Saturday, September 28, 2024
28.7 C
Odisha

    ତପସ୍ଵୀ ଓ ଆସକ୍ତି

    ଆଗକୁ ପଢନ୍ତୁ

     

    ସଂସାର ଜଞ୍ଜାଳ ବଡ ଗୋଳମାଳ । ଘର ନୁହେଁ ଘୋର । ବିବାହ ନୁହେଁ ତ ବିଶେଷ ଭାବରେ ଭାର ବହନ । ତେଣୁ ସଂସାରର ଜଟିଳ ପଥରେ ପାଦ ନଦେଇ, ବିବାହ ବନ୍ଧନରେ ଆବଦ୍ଧ ନହୋଇ ଜନୈକ ଯୁବକ ଗୃହତ୍ୟାଗୀ ହେଲେ । ପ୍ରଥମେ ଜଣେ ଗୁରୁଙ୍କ ପାଖରେ ଆଶ୍ରମରେ ଶିଷ୍ୟତ୍ଵ ଗ୍ରହଣ କଲେ । ଗୁରୁଙ୍କ ଅନ୍ତେ ସଂସାରର ସବୁକଥା ତାଙ୍କୁ ହିଁ ବୁଝିବାକୁ ପଡିଲା । ଆଶ୍ରମର ସମସ୍ତ ଦାୟିତ୍ଵ ତୁଳାଇବାରେ ତାଙ୍କର ସମୟ ଅପଚୟ ହେବାରେ ଲାଗିଲା । ସେ ଅନୁଭବ କଲେ- ଏ ଆଶ୍ରମର ଆସକ୍ତି ମୋତେ ଏପରି ବାନ୍ଧି ରଖୁଛି, ମୁଁ ଈଶ୍ଵରଙ୍କୁ ପ୍ରାର୍ଥନା କରିବାକୁ ସମୟ ପାଉନି ।

    ତେଣୁ ସେ ଆଶ୍ରମ ଦାୟିତ୍ଵ ଅନ୍ୟ ଶିଷ୍ୟମାନଙ୍କ ହାତରେ ସମର୍ପି ଗହଣା ଜଙ୍ଗଲକୁ ଚାଲିଗଲେ । ସେଠାରେ କଠୋର ତପ ସାଧନାରେ ମଜ୍ଜି ରହିଲେ । କେବେ ଏକଗୋଡ଼ରେ ଠିଆ ହୋଇ ହାତ ଟେକି ଜପ କରନ୍ତି ତ କେବେ ମୁଣ୍ଡ ପୋତି, ଗୋଡ ଉପରକୁ କରି ତପସ୍ୟା କରନ୍ତି । କେବେ ମଧ୍ୟ ଦୁଇ ହାତରେ ଛିଡା ହୋଇ ଗୋଡ ଉପରକୁ ଟେକି ତପ ଆଚରଣ କରନ୍ତି । ସେହି ତପସ୍ଵୀ ତାଙ୍କ ତପସ୍ୟା ରେ ଏତେ ଦୃଢ ଓ ନିଷ୍ଠାପର ଥାଆନ୍ତି ଯେ ତାଙ୍କୁ ଭୋକ ଶୋଷ ମଧ୍ୟ ସ୍ପର୍ଶ କରିପାରେନାହିଁ । ତାଙ୍କ ତପସ୍ୟାରେ ସେ ସଦା ସର୍ବଦା ମଗ୍ନ ଥାଆନ୍ତି । ତାଙ୍କ ମୁଖମଣ୍ଡଳରୁ ଏକ ଜ୍ୟୋତି ସାରା ଅଞ୍ଚଳକୁ ବିଚ୍ଛୁରିତ ହୋଇ ସେ ଆଲୋକରେ ଦିଗବିଦିଗ କମ୍ପମାନ ହେଲା ।

    ତାଙ୍କର ତପଃତେଜ ବୃଦ୍ଧି ପାଉଥିବାର ଦେଖି ସ୍ଵର୍ଗରାଜା ଇନ୍ଦ୍ର ଆତଙ୍କିତ ହୋଇପଡିଲେ । କାଳେ ଏ ତପସ୍ଵୀ ତାଙ୍କ ଇନ୍ଦ୍ରପଦ ଅଧିକାର କରି ବସିବ କି ? ଏଇ ଆଶଙ୍କାରେ ଇନ୍ଦ୍ର କିଛି ଉପାୟ ଖୋଜି ଚାଲିଲେ ।

