Friday, April 3, 2026
36.1 C
Odisha

    ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଝଡ଼: ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ପ୍ରତିଷ୍ଠା ହୋଇଥିବା ଶ୍ରୀଜଗନ୍ନାଥ ମନ୍ଦିରକୁ ନେଇ ବିଭିନ୍ନ ମହଲରୁ ବିରୋଧ ହୋଇଛି। ଜଗନ୍ନାଥ ମନ୍ଦିର ନିର୍ମାଣ ହେଉ, କିନ୍ତୁ ଏହାକୁ ଜଗନ୍ନାଥ ଧାମ କୁହାନଯାଉ। ଏଭଳି କହି ଅନେକ ସେବାୟତ ଏହି ପ୍ରସଙ୍ଗକୁ ବିରୋଧ କରିଥିବା ବେଳେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟରେ ଦୀଘା ଯାଇଥିବା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ନିଜ ପକ୍ଷ ରଖିଛନ୍ତି। ଏହାକୁ ଧାମ କୁହାଯିବା ଅନୁଚିତ। ଏ ନେଇ ମୁଁ ମମତାଙ୍କୁ ଚିଠି ଲେଖିବି। ଅନ୍ୟପଟେ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଏ ସଂପର୍କରେ ସମ୍ପାଦକଙ୍କୁ ନିଯୋଗ କୈଫିୟତ ମାଗିବ। ସମ୍ପାଦକ ଶ୍ରୀ ଦାସମହାପାତ୍ର କହିଛନ୍ତି, ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ କ୍ରମେ ଯାଇଥିଲି। ସେଠାରେ କୌଣସି ବ୍ରହ୍ମ ସଂସ୍ଥାପନ ହୋଇ ନାହିଁ। ବ୍ରହ୍ମ ଏକ, ଦ୍ବିତୀୟ ନାହିଁ। ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ। ଅନ୍ୟ କୌଣସିଠାରେ ଜଗନ୍ନାଥଧାମ ହେବନାହିଁ। ସରକାରୀ ସ୍ତରରେ ତାଙ୍କୁ ଏହା ଜଣାଇବା ଜରୁରି। ମୁଁ ମଧ୍ୟ ଚିଠି ଲେଖି ମମତା ବାନାର୍ଜୀଙ୍କୁ ଜଣାଇବି ବୋଲି ସେ କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମୁଁ ଦୀଘା ଜଗନ୍ନାଥ ମନ୍ଦିର ଯାଇଥିଲି। ସେଠାରେ ୩ ଫୁଟର ମୂର୍ତ୍ତି ହୋଇଛି। ପବିତ୍ର ତିଥିରେ ପୂଜାପାଠ ହୋଇଥିଲା। ୩ ମାସ ହେବ ପଥର ମୂର୍ତ୍ତି ଥିଲା। ନିମ୍ବକାଠ ବା ବଳକା ଦାରୁରେ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ବ୍ରହ୍ମପ୍ରତିଷ୍ଠା ଘଟଣାକୁ ଅତିରଞ୍ଜିତ କରାଯାଇଛି। ବ୍ରହ୍ମ ପ୍ରତିଷ୍ଠା ନୁହେଁ, ବରଂ କେବଳ ଫୁଲ ତୁଳସୀ ଓ ଚନ୍ଦନ ଦିଆଯାଇଛି। ଯଦି ଏଠାରେ ଅଦିନିଆ ରଥଯାତ୍ରା ହୁଏ ତେବେ ବିରୋଧ ହେବ। ସେଠାରେ ଓଡ଼ିଆ ଓ ବଙ୍ଗୀୟ ବ୍ରାହ୍ମଣ ପୂଜା କରିବେ।

