Saturday, April 11, 2026
37.5 C
Odisha

    ପାରାଦୀପ ବନ୍ଦର ୧.୫ ଲକ୍ଷ କୋଟିର ଏମ୍‌ଓୟୁ କରିବ: ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଚଳିତ ମାସ ୨୭ରୁ ୩୧ ପର୍ଯ୍ୟନ୍ତ ମୁମ୍ବାଇରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଡିଆ ମାରିଟାଇମ୍‌ ୱିକ୍‌ ୨୦୨୫ରେ ବଡ଼ଧରଣର ବୁଝାମଣା ହେବାକୁ ଯାଉଛି। ଉକ୍ତ ସମ୍ମିଳନୀରେ ପାରାଦୀପ ବନ୍ଦର ୧.୫ ଲକ୍ଷ କୋଟି ଟଙ୍କାର ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିବ। ଜାହାଜ ନିର୍ମାଣ, ଜାହାଜ ମରାମତି, ବନ୍ଦର ଆଧୁନିକୀକରଣ, ସ୍ମାର୍ଟ ବନ୍ଦର ଅଭିଯାନ, ବ୍ୟବସାୟ ବିକାଶ ଓ ଗ୍ରିନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ଭଳି କ୍ଷେତ୍ରରେ ଏହି ଏମ୍‌ଓୟୁଗୁଡ଼ିକ ସ୍ବାକ୍ଷରିତ ହେବ ବୋଲି ପାରାଦୀପ ବନ୍ଦର ଅଧ୍ୟକ୍ଷ ପି ଏଲ୍‌ ହରାନାଦ ସୂଚନା ଦେଇଛନ୍ତି। ନିକଟରେ ପାରାଦୀପ ବନ୍ଦରକୁ କେନ୍ଦ୍ର ସରକାର ଗ୍ରିନ୍ ହାଇଡ୍ରୋଜେନ୍ ହବ୍ ଭାବେ ଘୋଷଣା କରିଥିଲେ। କେନ୍ଦ୍ର ବନ୍ଦର, ଜାହାଜ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଥିବା ଇଣ୍ଡିଆ ମାରିଟାଇମ୍ ୱିକ୍‌ରେ ରାଜ୍ୟ ସରକାର ମଧ୍ୟ ଅଂଶଗ୍ରହଣ କରିବେ। ଏହି ଅବସରରେ ପୁରୀରେ ଏକ କ୍ରୁଜ୍ ଟର୍ମିନାଲ୍‌ ବିକାଶ କରିବା ଲାଗି ମଧ୍ୟ ବୁଝମାମଣା ସ୍ବାକ୍ଷର କରାଯିବ। ବ୍ରହ୍ମଗିରି-ସାତପଡ଼ା ଅଞ୍ଚଳରେ ଏହି ଟର୍ମିନାଲ ସ୍ଥାପନ କରାଯିବ। ପୁରୀ ଆନ୍ତର୍ଜାତିକ ବିମାନବନ୍ଦର ପାଇଁ ଚିହ୍ନଟ କରାଯାଇଥିବା ସ୍ଥାନ ପାଖାପାଖି ଏହାକୁ ନିର୍ମାଣ କରାଯିବ। ରାଜ୍ୟ ସରକାର ଏହାର ବିକାଶ କରିବେ। କିନ୍ତୁ ଘରୋଇ କ୍ରୁଜ୍ ଅପରେଟରମାନେ ସେଠାରେ କ୍ରୁଜ୍ ଚଳାଚଳ କରିବେ। ସେମାନେ ପୁରୀରୁ ପାରାଦୀପ, ଦୀଘା, ବିଶାଖାପାଟଣା ଏବଂ ଆଣ୍ଡାମାନ ଓ ନିକୋବରକୁ କ୍ରୁଜ୍ ଚଳାଇପାରିବେ। ସାମୁଦ୍ରିକ ପର୍ଯ୍ୟଟନ ବିକାଶରେ ସେହି ପ୍ରକଳ୍ପ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ପ୍ରଥମ ପର୍ଯ୍ୟାୟରେ ପୁରୀ ଉପରେ ଧ୍ୟାନ ଦିଆଯିବ ଏବଂ ୨-୩ ବର୍ଷ ମଧ୍ୟରେ କ୍ରୁଜ୍ ଟର୍ମିନାଲ୍‌କୁ ପାରାଦୀପ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବ। ପାରାଦୀପ ବନ୍ଦର, ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ଓ ଇପିକଲ ମଧ୍ୟ ଏହି ପ୍ରସ୍ତାବିତ ପ୍ରକଳ୍ପ ସହ ଯୋଡ଼ିହୋଇଛନ୍ତି। ବର୍ତ୍ତମାନ ଏହା ଡିଟେଲ୍‌ଡ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌) ସ୍ତରରେ ରହିଛି। ଇଣ୍ଡିଆ ମାରିଟାଇମ୍ ୱିକ୍‌ରେ ୧୦୦ରୁ ଅଧିକ ଦେଶ, ୨୦୦ରୁ ଅଧିକ ଅନ୍ତର୍ଜାତୀୟ ବିଶେଷଜ୍ଞ ଓ ୫୦୦ ଅଗ୍ରଣୀ କମ୍ପାନି ଭାଗ ନେବେ। ଏହି ସମ୍ମିଳନୀରେ ଜ୍ଞାନର ଆଦାନପ୍ରଦାନ, ନିବେଶ ସୁଯୋଗ ସନ୍ଧାନ ଓ ପ୍ରଯୁକ୍ତି ହସ୍ତାନ୍ତର ଆଦି ଉପରେ ଆଲୋଚନା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.5 ° C
    37.5 °
    37.5 °
    10 %
    4.3kmh
    0 %
    Sat
    37 °
    Sun
    41 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