Monday, October 12, 2026
23.8 C
Odisha

    ଏସଆଇଆର୍ ସପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ବୟାନ; ବିଜେଡି କହିଲା, କଟିଛି ୨୦ ଲକ୍ଷ ଭୋଟରଙ୍କ ନାଁ

    ଆଗକୁ ପଢନ୍ତୁ

    ନିର୍ବାଚନୀ ଭୋଟର ତାଲିକାର ସ୍ୱଚ୍ଛତା ଓ ଶୁଦ୍ଧତାକୁ ନେଇ ଏସଆଇଆର୍ (SIR) ପ୍ରସଙ୍ଗରେ ରାଜ୍ୟ ରାଜନୀତି ଜୋର୍ ଧରିଛି । ଏସଆଇଆର୍ ସପକ୍ଷରେ ମୁଖ୍ୟମନ୍ତ୍ରୀ ମତ ରଖି କହିଛନ୍ତି, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ସଠିକ୍ ଭୋଟର ତାଲିକା ଅତ୍ୟନ୍ତ ଜରୁରୀ । ଗଣତନ୍ତ୍ରର ବିଶ୍ୱସନୀୟତା ରକ୍ଷା କରିବାକୁ ହେଲେ ନିର୍ବାଚନୀ ତାଲିକାରେ ଥିବା ତ୍ରୁଟି ଦୂର କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ମତରେ, ଭୋଟର ତାଲିକାରେ ଏକାଧିକ ଥର ନାଁ ରହିବା, ପୁରୁଣା ତଥ୍ୟ ଏବଂ ମୃତ ବ୍ୟକ୍ତିଙ୍କ ନାଁ ରହିବା ଏହାର ସଠିକତାକୁ ପ୍ରଭାବିତ କରିପାରେ । ଏସଆଇଆର୍ ମାଧ୍ୟମରେ ଏଭଳି ଅସଙ୍ଗତି ଚିହ୍ନଟ କରିବା ସହ ଡୁପ୍ଲିକେଟ୍ ନାଁ ହଟାଇବା, ମୃତ୍ୟୁ ଓ ବାସସ୍ଥାନ ପରିବର୍ତ୍ତନ ଅନୁସାରେ ତଥ୍ୟ ଅପଡେଟ୍ କରିବା ସମ୍ଭବ । ଏହା ସହ ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନ ପଡ଼ନ୍ତି, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଜରୁରୀ । ଏହା କେବଳ ପ୍ରଶାସନିକ ଆବଶ୍ୟକତା ନୁହେଁ, ବରଂ ନିର୍ବାଚନୀ ବ୍ୟବସ୍ଥାର ସ୍ୱଚ୍ଛତା ସହ ଜଡ଼ିତ ବୋଲି ସେ ମତ ଦେଇଛନ୍ତି ।
    ମୁଖ୍ୟମନ୍ତ୍ରୀଙ୍କ ବୟାନ ପରେ ବିଜେପି ମଧ୍ୟ ଏହି ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିଛି। ବିଜେପି ସଭାପତି ତଥା ସାଂସଦ ମନମୋହନ ସାମଲ କହିଛନ୍ତି, ଏସଆଇଆର୍‌କୁ ନେଇ ମୁଖ୍ୟମନ୍ତ୍ରୀ ନିଜ ମତ ସ୍ପଷ୍ଟ କରିଛନ୍ତି । ଏବେ ବିରୋଧୀ ମଧ୍ୟ ନିଜ ଆଭିମୁଖ୍ୟ ସ୍ପଷ୍ଟ କରନ୍ତୁ । ନବୀନ ବାବୁଙ୍କ ମନରେ ଯଦି କୌଣସି ଦ୍ୱନ୍ଦ୍ୱ ରହିଛି, ତେବେ ତାହା ସ୍ପଷ୍ଟ କରନ୍ତୁ । ଆବଶ୍ୟକ ହେଲେ ତାଙ୍କୁ ବୁଝାଇ ଦିଆଯିବ ବୋଲି ମନମୋହନ କହିଛନ୍ତି ।

    ଅନ୍ୟପଟେ ଏସଆଇଆର୍ ଓ ମୁଖ୍ୟ ନିର୍ବାଚନ କମିଶନଙ୍କ ଭୂମିକାକୁ ନେଇ ବିଜେଡି ନିଜର ମତ ରଖିଛି । ଦଳ କହିଛି, ବିଜେଡି ଏକ ସ୍ୱତନ୍ତ୍ର ରାଜନୈତିକ ଦଳ। ଏହା ନା ଇଣ୍ଡିଆ ମେଣ୍ଟରେ ଅଛି, ନା ଏନଡିଏରେ । ବିଭିନ୍ନ ପ୍ରସଙ୍ଗରେ ଦଳର ନିଜସ୍ୱ ଆଭିମୁଖ୍ୟ ରହିଛି ଏବଂ ଏସଆଇଆର୍‌କୁ ନେଇ ମଧ୍ୟ ଦଳ ନିଜ ମତ ପୂର୍ବରୁ ସ୍ପଷ୍ଟ କରିଛି । ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ଏସଆଇଆର୍ ପ୍ରକ୍ରିୟାରେ ଦେଶର ୧୪ ପ୍ରତିଶତରୁ ଅଧିକ ଭୋଟରଙ୍କ ନାଁ କଟିଥିବା ବେଳେ ଓଡ଼ିଶାରୁ ପ୍ରାୟ ୨୦ ଲକ୍ଷ ଭୋଟରଙ୍କ ନାଁ ବାଦ୍ ଦିଆଯାଇଛି । ତାଙ୍କ କହିବା ଅନୁସାରେ, ଭୋଟର ତାଲିକାରେ ଅଧିକ ଯୋଗ୍ୟ ଭୋଟର ସାମିଲ ହେବା କଥା, କିନ୍ତୁ ଏସଆଇଆର୍ ମାଧ୍ୟମରେ ନାଁ କଟିବା ଚିନ୍ତାଜନକ । ଏହା ଶୁଭ ସୂଚନା ନୁହେଁ ବୋଲି ସେ କହିଛନ୍ତି ।

    ଏସଆଇଆର୍‌କୁ ନେଇ ଶାସକ ବିଜେପି ଓ ବିଜେଡିର ଭିନ୍ନ ଭିନ୍ନ ମତ ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି । ଭୋଟର ତାଲିକାର ସ୍ୱଚ୍ଛତା ସହ ଯୋଗ୍ୟ ଭୋଟରଙ୍କ ଅଧିକାର ସୁରକ୍ଷା କିପରି ନିଶ୍ଚିତ ହେବ, ତାହା ଏହି ବିତର୍କର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    76 %
    1.1kmh
    2 %
    Mon
    23 °
    Tue
    30 °
    Wed
    29 °
    Thu
    30 °
    Fri
    30 °

    ସମ୍ବନ୍ଧିତ