ନୂଆଦିଲ୍ଲୀ : ଚୀନରେ ହେବ ‘ରୋବଟ୍ ଅଲିମ୍ପିକ୍ସ’ । ଦକ୍ଷତା ଦେଖାଇବେ ହ୍ୟୁମାନଏଡ୍ ରୋବଟ୍ । ଦୌଡ଼ିବେ, ଫୁଟବଲ୍ ଖେଳିବେ, ଭାରୋତ୍ତୋଳନ କରିବେ । ପୁଣି ଟେବୁଲ୍ ଟେନିସ୍ ଖେଳିବା ସହ ନାଚିବେ ଏବଂ ମାର୍ଶାଲ୍ ଆର୍ଟରେ ମଧ୍ୟ ନିଜ ଦକ୍ଷତା ଦେଖାଇବେ । ହେଲେ ଏହି ପ୍ରତିଯୋଗୀ ମଣିଷ ନୁହନ୍ତି, ସମସ୍ତେ ହ୍ୟୁମାନଏଡ୍ ରୋବଟ୍ । ଚୀନ୍ ର ରାଜଧାନୀ ବେଜିଂରେ ଆସନ୍ତା ଅଗଷ୍ଟ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ଦ୍ୱିତୀୟ ବିଶ୍ୱ ହ୍ୟୁମାନଏଡ୍ ରୋବଟ୍ ଗେମ୍ସ-୨୦୨୬ । ବେଜିଂର ନ୍ୟାସନାଲ୍ ସ୍ପିଡ୍ ସ୍କେଟିଂ ଓଭାଲ୍ ବା ‘ଆଇସ୍ ରିବନ୍’ରେ ଏହି ଅଭିନବ ପ୍ରତିଯୋଗିତା ହେବ ।
ଚଳିତବର୍ଷ ପ୍ରତିଯୋଗିତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । କ୍ରୀଡ଼ାଭିତ୍ତିକ ପ୍ରତିଯୋଗିତା ଓ ବାସ୍ତବ ପରିସ୍ଥିତିଭିତ୍ତିକ ପ୍ରତିଯୋଗିତାରେ ବିଭକ୍ତ କରାଯାଇଛି। ଦୌଡ଼କୁଦ, ଫୁଟବଲ୍, ଜିମ୍ନାଷ୍ଟିକ୍ସ, ଭାରୋତ୍ତୋଳନ, ମାର୍ଶାଲ୍ ଆର୍ଟ, ଷ୍ଟ୍ରିଟ୍ ଡ୍ୟାନ୍ସ, ଟଗ୍ ଅଫ୍ ୱାର୍ ଓ ଟେବୁଲ୍ ଟେନିସ୍ ଭଳି ଅନେକ ରୋମାଞ୍ଚକର ଇଭେଣ୍ଟରେ ରୋବଟ୍ ମାନେ ପରସ୍ପରକୁ ଟକ୍କର ଦେବେ । ଏଥର ସବୁଠାରୁ ବଡ଼ ଆକର୍ଷଣ ହେବ ୧୦୦ ମିଟର ସ୍ୱୟଂଚାଳିତ ଦୌଡ଼ । ଏଥିରେ ମଣିଷର ସିଧାସଳଖ ନିୟନ୍ତ୍ରଣ ବିନା ରୋବଟ୍ କୁ ନିଜେ ଦୌଡ଼ ସମ୍ପୂର୍ଣ୍ଣ କରିବାକୁ ପଡ଼ିବ । ଏହାଛଡ଼ା ଘରେ ପୋଷାକ ସଜାଇବା, ଅଗ୍ନିକାଣ୍ଡ ସମୟରେ ନିଆଁ ଲିଭାଇବା, ଖାଦ୍ୟ ପ୍ରସ୍ତୁତ କରିବା ଭଳି ସୂକ୍ଷ୍ମ ଓ ଜଟିଳ କାର୍ଯ୍ୟରେ ମଧ୍ୟ ରୋବଟ୍ ଙ୍କ ଦକ୍ଷତା ପରୀକ୍ଷା ହେବ । କାରଖାନା, ହୋଟେଲ୍ ଓ ଘର ଭଳି ବାସ୍ତବ ପରିବେଶରେ ରୋବଟ୍ ଙ୍କ କାର୍ଯ୍ୟକ୍ଷମତାକୁ ପରଖାଯିବ । ଏହି ପ୍ରତିଯୋଗିତା କେବଳ ରୋବଟ୍ ଙ୍କ ଖେଳକୁଦର ପ୍ରଦର୍ଶନ ନୁହେଁ । ହ୍ୟୁମାନଏଡ୍ ରୋବଟ୍ କେତେ ସ୍ୱୟଂଚାଳିତ, କେତେ ଦକ୍ଷ ଏବଂ ମଣିଷର ଦୈନନ୍ଦିନ ଓ ଶିଳ୍ପ କାର୍ଯ୍ୟରେ କେତେ ଉପଯୋଗୀ ହୋଇପାରିବ—ତାହାର ମଧ୍ୟ ବଡ଼ ପରୀକ୍ଷା ହେବ । ରୋବଟ୍ କୁ କେବଳ ପ୍ରଦର୍ଶନର ମାଧ୍ୟମରେ ସୀମିତ ନରଖି ବାସ୍ତବ ଜୀବନରେ ଉତ୍ପାଦନଶୀଳ ଶକ୍ତି ଭାବେ ବ୍ୟବହାର କରିବା ଦିଗରେ ଏଥରର ପ୍ରତିଯୋଗିତାକୁ ଗୁରୁତ୍ୱ ଦିଆଯାଇଛି । ଗତବର୍ଷ ୨୦୨୫ରେ ଆୟୋଜିତ ପ୍ରଥମ ବିଶ୍ୱ ହ୍ୟୁମାନଏଡ୍ ରୋବଟ୍ ଗେମ୍ସରେ ୧୬ଟି ଦେଶର ୨୮୦ଟି ଦଳ ଏବଂ ୫୦୦ରୁ ଅଧିକ ହ୍ୟୁମାନଏଡ୍ ରୋବଟ୍ ଅଂଶଗ୍ରହଣ କରିଥିଲେ । ଏଥର ଆହୁରି ଉନ୍ନତ ଓ ସ୍ୱୟଂଚାଳିତ ରୋବଟ୍ ଙ୍କ ପ୍ରଦର୍ଶନ ଉପରେ ସାରା ବିଶ୍ୱର ନଜର ରହିବ।
