Wednesday, March 25, 2026
37 C
Odisha

    ନୂଆ ବର୍ଷରୁ ଲାଗୁ ହେବ ୧୦ ନୂଆ ନିୟମ ; ଆଧାର-ପାନ୍‌ ଲିଙ୍କ୍‌ କରିନଥିଲେ ବଡ଼ ଅସୁବିଧା

    ଆଗକୁ ପଢନ୍ତୁ

    ନୂଆ ବର୍ଷରୁ ଲାଗୁ ହୋଇଛି ୧୦ ନୂଆ ନିୟମ । କେବଳ ନୂଆ ବର୍ଷ ବଦଳିବ ନାହିଁ, ବରଂ ଆପଣଙ୍କ ଚାରିପାଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ଜିନିଷରେ ମଧ୍ୟ ପରିବର୍ତ୍ତନ ଆସିଛି । ଏହି ପରିବର୍ତ୍ତନଗୁଡ଼ିକର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଜୀବନ ଉପରେ ପଡ଼ିବାକୁ ଯାଉଛି । ଚାଷୀଙ୍କଠାରୁ ଆରମ୍ଭ କରି ସରକାରୀ ଓ ବେସରକାରୀ କର୍ମଚାରୀ ଏବଂ ଯୁବପିଢ଼ିଙ୍କଠାରୁ ଆରମ୍ଭ କରି ସାଧାରଣ ମଣିଷ ପର୍ଯ୍ୟନ୍ତ ସମସ୍ତେ ଏହି ନୂଆ ନିୟମ ଦ୍ୱାରା ଅଳ୍ପ ବହୁତ ପ୍ରଭାବିତ ହେବେ ।

    ଆଧାର ପାନ୍‌ ଲିଙ୍କ୍‌ କରିନାହାନ୍ତି କି ?

    ଆଧାର କାର୍ଡ ଏବଂ ପାନକୁ ଲିଙ୍କ୍ ପାଇଁ ଡ଼ିସେମ୍ବର ୩୧ ତାରିଖ  ଶେଷ ଦିନ ଥିଲା ।  ପାନ୍‌-ଆଧାର ଲିଙ୍କ୍ କରିନଥିଲେ ଜାନୁଆରି ୧ରୁ ଆପଣଙ୍କ ପାନ୍ କାର୍ଡ ‘ଡିଏକ୍ଟିଭେଟ୍’  ବା ଅଚଳ ହୋଇଯାଇପାରେ । ପ୍ୟାନ୍ କାର୍ଡ ଅକାମୀ ହେଲେ ଆପଣଙ୍କୁ ଅନେକ ପ୍ରକାରର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । ଆଇଟିଆର୍ ରିଫଣ୍ଡ, ରସିଦ ଏବଂ ବ୍ୟାଙ୍କିଙ୍ଗ୍ ସୁବିଧା ପାଇପାରିବେ ନାହିଁ। ଏହା ସହିତ ପାନ୍ କାର୍ଡ ନିଷ୍କ୍ରିୟ ହେବା କାରଣରୁ ଆପଣ ଅନେକ ସରକାରୀ ଯୋଜନାର ଲାଭରୁ ମଧ୍ୟ ବଞ୍ଚିତ ହେବାର ସମ୍ଭାବନା ରହିଛି ।

    ଗ୍ୟାସ୍‌ ସିଲିଣ୍ଡର ଦର କମିବ ?

    ପ୍ରତି ମାସ ପରି ୧ ଜାନୁଆରୀରୁ ଏଲପିଜି ବା ରନ୍ଧନ ଗ୍ୟାସ୍ ଏବଂ କମର୍ସିଆଲ୍  ଗ୍ୟାସ୍ ସିଲିଣ୍ଡରର ନୂଆ ମୂଲ୍ୟ ଘୋଷଣା କରାଯିବ । ନୂଆ ବର୍ଷରୁ ଗ୍ୟାସ୍ ଦର ବଢ଼ୁଛି କି କମୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ ।

    ବଢ଼ିବ ବିମାନ ଟିକେଟ ଦାମ୍‌ !

