Thursday, May 8, 2025
35 C
Odisha

    ପାକିସ୍ତାନ ସେନା ଗୁଳିରେ ସହିଦ ହେଲେ ଦିନେଶ, ଭେଣ୍ଡିଆ ପୁଅକୁ ହରାଇ କାନ୍ଦୁଛି ମା’

    ଆଗକୁ ପଢନ୍ତୁ

    ହରିୟାଣା : କାନ୍ଦ ବୋବାଳିରେ ଫାଟିପଡୁଛି ଗାଁ ଦାଣ୍ଡ । ଚେତା ବୁଡି ଯାଉଛି ସ୍ତ୍ରୀଙ୍କର । ଆଉ ଏପଟେ ନିଜ ଭେଣ୍ଡିଆ ପୁଅକୁ ହରାଇ ମା’, ମାଉସୀଙ୍କ ଛାତି ଫାଟି ପଡୁଛି । ବାହୁନି ବାହୁନି ଅସମ୍ଭାଳ ହୋଇପଡୁଛନ୍ତି ସମସ୍ତେ । ଯବାନ ସହିଦ ହେବା ଖବରକୁ ନେଇ ସାଙ୍ଗସାଥି ଠାରୁ ଆରମ୍ଭ କରି ଗ୍ରାମବାସୀ ସଭିଏଁ ଗଭୀର ଭାବେ ମର୍ମାହତ । ଧର୍ଯ୍ୟହରା ହୋଇ ପଡ଼ୁଛନ୍ତି ବନ୍ଧୁ ବାନ୍ଧବ ଓ ପରିବାର ଲୋକେ । ଜମ୍ମୁ-କାଶ୍ମୀର ପୁଞ୍ଚରେ ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳିବିନିମୟ ସମୟରେ ଭାରତୀୟ ସେନାର ଜଣେ ସୈନିକ ସହିଦ ହୋଇଛନ୍ତି । ଯବାନ ସହିଦ ହେବା ଖବର ଶୁଣିବା ପରେ ତାଙ୍କ ଘରେ ଏମିତି ଦୁଃଖଦ ସ୍ଥିତି ଦେଖିବାକୁ ମିଳିଛି ।

    ମେ ୭ରେ ଭାରତୀୟ ସେନା ଆତଙ୍କବାଦ ବିରୁଦ୍ଧରେ ଅପରେସନ୍ ସିନ୍ଦୂର ଚଳାଇଥିଲେ, ସେବେଠାରୁ ସୀମାରେ ଲଗାତାର ଗୁଳିଚାଳନା ଜାରି ରହିଛି । ବୁଧବାର ଦିନ ଅର୍ଥାତ୍ ଗତ କାଲି ଜମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକିସ୍ତାନୀ ସେନାର ଭୟଙ୍କର ଗୁଳିମାଡ଼ରେ ଭାରତୀୟ ସେନାର ଜଣେ ସୈନିକ ଲାନ୍ସ ନାୟକ ଦିନେଶ କୁମାର ସହିଦ ହୋଇଛନ୍ତି । ତାଙ୍କୁ ୫ମ ଫିଲ୍ଡ ରେଜିମେଣ୍ଟରେ ନିୟୁକ୍ତି ଦିଆଯାଇଥିଲା । ଭାରତୀୟ ସେନାର ହ୍ବାଇଟ ନାଇଟ୍ କର୍ପସ ତାଙ୍କ ବଳିଦାନକୁ ସଲାମ କରିଛି । ହ୍ବାଇଟ୍ ନାଇଟ୍ କର୍ପସର ଜିଓସି ଏବଂ ସମସ୍ତ ସୈନିକ ଲାନ୍ସ ନାୟକ ଦିନେଶ କୁମାରଙ୍କୁ ତାଙ୍କ ସାହସିକତା ଏବଂ ଦେଶ ପାଇଁ ତାଙ୍କର ବଳିଦାନ ପାଇଁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି ।

    ହରିୟାଣାର ପଲୱଲ ଜିଲ୍ଲାର ବାସିନ୍ଦା ଲାନ୍ସ ନାୟକ ଦିନେଶ କୁମାର ପାକିସ୍ତାନ ସେନାର ଗୁଳିମାଡ଼ରେ ପ୍ରଥମେ ଆହତ ହୋଇଥିଲେ । ଆହତ ସୈନିକଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ସବୁ ଚେଷ୍ଟା ପରେ ବି ସହିଦ ହୋଇଗଲେ ଦିନେଶ । ଭାରତୀୟ ସେନା ଏହି ଘଟଣା ବିଷୟରେ ସୂଚନା ଦେଇଛି । ସହିଦ ସୈନିକ ହରିୟାଣାର ପଲୱଲ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି । ସହିଦ ଯବାଦ ଦିନେଶଙ୍କ ପାର୍ଥିବ ଶରୀରକୁ ତାଙ୍କ ଜନ୍ମଭୂମି ପଲୱଲକୁ ପଠାଯିବ, ଯେଉଁଠାରେ ସାମରିକ ସମ୍ମାନ ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି ।

    ପାକିସ୍ତାନର ଏହି ଅନିୟନ୍ତ୍ରିତ ଗୁଳିଚାଳନା କେବଳ ଭାରତୀୟ ସୈନିକଙ୍କର କ୍ଷତି ହୋଇଛି ତା ନୁହେଁ ବରଂ ସୀମାନ୍ତ ଗାଁଗୁଡ଼ିକ ଉପରେ ମଧ୍ୟ ଏହାର ଗଭୀର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି । ପାକିସ୍ତାନୀ ସେନା ମୋର୍ଟାର ଏବଂ ତୋପ ସାହାଯ୍ୟରେ ଡଜନ ଡଜନ ଗାଁ ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ୧୨ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ପ୍ରାୟ ୪୦ ଜଣ ଆହତ ହୋଇଛନ୍ତି । ସୀମାନ୍ତ ଗାଁ ଗୁଡ଼ିକରେ ଭୟର ବାତାବରଣ ଖେଳି ଯାଇଛି । ପରିସ୍ଥିତି ଏପରି ହୋଇଛି ଯେ ସ୍ଥାନୀୟ ଲୋକମାନେ ଘର ଛାଡି ବଙ୍କର କିମ୍ବା ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି । ତେବେ ଭାରତ୍ ପାକ୍ ଯୁଦ୍ଧରେ ଯବାନ ଦିନେଶ ସହିଦ ହେବା ପରେ ସମସ୍ତଙ୍କ ଆଖିରେ ଲୁହ । ଯବାନଙ୍କୁ ହରାଇ କାନ୍ଦୁଛି ପରିବାର, କାନ୍ଦୁଛି ଗାଁ, କାନ୍ଦୁଛି ଦେଶ । କିନ୍ତୁ କୁହାଯାଏ ବୀରର କେବେ ମୃତ୍ୟୁ ହୁଏନି, ସେମାନେ ସବୁବେଳେ ଅମର। ଆଉ ତାଙ୍କ ବୀରତ୍ବର ଗାଥା ଛାପ ଛାଡି ଦେଇ ଯାଏ ଜନସାଧାରଣଙ୍କ ହୃଦୟରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35 ° C
    35 °
    35 °
    26 %
    1.6kmh
    93 %
    Thu
    34 °
    Fri
    37 °
    Sat
    40 °
    Sun
    40 °
    Mon
    42 °

    ସମ୍ବନ୍ଧିତ