    ଏକଦା ସେ ଜଣେ ଧନଶାଳୀ ରାଜା ବେଶରେ ସନ୍ଥଙ୍କ ତପସ୍ଥଳୀରେ ଉପସ୍ଥିତ ହେଲେ । ନମ୍ର ଭାବରେ ପ୍ରକାଶ କଲେ ଯେ- ହେ ମହାନ ତପସ୍ଵୀ, ମୁଁ ଏବେ ଅନେକ ଶତ୍ରୁ ପରିବେଷ୍ଟିତ । ଯେକୌଣସି ସମୟରେ ଶତ୍ରୁ ରାଜ୍ୟର ରାଜା ମୋତେ ପରାସ୍ତ କରି ମୋର ସମ୍ପତ୍ତି ଲୁଣ୍ଠନ କରିପାରନ୍ତି । ଆପଣ ତ ତପସ୍ଵୀ । ଏଇ ସବୁ ହୀରା ଓ ସୁବର୍ଣ୍ଣ ଅଳଙ୍କାର ଆପଣଙ୍କ ପାଖରେ ଥିଲେ ଆଉ କେହି ଜାଣିପାରିବେ ନାହିଁ । ମୁଁ ସୁରକ୍ଷିତ ହେବା ପରେ ଏସବୁ ଉଆସକୁ ନେଇଯିବି । ଏହାର ରକ୍ଷଣାବେକ୍ଷଣ ଠିକ ଭାବରେ କରିପାରିଲେ ମୁଁ ଆପଣଙ୍କୁ ଏଥିରୁ କିଛି ଦାନ କରିବି । ତପସ୍ଵୀ ଭାବିବା ପୂର୍ବରୁ ନୀରବରେ ସମ୍ମତି ପ୍ରକାଶ କଲେ । କେବଳ ଜଣେ ରାଜାଙ୍କୁ ସହାୟତା କରିବା ମନୋଭାବ ନେଇ ସେ ଏପରି କରିଥିଲେ ।

    ପ୍ରଥମେ ପ୍ରଥମେ ସନ୍ଥ କିଛି ବିଚଳିତ ନଥିଲେ । କିନ୍ତୁ ପରେ ଏସବୁ ବହୁମୂଲ୍ୟ ଅଳଙ୍କାରର ରକ୍ଷଣାବେକ୍ଷଣ ପାଇଁ ସେ ଅନେକ ସମୟ ଦେଲେ । ପୂର୍ବପରି ଧ୍ୟାନ ଓ ତପସ୍ୟାମଗ୍ନ ହୋଇପାରିଲେ ନାହିଁ । ରାଜାଙ୍କର ଏଇ ସମ୍ପଦ ଚୋରି ହୋଇଗଲେ ସେ ତାଙ୍କ ଭାଗ ହରାଇବେ, ଏଇ ଚିନ୍ତା ତାଙ୍କୁ କଷ୍ଟ ଦେବାରେ ଲାଗିଲା । କିଛିଦିନ ମଧ୍ୟରେ ତାଙ୍କ ଜୀବନଶୈଳୀ ବଦଳି ନିରାସକ୍ତ ଭାବରୁ ଆସକ୍ତି ଆଡକୁ ଗତି କରି ଚାଲିଲା । କାମିନୀ ଓ କାଞ୍ଚନ ମୋହ କେବଳ ସାଧାରଣ ମଣିଷକୁ କାହିଁକି ସନ୍ଥମାନଙ୍କୁ ମଧ୍ୟ ବାନ୍ଧି ରଖେ । ଛୋଟ ମାୟା ମୋହ ଆସକ୍ତିଟିଏରୁ ସୃଷ୍ଟ କାମନା, ତୃଷ୍ଣାରେ ପରିଣତ ହୋଇ ମାନବକୁ ବିଭୁ ଚିନ୍ତନରୁ ବିଚ୍ୟୁତ କରି ମୁକ୍ତିର ମାର୍ଗ ବନ୍ଦ କରିଦିଏ । ଠିକ ସେହିପରି ତପସ୍ଵୀଙ୍କର ଈଶ୍ଵରାଭିମୁଖୀ ଯାତ୍ରାରେ ପରିବର୍ତ୍ତନ ହୋଇ ଧନସମ୍ପଦ ଆଶାୟୀ ସାଧାରଣ ମାନବ ପରି ମାୟାରେ ଘାଣ୍ଟି ହେବାରେ ଲାଗିଲା ।

     

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.7 ° C
    28.7 °
    28.7 °
    85 %
    0.8kmh
    94 %
    Sat
    27 °
    Sun
    31 °
    Mon
    31 °
    Tue
    31 °
    Wed
    30 °

    ସମ୍ବନ୍ଧିତ