କାନାଡ଼ା : କାନାଡ଼ାର ଭାନକୁଭର ବିମାନବନ୍ଦରରେ ଖ୍ରୀଷ୍ଟମାସର ଉତ୍ସବମୁଖୀ ପରିବେଶ ଜଣେ ଏୟାର ଇଣ୍ଡିଆ ପାଇଲଟଙ୍କ ପାଇଁ ପଡିଲା ମହଙ୍ଗା । ପାଇଲଟଙ୍କ ମୁହଁରୁ ପ୍ରବଳ ନିଶାଯୁକ୍ତ ଦ୍ରବ୍ୟର ଗନ୍ଧ ଆସୁଥିବାରୁ ତାଙ୍କୁ ଅଟକ ରଖାଯାଇଛି । ଫ୍ଲାଇଟ୍ AI 186 ଭାନକୁଭରରୁ ଭିଏନା ଦେଇ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିଲା । ଏହି ଯାତ୍ରାଟି ୪ ଜଣ ପାଇଲଟଙ୍କ ଦ୍ବାରା ପରିଚାଳିତ ହେବାର ଥିଲା । କିନ୍ତୁ ବୋଇଂ 777 ବିମାନର ପାଇଲଟଙ୍କୁ ଉଡ଼ାଣ ପୂର୍ବରୁ ଡ୍ୟୁଟିରୁ ବାହାର କରାଯାଇଥିଲା । ସେମାନେ ବ୍ରେଥ୍ ଆନାଲାଇଜର (BA) ପରୀକ୍ଷାରେ ବିଫଳ ହୋଇଥିବା କାନାଡ଼ା କର୍ତ୍ତୁପକ୍ଷ ଜାଣିପାରିଥିଲେ । ବର୍ତ୍ତମାନ ପାଇଲଟଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନାନୁଯାୟୀ, ଭାନକୁଭର ବିମାନବନ୍ଦର ଡ୍ୟୁଟି-ଫ୍ରି ଷ୍ଟୋରର ଜଣେ କର୍ମଚାରୀ ନିଶାଦ୍ରବ୍ୟ ଗ୍ରହଣ କରୁଥିବାର ଦେଖିଥିଲେ । ତାଙ୍କ ମୁହଁରୁ ଦୁର୍ଗନ୍ଧ ଆସୁଥିବାରୁ ଘଟଣା ସମ୍ପର୍କରେ କାନାଡ଼ାର କର୍ତ୍ତୁପକ୍ଷଙ୍କୁ ସୂଚନା ଦିଆଯାଇଥିଲା । ଅଭିଯୋଗ ପାଇବା ପରେ ତୁରନ୍ତ ସ୍ଥାନୀୟ କର୍ତ୍ତୁପକ୍ଷ ସିସିଟିଭି ଫୁଟେଜ୍ ଚେକ୍ କରିଥିଲେ । ସମ୍ପୃକ୍ତ ବ୍ୟକ୍ତି ସମାନ ବିମାନ କ୍ରୁର ଏକ ଅଂଶ ଥିଲେ ବୋଲି ସେ ସ୍ପଷ୍ଟ କରିଥିଲେ ।`ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ଖୋଜାଖୋଜି ଆରମ୍ଭ କରାଯାଇଥିଲା । ପାଇଲଟ ପରୀକ୍ଷାରେ ବିଫଳ ହେବା ପରେ ତାଙ୍କୁ ତଦନ୍ତ ପାଇଁ ଅଟକ ରଖାଯାଇଥିଲା । ଯାହା ଦ୍ବାରା ବିମାନ ଉଡ଼ାଣରେ ଦୁଇ ଘଣ୍ଟା ବିଳମ୍ବ ଘଟିଥିଲା । କିନ୍ତୁ ବର୍ତ୍ତମାନ ବିମାନଟି ସୁରକ୍ଷିତ ଭାବରେ ଭିଏନାରେ ଲ୍ୟାଣ୍ଡି କରିଥିବା ସୂଚନା ମିଳିଛି । ଯେଉଁଥିରେ ଦ୍ବିତୀୟ କ୍ରୁ ସେଟ୍ ଦିଲ୍ଲୀକୁ ଉଡ଼ାଣ ପରିଚାଳନା କରିଥିଲା ।
ଅନ୍ୟପଟେ ପାଇଲଟଙ୍କୁ ଦିଲ୍ଲୀ ଅଣାଯାଇ ପଚରାଉଚରା କରାଯାଉଛି । ସମଗ୍ର ଘଟଣାର ଏକ ରିପୋର୍ଟ ସିଭିଲ୍ ଏଭିଏସନ୍ ମହାନିର୍ଦ୍ଦେଶାଳୟ କୁ ପଠାଯାଇଛି । ଯାହାର ତଦନ୍ତ ଏବେ ଚାଲିଛି । ନିୟମ ଉଲ୍ଲଘଂନ କରିଥିବାରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏଥିସହ ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛି ଏୟାର ଇଣ୍ଡିଆ କମ୍ପାନୀ ।

