ଇସ୍ତଫାପତ୍ରର ଏକ କପି ସେୟାର କରି ଲେଖିଥିଲେ, ସେ ପଞ୍ଜାବ ବିଧାନସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତିଙ୍କୁ ପଠାଇଥିବା ଚିଠି ଅନୁସାରେ, ୧ ନଭେମ୍ବର ୨୦୨୬ରୁ ତାଙ୍କ ଇସ୍ତଫା କାର୍ଯ୍ୟକାରୀ କରିବାକୁ କହିଛନ୍ତି ।
ଯେତେବେଳେ ରବିବାର ଆମ୍ ଆଦମୀ ପାର୍ଟିର ଆଉ ଦୁଇ ବିଧାୟକ ଚେତନ ସିଂହ ଜୌଡାମାଜରା ଏବଂ ହରମୀତ ସିଂହ ପଠାନମାଜରା ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ଲଗାତାର ଏଭଳି ଘଟଣା ଯୋଗୁଁ ପଞ୍ଜାବ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି ।
ସୂଚନାଯୋଗ୍ୟ, ଗତବର୍ଷ ଜୁନ୍ ମାସରେ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ କୁଁୱର ବିଜୟ ପ୍ରତାପ ସିଂହଙ୍କୁ ୫ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା । ଶିରୋମଣି ଅକାଳୀ ଦଳ (SAD) ନେତା ବିକ୍ରମ ସିଂହ ମଜିଠିଆଙ୍କ ବିରୋଧରେ ପଞ୍ଜାବ ଭିଜିଲାନ୍ସ ବ୍ୟୁରୋର କାର୍ଯ୍ୟାନୁଷ୍ଠାନ ଏବଂ ଗିରଫଦାରୀକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ମଜିଠିଆଙ୍କୁ ଗିରଫ କରାଯାଇଥିଲା ।
କୁଁୱର ବିଜୟ ପ୍ରତାପ ସିଂହ ୨୦୨୧ ମସିହାରେ ପୋଲିସ ସେବାରୁ ସ୍ୱେଚ୍ଛାକୃତ ଅବସର ନେବା ପରେ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ଏହାପରେ ୨୦୨୨ ପଞ୍ଜାବ ବିଧାନସଭା ନିର୍ବାଚନରେ ସେ ଅମୃତସର ଉତ୍ତର ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।
