ଆୟୋଜକ ରାଷ୍ଟ୍ର ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଏହି ସମ୍ମିଳନୀକୁ ଶନିବାର ଉଦ୍ଘାଟନ କରିଛନ୍ତି। ରାମଫୋସା ତାଙ୍କର ଅଭିଭାଷଣରେ କହିଛନ୍ତି ଯେ ଘୋଷଣାନାମାରେ ଉଲ୍ଲେଖ କରାଯାଇଥିବା କେତେକ ଶବ୍ଦକୁ ଆମେରିକା ନାପସନ୍ଦ କରିଛି। ତେବେ ଏହି ପ୍ରତିବାଦ ସହ କୌଣସି ପରିସ୍ଥିତିରେ ସାଲିସ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ପୁନଶ୍ଚ କୌଣସି ସମ୍ମିଳନୀର ଉଦ୍ଯାପନୀ ଦିନରେ ମିଳିତ ଘୋଷଣାନାମା ଜାରି କରାଯାଇଥାଏ। ତେବେ ଚଳିତବର୍ଷ ଏହି ପରମ୍ପରାକୁ ଭଙ୍ଗ କରାଯାଇଛି। କେତେକ ପ୍ରସ୍ତାବ ଗ୍ରହଣ ନ କରିବାକୁ ଆମେରିକା ଚାପ ପକାଇଥିଲେ ସୁଦ୍ଧା ଏହାକୁ ଉପେକ୍ଷା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସମ୍ମିଳନୀରେ ଯୋଗ ଦେଇଥିବାବେଳେ ଚାରିଟି ନୂଆ ପ୍ରସ୍ତାବ ଆଗତ କରିଛନ୍ତି। ଏଗୁଡିକ ହେଉଛି ଗ୍ଲୋବାଲ ଟ୍ରାଡିସନାଲ ନଲେଜ ରିପୋଜିଟୋରି ପ୍ରତିଷ୍ଠା, ଆଫ୍ରିକା ସ୍କିଲ୍ସ ମଲ୍ଟିପ୍ଲାୟର ଇନିସିଏଟିଭ୍, ଗ୍ଲୋବାଲ ହେଲଥ୍କେୟାର ରେସ୍ପନ୍ସ ଟିମ୍ ଗଠନ ଏବଂ ଡ୍ରଗ୍ସ-ଆତଙ୍କବାଦ ମେଣ୍ଟର ମୁକାବିଲା ପାଇଁ ପ୍ରସ୍ତୁତି। ଏହି ଚାରିଟି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଗଲେ ବିଶ୍ବର ସାମଗ୍ରିକ ବିକାଶ ଘଟିବ ବୋଲି ମୋଦୀ ଆଶାବ୍ୟକ୍ତ କରିଛନ୍ତି। ପ୍ରଥମ ଅଧିବେଶନକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ଯେ ବୈଶ୍ବିକ ବିକାଶ ପ୍ରକ୍ରିୟାର ମାନଦଣ୍ଡ ନିର୍ଦ୍ଧାରଣ ପ୍ରସଙ୍ଗକୁ ପ୍ରଥମେ ପ୍ରାଧାନ୍ୟ ଦିଆଯିବା ଜରୁରୀ। ଯଦିଓ ଜି-୨୦ ସମ୍ମିଳନୀ ଇତିପୂର୍ବରୁ ବିଶ୍ବର ଅର୍ଥନୀତି ଓ ବିକାଶ ପ୍ରକ୍ରିୟାକୁ ସୁଧାରି ପାରିଛି, ତଥାପି ପ୍ରଚଳିତ ଧାରା ଯୋଗୁଁ ବିଶ୍ବର ଅଧିକାଂଶ ଲୋକ ଉପକୃତ ହୋଇପାରୁନାହାନ୍ତି। ବିଶେଷ କରି ଆଫ୍ରିକାରେ ବିକାଶ ପ୍ରକ୍ରିୟା ମନ୍ଥର ହୋଇପଡିଥିବା ମୋଦୀ କହିଛନ୍ତି। ଆଫ୍ରିକା ମହାଦେଶରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ଆୟୋଜିତ ହେଉଥିବାରୁ ବିକାଶ ପ୍ରକ୍ରିୟାର ମାନଦଣ୍ଡ ପ୍ରଥମେ ଏହି ମହାଦେଶ ଉପରେ ଲାଗୁ କରାଯିବା ଉଚିତ ବୋଲି େମାଦୀ କହିଛନ୍ତି।
ଗ୍ଲୋବାଲ ଟ୍ରାଡିସନାଲ ନଲେଜ୍ ରିପୋଜିଟୋରି ପ୍ରସ୍ତାବ ଅନୁଯାୟୀ ପାରମ୍ପରିକ ଜ୍ଞାନକୌଶଳକୁ ସାଂପ୍ରତି ଢାଞ୍ଚାରେ ପ୍ରୟୋଗ କରାଯିବା ଉଚିତ ଯାହାଫଳରେ ଆଗାମୀ ପିଢି ଲାଭବାନ ହେବେ। ଏହି ପ୍ରସଙ୍ଗରେ ଭାରତର ଇତିହାସ ବେଶ ସମୃଦ୍ଧ। ତେଣୁ ଲୋକଙ୍କ ଜୀବନଶୈଳୀକୁ ଉନ୍ନତ କରିବାରେ ଏହି ପ୍ରସ୍ତାବ ଫଳପ୍ରଦ ହୋଇପାରିବ ବୋଲି ମୋଦୀ କହିଛନ୍ତି। ଆଫ୍ରିକା ସ୍କିଲ୍ସ ମଲଟିପ୍ଲାୟର ଇନିସିଏଟିଭ୍ ଯୋଜନାରେ ଟ୍ରେନ୍ ଦି ଟ୍ରେନର୍ସ ମଡେଲକୁ ଆପଣେଇ ହେବ। ଏହାଦ୍ବାରା ଆଗାମୀ ୧୦ ବର୍ଷ ମଧ୍ୟରେ ଆଫ୍ରିକା ମହାଦେଶରେ ଲକ୍ଷାଧିକ ଯୋଗ୍ୟ ଟ୍ରେନର ସୃଷ୍ଟି ହୋଇପାରିବେ ବୋଲି ସେ କହିଛନ୍ତି। ଏହି ଟ୍ରେନରମାନେ ଦକ୍ଷଣ ଯୁବଗୋଷ୍ଠୀକୁ ଉପଯୁକ୍ତ ତାଲିମ ଦେଇପାରିବେ। ଏହାଦ୍ବାରା ଆଫ୍ରିକା ମହାଦେଶର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ। ଗ୍ଲୋବାଲ ହେଲଥ୍କେୟାର ସିଷ୍ଟମ ଦ୍ବାରା ସ୍ବାସ୍ଥ୍ୟସେବା ସମ୍ପର୍କିତ ସମସ୍ୟାର ସମାଧାନ ହୋଇପାରିବ ବୋଲି ମୋଦୀ କହିଛନ୍ତି। ଜରୁରୀ ସ୍ବାସ୍ଥ୍ୟସେବା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହି ଯୋଜନା ଆଶାନୁରୂପ ଫଳ ପ୍ରଦାନ କରିବ ବୋଲି ସେ କହିଛନ୍ତି। ଶେଷରେ ବିଶ୍ବ ପ୍ରତି ବିପଦ ସୃଷ୍ଟି କରୁଥିବା ଡ୍ରଗ୍ସ-ଟେରର (ମାଦକଦ୍ରବ୍ୟ-ଆତଙ୍କବାଦ) ମେଣ୍ଟ ପ୍ରତି ସତର୍କ ରହିବାକୁ ମୋଦୀ ପ୍ରସ୍ତାବ ଦେଇଛନ୍ତି। ଡ୍ରଗ୍ସ ଚୋରାଚାଲାଣ ଏବଂ ବିଶେଷ କରି ଫେଣ୍ଟାନିଲ୍ ଭଳି ଘାତକ ଡ୍ରଗ୍ସର ବ୍ୟବହାର ଉପରେ କଟକଣା ଜାରି କରାଯିବାକୁ ମୋଦୀ ଗୁରୁତ୍ବ ଦେଇଛନ୍ତି। ସାଂପ୍ରତିକ ସମୟରେ ଡ୍ରଗ୍ସ-ଟେରର ମେଣ୍ଟ ସାଧାରଣ ସ୍ବାସ୍ଥ୍ୟସେବା, ସାମାଜିକ ସ୍ଥିରତା ଏବଂ ବୈଶ୍ବିକ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରୁଛି। ତେଣୁ ବିଶ୍ବର ସବୁ ରାଷ୍ଟ୍ର ଏହା ବିରୋଧରେ ଅଭିଯାନ ଆରମ୍ଭ କରିବାକୁ ମୋଦୀ ଆହ୍ବାନ ଦେଇଛନ୍ତି।

