ଇରାନର ପ୍ରତିଶୋଧରେ ନଇଁଲା ଆମେରିକା । ଯାହା ଆଶଙ୍କା କରାଯାଉଥିଲା ତାହା ସତ ହୋଇଛି । ଇରାନ ଓ ଇସ୍ରାଏଲ ମଧ୍ୟରେ ସଂପୂର୍ଣ୍ଣ ଯୁଦ୍ଧବିରତି ନେଇ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏ ନେଇ ଉଭୟ ଦେଶ ମଧ୍ୟରେ ସହମତି ହୋଇଥିବା ଟ୍ରମ୍ପ କହିଛନ୍ତି । ଆମେରିକା ଆକ୍ରମଣର ଇରାନ୍ ପ୍ରତିଶୋଧ ନେବା ପରେ ବଡ଼ ଖବର ଶୁଣିବାକୁ ମିଳିଛି । ଛଅ ଘଣ୍ଟା ମଧ୍ୟରେ ଅସ୍ତ୍ରବିରତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି ଟ୍ରମ୍ପ । ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧକୁ ୧୨ ଦିନ ବିତିଗଲାଣି । ୨୪ ଘଣ୍ଟା ପରେ ବିଦ୍ଧିବଦ୍ଧ ଭାବେ ଯୁଦ୍ଧ ସମାପ୍ତ ହେବ । ଇରାନ କତରାର ଅଲ ଉଦେଇଡ ଏୟାର ବେସ୍ ରେ ମିସାଇଲ ଆକ୍ରମଣ କରିବା ପରେ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣା କରିଛନ୍ତି ।
ଆମେରିକୀୟ ଆକ୍ରମଣ ଜବାବରେ ଇରାନ କତାର ଓ ଇରାକରେ ଥିବା ଆମେରିକୀୟ ସେନା ଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି । କତରରେ ଥିବା ଆମେରିକା ସୈନ୍ୟ ଠିକଣା ଉପରେ ମିସାଇଲ ଆକ୍ରମଣ କରିଛି ଇରାନ। ଅଲ-ଉଦିଦ ଏୟାରବେସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । କତାର ରାଜଧାନୀ ଦୋହାରେ ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଛି । ଇରାନ ମିସାଇଲକୁ ନଷ୍ଟ କରିବାକୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି । ତେବେ ଇରାନର ପ୍ରତିଶୋଧ ନିଆଁରେ ନରମିଛି ଆମେରିକା । ଇରାନ-ଇସ୍ରାଏଲ ମଧ୍ୟରେ ସିଜ୍ ଫାୟାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏନେଇ ଦୁଇ ଦେଶ ମଧ୍ୟରେ ସହମତି ହୋଇଥିବା ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି । ତେବେ ଇରାନକୁ ପ୍ରଥମେ ସିଜ୍ ଫାୟାରର ନିୟମ ପାଳନ କରିବାକୁ ହେବ ବୋଲି ସେ କହିଛନ୍ତି । ୬ ଘଣ୍ଟା ମଧ୍ୟରେ ସିଜ୍ ଫାୟାର ଲାଗୁ ହେବ ।
ଏହାପରେ ୧୨ ଘଣ୍ଟା ମଧ୍ୟରେ ଇସ୍ରାଏଲ ମଧ୍ୟ ସିଜ୍ ଫାୟାର କରିବ । ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହେବ ବୋଲି ସେ ନିଜ ଏକ୍ସ ଆକାଉଣ୍ଟରେ ଲେଖିଛନ୍ତି । ତେବେ ଏନେଇ ଇରାନ ଓ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ଅନ୍ୟପଟେ ଇରାନ ଆକ୍ରମଣକୁ ଅତି ଦୁର୍ବଳ କହିବା ସହ କୌଣସି ବଡ଼ କ୍ଷତି ହୋଇ ନଥିବା କହିଛନ୍ତି ଡୋନାଲ୍ଟ ଟ୍ରମ୍ପ । ଇରାନ ୧୪ଟି କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ବେଳେ ୧୩ଟିକୁ ଆକାଶରେ ହିଁ ନଷ୍ଟ କରାଯାଇଛି । ଆକ୍ରମଣରେ କୌଣସି ନାଗରିକଙ୍କ ମୃତ୍ୟୁ ହୋଇନି କିମ୍ବା କେହି ଆହତ ହୋଇ ନଥିବା ସେ କହିଛନ୍ତି । ପୂର୍ବରୁ ଦେଖାଯାଇଛି ଇସ୍ରାଇଲ କାହା କଥା ମାନିନାହିଁ, ତେବେ ଏହି ଯୁଦ୍ଧବିରତିରେ ଇସ୍ରାଇଲ ସମର୍ଥନ କରିବ ନା ନାହିଁ ସେକଥା ଆଗକୁ ଜଣାପଡ଼ିବ । ତେବେ ଏକ ବଡ଼ ଖବର ବର୍ତ୍ତମାନ ସୁଦ୍ଧା ଆସି ପହଞ୍ଚିଛି, ଇରାନ ଗୋଟିଏ ଘଣ୍ଟା ମଧ୍ୟରେ ଇସ୍ରାଏଲ ଉପରେ ତିନିଥର ଆକ୍ରମଣ କରିଛି । ଇସ୍ରାଏଲୀ ସେନା ଏକ୍ସ ମାଧ୍ୟମରେ ଏକ ବିବୃତ୍ତି ଜାରି କରି ଲେଖିଛି । ଏହି କାରଣରୁ, ଇସ୍ରାଏଲୀ ଲୋକମାନେ ଆଶ୍ରୟ ନେବାକୁ ଦୌଡୁଛନ୍ତି ।