    ଜାନୁଆରି ପହିଲାରୁ ବିମାନ ଇନ୍ଧନ ବା ଏଭିଏସନ୍ ଟର୍ବାଇନ୍ ଫ୍ୟୁଲ୍ ଦରରେ ମଧ୍ୟ ପରିବର୍ତ୍ତନ ହେବ । ଯଦି ବିମାନ ଇନ୍ଧନର ମୂଲ୍ୟ ବୃଦ୍ଧି ହୁଏ, ତେବେ ବିମାନ କମ୍ପାନୀଗୁଡ଼ିକ ଟିକେଟ୍ ଦର ବଢ଼ାଇ ପାରନ୍ତି, ଯାହା ବିମାନ ଯାତ୍ରୀଙ୍କ ପାଇଁ ଚିନ୍ତାର ବିଷୟ ହୋଇପାରେ ।  ମୋଟାମୋଟି ଭାବେ, ଜାନୁଆରି ପହିଲାରୁ ରନ୍ଧନ ଶାଳରୁ ଆରମ୍ଭ କରି ବିମାନ ଯାତ୍ରା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ନୂଆ ନିୟମ ଓ ନୂଆ ଦର ଲାଗୁ ହେବାକୁ ଯାଉଛି ।

    ଟ୍ୟାକ୍ସ ନିୟମ ବି ବଦଳିବ 

    ଜାନୁଆରି ମାସରୁ ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣ  ଦାଖଲ ପାଇଁ ସରକାର ଏକ ନୂଆ ଫର୍ମ ଜାରି ହେବ । ଏହି ଫର୍ମର ବିଶେଷତ୍ୱ ହେଉଛି ଯେ, ଏଥିରେ ଆପଣଙ୍କର ବ୍ୟାଙ୍କିଙ୍ଗ୍ କାରବାର ଏବଂ ବାର୍ଷିକ ଖର୍ଚ୍ଚ ସମ୍ବନ୍ଧୀୟ ତଥ୍ୟ ପୂର୍ବରୁ ହିଁ ଭରି ରହିଥିବ  । ଏହାଦ୍ୱାରା ଟ୍ୟାକ୍ସ ଦାଖଲ କରିବା ସମୟରେ ଆପଣଙ୍କୁ ଆଉ ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ ଏବଂ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ହେବ ।

    ଲାଗୁ ହେବ ଅଷ୍ଟମ ବେତନ ଆୟୋଗ ! 

    ୨୦୨୬ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର ନେଇ ଆସୁଛି । ଆସନ୍ତା ୧ ଜାନୁଆରୀ, ୨୦୨୬ରୁ ଦେଶରେ ଅଷ୍ଟମ ବେତନ କମିସନ ଲାଗୁ ହେବା ନେଇ ପ୍ରବଳ ସମ୍ଭାବନା ରହିଛି । ଜାନୁଆରି ମାସରୁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ବୃଦ୍ଧି ହେବାକୁ ଯାଉଛି । ଏହାଦ୍ୱାରା କର୍ମଚାରୀଙ୍କ ମାସିକ ଦରମାରେ ବଡ଼ ଧରଣର ବୃଦ୍ଧି ହେବ । କେବଳ ସ୍ଥାୟୀ କର୍ମଚାରୀ ନୁହଁନ୍ତି, ବରଂ ପାର୍ଟ-ଟାଇମ୍ ଏବଂ ଦୈନିକ ମଜୁରିଆଙ୍କ ପାଇଁ ମଧ୍ୟ ସରକାର ବଡ଼ ନିଷ୍ପତ୍ତି ନେଇପାରନ୍ତି । ହରିୟାଣା ଭଳି ରାଜ୍ୟଗୁଡ଼ିକରେ ଦୈନିକ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବୃଦ୍ଧି କରିବାକୁ ପ୍ରସ୍ତୁତି ଚାଲିଛି ।