    ପୂର୍ବରୁ ଏକ ଗଣମାଧ୍ୟମରେ ପୁରୀରେ ନବକଳେବର ସମୟରେ ବଳକା ଦାରୁରେ ଦୀଘାରେ ବିଗ୍ରହ ନିର୍ମାଣ ହୋଇଥିବା ନେଇ ସମ୍ପାଦକ ଶ୍ରୀ ଦାସମହାପାତ୍ର କହିଥିବା ଖବରକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶ୍ବକର୍ମା ବିଜୟ ମହାପାତ୍ର କହିଛନ୍ତି, ନବକଳେବର ସମୟରେ ବିଶ୍ବକର୍ମାମାନେ ଦାରୁରେ ଶ୍ରୀବିଗ୍ରହ ନିର୍ମାଣ କରିଥିଲେ। ସେତେବେଳେ ଏତେ ଦାରୁ ବଳି ନଥିଲା। ଯେଉଁ କିଛି ଦାରୁ ବଳିଥିଲା ତାହା ଦଇତା ନିଯୋଗ ନିକଟରେ ରଖାଯାଇଥିଲା। ସେଗୁଡ଼ିକରେ ବିଗ୍ରହ ନିର୍ମାଣ ହୋଇପାରିବ ନାହିଁ। ଏହି ପ୍ରସଙ୍ଗକୁ ବାଏଁ ବାଏଁ ଉଡାଇ ଦେଇଛନ୍ତି ସମ୍ପାଦକ ଶ୍ରୀ ଦାସମହାପାତ୍ର। ସେ କହିଛନ୍ତି, ମୁଁ କେଉଁଠି କହିନାହିଁ ଦାରୁରେ ବିଗ୍ରହ ନିର୍ମାଣ ହୋଇଛି। ମୁଁ ଏଠାରୁ ନିମ୍ବ କାଠରେ ବିଗ୍ରହ ନିର୍ମାଣ କରି ନେଇ ଯାଇଥିଲି। ୩ ମାସ ହେବ ପଥରମୂର୍ତ୍ତି ଥିଲା। କିନ୍ତୁ ନିମ୍ବ କାଠରେ ପ୍ରସ୍ତୁତ ବିଗ୍ରହ ସେଠାରେ ପ୍ରତିଷ୍ଠା କରାଯାଇଛି। ମୁକ୍ତିମଣ୍ଡପ ବ୍ରାହ୍ମଣ ସୂର୍ଯ୍ୟନାରାୟଣ ରଥ କହିଛନ୍ତି, ବ୍ରହ୍ମ ବିଭ୍ରାଟର ରିପୋର୍ଟ ଏ ଯାଏଁ ସର୍ବସାଧାରଣ ହେଲାନାହିଁ। ଏଣେ ଦୀଘାରେ ବ୍ରହ୍ମ ସଂସ୍ଥାପନକୁ ନେଇ ପ୍ରଶ୍ନ ଉଠିଲାଣି। ଦାରୁରେ ବିଗ୍ରହ ନିର୍ମାଣ ହୋଇଥିବା ଚର୍ଚ୍ଚା ହେଲାଣି। ଏଣୁ ଏ ସବୁର ଉପଯୁକ୍ତ ତଦନ୍ତ ହେବା ଜରୁରି। ମହାପ୍ରଭୁଙ୍କ ଗରିମା ଅକ୍ଷୁଣ୍ଣ ରହିବା ଆବଶ୍ୟକ।

    ଜଗନ୍ନାଥ ଧାମ କହିବା ଅନୁଚିତ, ମମତାଙ୍କୁ ଚିଠି ଲେଖିବି: ରାମକୃଷ୍ଣ
    କୈଫିୟତ ମାଗିବ ନିଯୋଗ: ବିଶ୍ବାବସୁ

    ତଦନ୍ତ ନିର୍ଦ୍ଦେଶ ଦେଲେ ଆଇନ ମନ୍ତ୍ରୀ

    ଭୁବନେଶ୍ବର: ପଶ୍ଚିମବଙ୍ଗ ଦୀଘାଠାରେ ମହାପ୍ରଭୁଙ୍କ ବିଗ୍ରହ ପାଇଁ ବଳକା ଦାରୁ କାଠ ଦିଆଯିବାକୁ ନେଇ ବିବାଦ ଘନେଇବାରେ ଲାଗିଛି। ଗଣମାଧ୍ୟମରେ ଲଗାତାର ଏ ସଂପର୍କିତ ଖବର ପ୍ରକାଶ ପାଇବା ପରେ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ଆଘାତ ଦେଇଛି। ତେଣୁ ଘଟଣାର ସତ୍ୟାସତ୍ୟ ସଂର୍ପକରେ ଜାଣିବା ପାଇଁ ଏକ ଅନ୍ତରୀଣ ତଦନ୍ତ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନକୁ ପତ୍ର ଲେଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଓ ସଂସ୍କୃତିକୁ ନେଇ ଗତ କିଛିଦିନ ହେବ ଗଣମାଧ୍ୟମରେ ଦ୍ବନ୍ଦ୍ବାତ୍ମକ ଖବର ପ୍ରସାରିତ ହେଉଛି। ଦୀଘାଠାରେ ପ୍ରତିଷ୍ଠା ହୋଇଥିବା ମନ୍ଦିର ନାମକୁ ଜଗନ୍ନାଥଧାମ ଲେଖାଯିବା, ଏଠାରୁ ସେବାୟତମାନେ ମନ୍ଦିର ପ୍ରତିଷ୍ଠାରେ ଯୋଗ ଦେବା ଓ ବଳକା ଦାରୁ କାଠରେ ପ୍ରତିମା ନିର୍ମାଣ ହେବାକୁ ନେଇ ଚର୍ଚ୍ଚା ହେବା ଗ୍ରହଣୀୟ ନୁହେଁ। ଏହା ସାଢ଼େ ୪କୋଟି ଜନତାଙ୍କ ମନରେ କଷ୍ଟ ଦେଉଥିବା ଅନୁଭବ ହେଉଛି। ତେଣୁ ତଦନ୍ତ କରାଯାଇ ସତ୍ୟାସତ୍ୟ ଜନମାନସକୁ ଆଣିବାର ବ୍ୟବସ୍ଥା କରାଯାଉ। ଯଦି କେହି ଜ୍ଞାତସାରରେ ଏହି ଘଟଣା ଘଟାଇଛନ୍ତି କିମ୍ବା ଦୋଷୀ ସାବ୍ୟସ୍ତ ହେଉଛନ୍ତି, ତା’ହେଲେ ରାଜ୍ୟ ସରକାରଙ୍କ ଅନୁମତିକ୍ରମେ ଦଣ୍ଡବିଧାନ ଗ୍ରହଣ କରାଯାଉ ବୋଲି ସେ ପତ୍ରରେ ଉଲ୍ଲେଖ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    36.1 ° C
    36.1 °
    36.1 °
    21 %
    2.5kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