ପୁଣେ : ପୁଣେର ୨୬ ବର୍ଷୀୟ ବ୍ୟବସାୟୀ କେତନ ଅଗ୍ରୱାଲ ହତ୍ୟା ମାମଲା ଏବେ ଏକ ନୂଆ ମୋଡ଼ ଆସିଛି । ସିୟା ଏବଂ ଚେତନଙ୍କୁ କୋର୍ଟ ଜୁଲାଇ ୩ ତାରିଖ ଯାଏଁ ପୋଲିସ ହେପାଜତକୁ ପଠାଇଛନ୍ତି । କୋର୍ଟରେ ଓକିଲାତିନାମା ଦାଖଲକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ପରେ ଆଡଭୋକେଟ୍ ଆଶୁତୋଷ ଶ୍ରୀବାସ୍ତବ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲଙ୍କ ଭାଇ ସାହିଲ ଗୋୟଲଙ୍କୁ ୧୦ କୋଟି ଟଙ୍କାର ମାନହାନି ନୋଟିସ୍ ପଠାଇଛନ୍ତି । ସାହିଲଙ୍କ ମିଥ୍ୟା ଅଭିଯୋଗ ଯୋଗୁଁ ତାଙ୍କର ବ୍ୟାବସାୟିକ ସୁନାମ ହାନି ହୋଇଥିବା ଦର୍ଶାଇ ଏଭଳି ପଦକ୍ଷେପ ନେଇଛନ୍ତି ।
ସୋମବାର ଦିନ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ଓ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କ ପୋଲିସ ହେପାଜତ ଅବଧି ଶେଷ ହେବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା । ଅଧିକ ତଦନ୍ତ ପାଇଁ କୋର୍ଟ ସେମାନଙ୍କ ରିମାଣ୍ଡ ଅବଧିକୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତେବେ ଶୁଣାଣି ସମୟରେ କୋର୍ଟରୁମରେ ଆଡଭୋକେଟ୍ ଆଶୁତୋଷ ଶ୍ରୀବାସ୍ତବ ସିୟାଙ୍କ ପକ୍ଷ ରଖୁଥିବା ଦାବି କରିଥିଲେ ଏବଂ ସିୟାଙ୍କ ସ୍ୱାକ୍ଷର ଥିବା ଏକ ଓକିଲାତିନାମା ଦାଖଲ କରିଥିଲେ ।
ସିୟା କୋର୍ଟଙ୍କୁ ସ୍ପଷ୍ଟ ଭାବେ ଜଣାଇଥିଲେ ଯେ, ଆଶୁତୋଷ ନୁହଁନ୍ତି, ବରଂ ଆଡଭୋକେଟ୍ ବିପୁଲ ଦୁଶିଙ୍ଗ ତାଙ୍କର ଅସଲ ଓକିଲ । ପରିବାର ପକ୍ଷରୁ ମଧ୍ୟ ବିପୁଲଙ୍କୁ ହିଁ ନିଯୁକ୍ତ କରାଯାଇଥିବା କୁହାଯାଇଥିଲା । ଏହି ଶୁଣାଣି ପୂର୍ବରୁ ସିୟାଙ୍କ ଭାଇ ସାହିଲ ଗୋୟଲ ସର୍ବସାଧାରଣରେ ଅଭିଯୋଗ କରିