ଭୁବନେଶ୍ବର: ଦେଶ ପାଳୁଛି ୭୭ ତମ ସାଧାରଣତନ୍ତ୍ର ଦିବସ । ତ୍ରିରଙ୍ଗା ରଙ୍ଗରେ ରଂଗୀନ ସାରା ଦେଶ । ଆଜି ଦୁନିଆ ଦେଖିବ ଭାରତର ଶକ୍ତି । କର୍ତ୍ତବ୍ୟ ପଥରେ ହେବ ଦମଦାର ଶକ୍ତିପ୍ରଦର୍ଶନ। ଝଲସୁଛି ଦିଲ୍ଲୀ କର୍ତ୍ତବ୍ୟ ପଥ । ବହୁ ଆଡ଼ମ୍ବରରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । ସାମରିକ ଶକ୍ତି ପ୍ରଦର୍ଶନ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବାୟୁସେନାର ଅଭୂତପୂର୍ବ ‘ଫ୍ଲାଇପାଷ୍ଟ୍’ ଦେଶର ଗର୍ବ, ପ୍ରଗତି ଓ ଏକତାର ପ୍ରତୀକ ସାଜିବ ।
ଚଳିତ ବର୍ଷ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ୟୁରୋପୀୟ କମିଶନର ସଭାପତି ଉର୍ସୁଲା ଭନ୍ ଡେର୍ ଲେୟେନ୍ ଏବଂ ୟୁରୋପୀୟ ପରିଷଦର ସଭାପତି ଆଣ୍ଟୋନିଓ କୋଷ୍ଟାଙ୍କୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରଣ କରାଯାଇଛି । ସକାଳ ୭ଟାରୁ ଦର୍ଶକ ଏବଂ ଅତିଥିମାନଙ୍କ ପାଇଁ ଗେଟ୍ ଖୋଲିବ । କଡ଼ା ସୁରକ୍ଷା ଯାଞ୍ଚ ପରେ ଲୋକଙ୍କୁ କର୍ତ୍ତବ୍ୟ ପଥରେ ନିଜ ନିଜ ଆସନକୁ ଯିବାକୁ ଅନୁମତି ମିଳିବ ।
ସକାଳ ୯ଟାରୁ ସାଢ଼େ ୯ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକୀ ରେ ଶହୀଦମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବେ । ରାଷ୍ଟ୍ରପତି ଭବନରୁ ବାହାରି କର୍ତ୍ତବ୍ୟ ପଥରେ ପହଞ୍ଚିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରାଯିବ । ସକାଳ ସାଢ଼େ ୯ଟାରୁ ୧୦ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ୍ ଅନର ।
ସକାଳ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପରେଡ । ସେନା ବାହିନୀର ବିଭିନ୍ନ ବ୍ରିଗେଡ୍, ଯୁଦ୍ଧ ଟ୍ୟାଙ୍କ ଏବଂ ଓଟ ବାହିନୀ ଦ୍ୱାରା ମାର୍ଚ୍ଚ-ପାଷ୍ଟ୍ । ସାଂସ୍କୃତିକ ଝଲକରେ ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ମନ୍ତ୍ରଣାଳୟ ପକ୍ଷରୁ ସୁନ୍ଦର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ । ଏଥର ମୁଖ୍ୟ ଥିମ୍ ରହିଛି “ବନ୍ଦେ ମାତରମ୍ ର ୧୫୦ ବର୍ଷ” ଏବଂ “ଜନ ଭାଗିଦାରୀ”। ବାୟୁସେନାର ଯୁଦ୍ଧ ବିମାନ ଓ ହେଲିକପ୍ଟର ଦ୍ୱାରା ଆକାଶରେ ଆକର୍ଷଣୀୟ ‘ଫ୍ଲାଇପାଷ୍ଟ୍’ ପ୍ରଦର୍ଶନ ହେବ । ଚିତ୍ତାକର୍ଷକ ହେବ ମୋଟରସାଇକେଲରେ ଯବାନମାନଙ୍କ ଦ୍ୱାରା ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ।

