ଏକଦା ଭଗବାନ ବୁଦ୍ଧଦେବ ଜଙ୍ଗଲ ମଧ୍ୟ ଦେଇ ଗମନ କରୁଥାନ୍ତି । ଗୋଟିଏ ସ୍ଥାନରେ କେଇଜଣ ରାଜକର୍ମଚାରୀ ଓ ସୈନିକ ଗୋଟିଏ ହରିଣକୁ ବାନ୍ଧି ରଖିଥାନ୍ତି । ବନ୍ଧାହୋଇ ହରିଣଟି କଷ୍ଟରେ ଡିଆଁ ଡେଇଁ କରୁଥାଏ । ସୈନିକମାନେ ବନ୍ଧା ଯାଇଥିବା ହରିଣଟିକୁ ମଝିରେ ମଝିରେ ପିଟାପିଟି କରୁଥାନ୍ତି । ଏହା ଦେଖି ବୁଦ୍ଧଦେବ ଏହାର କାରଣ ପଚାରିଲେ । କର୍ମଚାରୀମାନେ ଉତ୍ତର ଦେଲେ”ଆମ୍ଭ ଯୁବରାଜ ଧନୁ ଶିକ୍ଷା କରିବା ପାଇଁ ବନ୍ଧା ହୋଇଥିବା ହରିଣ ଉପରକୁ ଶର ସନ୍ଧାନ କରିବେ ।” ବୁଦ୍ଧଦେବ କହିଲେ,”ଧନୁଶିକ୍ଷା ପାଇଁ କଣ ଅନ୍ୟ କିଛି ମାଧ୍ୟମ ନାହିଁ ? ଶୁଷ୍କ ଖୁଣ୍ଟ ପୋତି ସେଥିରେ ଚିହ୍ନ ଦେଇ ତ ଲକ୍ଷ ସାଧନ କରାଯାଇ ପାରିବ । ଏପରିକି ଜୀବନ୍ତ ବୃକ୍ଷ ଉପରକୁ ଶର ନିକ୍ଷେପ କରିବା ମଧ୍ୟ ପାପ । କାରଣ ଆମପରି ବୃକ୍ଷର ମଧ୍ୟ ଜୀବନ ଅଛି । ବୃକ୍ଷ ଚଳପ୍ରଚଳ କରିନପାରୁଥିଲେ ବି ତାଙ୍କୁ କଷ୍ଟ ହେବ । ତୁମ ଯୁବରଜ କିପରି ଏକ ନିରୀହ ହରିଣକୁ ବାନ୍ଧି ଶରଶିକ୍ଷା କରିବେ? ହରିଣ ଶରୀରରେ କ୍ଷତ ହୋଇ ରକ୍ତ ଝରିବା ସହିତ ସେ କଷ୍ଟ ସହିବା ବେଳେ ଯୁବରଜ ଏପରି ନିଷ୍ଠୁର ହୋଇପାରିବେ କେମିତି ?”
ରାଜକର୍ମଚାରୀମାନେ କହିଲେ,”ଆମକୁ ନିର୍ଦ୍ଦେଶ ଅଛି । ତେଣୁ ଆମେ ହରିଣଟିଏ ଖୋଜି,ଧରି,ବାନ୍ଧି ରଖିଚୁ । ଆମେ ହରିଣକୁ ଛାଡିଦେଲେ ରାଜା ଆଦେଶ ଉଲଂଘନର ଦଣ୍ଡ ପାଇବୁ ।” ବୁଦ୍ଧଦେବ କହିଲେ,”ଠିକ ଅଛି । ତୁମେ ହରିଣଟିକୁ ଫିଟେଇ ଦିଅ । ତା ବଦଳରେ ତୁମେ ମୋତେ ବାନ୍ଧିରଖ । ହରିଣ ବଦଳରେ ତୁମ ଯୁବରାଜ ମୋ ଶରୀରକୁ ଶର ଯୋଖି ଧନୁ ଶିକ୍ଷା କରିବେ ।” କର୍ମଚାରୀମାନେ ଚକିତ ହୋଇ କ’ଣ କରିବେ ନକରିବେ ଦ୍ଵନ୍ଦରେ ପଡ଼ିଗଲେ । ଠିକ ସେହି ସମୟରେ ଯୁବରାଜ ସେଠାରେ ପହଞ୍ଚି ଭଗବାନ ବୁଦ୍ଧଙ୍କ ବାଣୀ ଶ୍ରବଣ କରିସାରିଥାନ୍ତି । ତାଙ୍କର ଜ୍ଞାନ ଚକ୍ଷୁ ଖୋଲିଯାଇଥିଲା । ସେ ହରିଣକୁ ଫିଟାଇ ଦେବାକୁ ଆଦେଶ ଦେଇ ବୁଦ୍ଧଦେବଙ୍କ ପରିଚୟ ପାଇ ତାଙ୍କର ଶରଣାପନ୍ନ ହେଲେ । ସେହିଦିନଠାରୁ ଯୁବରାଜ ଶିକାର ନକରିବାକୁ ଓ ଜୀବଙ୍କୁ କଷ୍ଟ ନଦେବା ପାଇଁ ଶପଥ ନେଲେ ।
ବାସ୍ତବିକ,ଆମ ଦେହରେ ଜୀବାତ୍ମା ଥିବାପରି ସମସ୍ତ ଜୀବଙ୍କ ଦେହରେ ଆତ୍ମା ବିଦ୍ୟମାନ । ଆମକୁ କଷ୍ଟବୋଧ ହେବାପରି ମୂକ ଜୀବଙ୍କୁ ମଧ୍ୟ ସମାନ ଧରଣର କଷ୍ଟ ହୋଇଥାଏ । ତେଣୁ ଆମେ ଜୀବ ବଧ, ଜୀବ ବଳି ତ୍ୟାଗ କରିବା ସହ ଜୀବେ ଦୟା ନୀତି ଅବଲମ୍ବନ କରିବା ଆବଶ୍ୟକ । ସମସ୍ତ ଧର୍ମଗ୍ରନ୍ଥରେ ଜୀବେ ଦୟା ନୀତିର ଉଲ୍ଲେଖ ରହିଛି । ଜୈନମାନେ ରାତ୍ରିରେ ଅଗ୍ନି ପ୍ରଜ୍ଵଳନ କରି ନଥାନ୍ତି । କାଳେ ଏଥିରେ ପଡି ପୋକମାନେ ଜଳିଯିବେ । ଆମ ସନାତନ ହିନ୍ଦୁ ଧର୍ମ ମଧ୍ୟ ଜୀବେ ଦୟା ନୀତିକୁ ସମର୍ଥନ କରି ସବୁ ଆତ୍ମା ସମାନ ବୋଲି ମତବ୍ୟକ୍ତ କରେ । ଜୀବ ମାନଙ୍କ ପ୍ରତି ସହାନୁଭୁତିଶୀଳ ହେଲେ ସେମାନେ କଷ୍ଟ ପାଇବାରୁ ବଞ୍ଚିତ ହେବା ସହ ଆମେ ପାପ କାମରୁ ମୁକ୍ତ ହୋଇପାରିବା ।
କାହାଣୀ- ନିରଞ୍ଜନ ପତି