    ଚାଷୀଙ୍କୁ ମିଳିବ ଅଧିକ ସହାୟତା

    ନୂଆ ବର୍ଷରେ କୃଷକମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରାଯାଉଛି । ଉତ୍ତର ପ୍ରଦେଶ ସମେତ ଦେଶର ଅନେକ ରାଜ୍ୟରେ ଏବେ ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ‘ଫାର୍ମର ଆଇଡି’ ପ୍ରସ୍ତୁତ କରାଯାଉଛି । ପିଏମ୍ କିସାନ ଯୋଜନାର ପରବର୍ତ୍ତୀ କିସ୍ତି ପାଇବା ପାଇଁ ଏହି ଆଇଡି ବାଧ୍ୟତାମୂଳ । ଆଇଡି ନଥିଲେ ଟଙ୍କା ମିଳିନପାରେ ।  ନୂଆବର୍ଷରୁ ଯଦି ଜଙ୍ଗଲୀ ଜନ୍ତୁ ଚାଷ ଜମିରେ ପଶି ଫସଲ ନଷ୍ଟ କରନ୍ତି, ତେବେ ମଧ୍ୟ ଚାଷୀଙ୍କୁ ବୀମା ରାଶି ପ୍ରଦାନ କରାଯିବ। ପୂର୍ବରୁ ଏହି ସୁବିଧା ଉପଲବ୍ଧ ନଥିଲା ।

    ସୋସିଆଲ ମିଡିଆ ଉପରେ କଟକଣା ! 

    ନୂଆ ବର୍ଷରୁ ସୋସିଆଲ ମିଡିଆରେ ପିଲାଙ୍କ ଏଣ୍ଟ୍ରି ଉପରେ ଲାଗିବ କଟକଣା । ଅଷ୍ଟ୍ରେଲିଆ ଏବଂ ମାଲେସିଆ ଭଳି  ଭାରତରେ ମଧ୍ୟ ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା ନିୟମ ଲାଗୁ ହୋଇପାରେ । ପିଲାଙ୍କୁ ଡିଜିଟାଲ ଦୁନିଆର କୁପ୍ରଭାବରୁ ରକ୍ଷା କରିବା ପାଇଁ ଏହି କଟକଣା ଲାଗୁ କରାଯାଇପାରେ ।

    ଜାନୁଆରିରେ  ୧୬ ଦିନ ବ୍ୟାଙ୍କ ବନ୍ଦ !

    ୨୦୨୬ରୁ ପ୍ରଥମ ମାସ ଜାନୁଆରିରେ ସର୍ବାଧିକ ବ୍ୟାଙ୍କ ଛୁଟି ଘୋଷଣା କରାଯାଇଛି । ଭାରତୀୟ ରିଜର୍ଭ ବ୍ୟାଙ୍କ ନିଜ ୱେବସାଇଟରେ ବ୍ୟାଙ୍କ ଛୁଟିର ସମ୍ପୂର୍ଣ୍ଣ ସୂଚୀ ଅପଲୋଡ୍ କରିସାରିଛି । ଏଭଳି ପରିସ୍ଥିତିରେ ଆସନ୍ତା ମାସରେ ଯଦି ଆପଣ କୌଣସି ଜରୁରୀ ବ୍ୟାଙ୍କ କାମରେ ବାହାରକୁ ଯିବା ପାଇଁ ଯୋଜନା କରୁଛନ୍ତି, ତେବେ ଏହି ତାଲିକାକୁ ଦେଖି ଯିବା ନିହାତି ଜରୁରୀ। ନଚେତ୍ ଆପଣ ବ୍ୟାଙ୍କ ଶାଖାରେ ପହଞ୍ଚିବା ପରେ ସେଠାରେ ତାଲା ପଡ଼ିଥିବା ଦେଖି ହଇରାଣ ହୋଇପାରନ୍ତି । କାରଣ ଜାନୁଆରି  ମୋଟ ୧୬ ଦିନ ବ୍ୟାଙ୍କ ବନ୍ଦ ରହିବ । ଏହି ଛୁଟିଗୁଡ଼ିକ ଭିନ୍ନ ଭିନ୍ନ ରାଜ୍ୟର ପର୍ବପର୍ବାଣୀ ଅନୁସାରେ ଅଲଗା ଅଲଗା ହୋଇପାରେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    37 ° C
    37 °
    37 °
    17 %
    4.9kmh
    23 %
    Wed
    36 °
    Thu
    38 °
    Fri
    40 °
    Sat
    39 °
    Sun
    41 °

    ସମ୍ବନ୍ଧିତ