ନୂଆଦିଲ୍ଲୀ : ଦିଲ୍ଲୀ ଇନ୍ଦିରା ଗାନ୍ଧି ଇଣ୍ଟରନ୍ୟାସନାଲ ବିମାନବନ୍ଦରରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । ସ୍ବିଜରଲାଣ୍ଡ ଜୁରିଚ୍ ଯିବାକୁ ଥିବା ସ୍ବିସ୍ ଏୟାରଲାଇନ୍ସର ବିମାନ ଉଡ଼ାଣ ଭରୁଥିବା ସମୟରେ ଇଂଜିନରେ ନିଆଁ ଲାଗିଯାଇଥିଲା । ବିମାନ ଇଂଜିନରେ ନିଆଁ ଲାଗିବା ଜାଣିବା ପରେ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ । ଯାତ୍ରୀମାନେ ଭୟରେ ଚିତ୍କାର କରିଥିଲେ । ବିମାନରେ ମୋଟ ୨୨୮ ଜଣ ଯାତ୍ରୀ ଏବଂ ୪ ଜଣ ଶିଶୁ ଥିଲେ । ଘଟଣାରେ ୬ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି ।
ଖବର ମୁତାବକ, ବିମାନ ସଂଖ୍ୟା ଏଲଏକ୍ସ ୧୪୭, ଏୟାରବସ୍ ଏ୩୩୦ ବିମାନ ରାତି ୧.୦୮ ମିନିଟ ସମୟରେ ରନୱେରେ ଟେକଅଫ୍ ପାଇଁ ଯାଉଥିଲା । ଆଉ ଟେକଅପ୍ କରିବା ସମୟରେ ଗୋଟେ ଇଂଜିନ ଫେଲ୍ ହୋଇ ସେଥିରେ ନିଆଁ ଲାଗିଯାଇଥିଲା । ସ୍ଥିତି ବିଷୟରେ ଜାଣିପାରି ପାଇଲଟ ତୁରନ୍ତ ଟେକଅଫକୁ ରୋକି ଦେଇଥିଲେ, ଆଉ ଏକ ବଡ଼ ଦୁର୍ଘଟଣାରୁ ବିମାନ ଅଳ୍ପକେ ବର୍ତ୍ତିଯାଇଥିଲା ।
ଘଟଣା ପରେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଏମରଜେନ୍ସୀ ସ୍ଲାଇଡ ଜରିଆରେ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ବିମାନରେ ମୋଟ୍ ୨୨୮ ଜଣ ଯାତ୍ରୀ ଏବଂ ୪ ଜଣ ଶିଶୁ ଥିଲେ । ଖବର ପ୍ରସାରିତ ହେବା ପରେ ବିମାନବନ୍ଦରରେ ଯାତ୍ରୀମାନେ ଭୟଭୀତ ହୋଇ ଦୌଡାଦୌଡି କରିଥିଲେ । କିନ୍ତୁ ସୁରକ୍ଷା ଏଜେନ୍ସୀ ଏବଂ ଦମକଳ ଟିମ୍ ତୁରନ୍ତ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ।
ଏୟାରଲାଇନ୍ ତରଫରୁ ଏକ ବୟାନରେ କୁହାଯାଇଛି କି, ଘଟଣାର ଯାଞ୍ଚ ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ତେବେ ଇଂଜିନରେ ନିଆଁ ଲାଗିବାର ସଠିକ୍ କାରଣ ଜଣାପଡିନାହିଁ । ଏୟାରପୋର୍ଟ ଅଥରିଟି ଏବଂ ଡିଜିସିଏ ମାମଲାର ଯାଞ୍ଚ ଆରମ୍ଭ କରିଛି । ତେବେ ପ୍ରାରମ୍ଭିକ ଯାଞ୍ଚରୁ ବୈଷୟିକ ତ୍ରୁଟି ଯୋଗୁଁ ଏଭଳି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।
ତେବେ ଏୟାରଲାଇନ ତରଫରୁ ସମସ୍ତ ଯାତ୍ରୀଙ୍କୁ ସହାୟତା ଯୋଗାଇ ଦିଆଯାଉଛି । ସ୍ଥାନୀୟ ଟିମ୍ ଯାତ୍ରୀଙ୍କ ରହିବା ପାଇଁ ରିବୁକିଂ କିମ୍ବା ହୋଟେଲ ବ୍ୟବସ୍ଥା କରୁଛି ।
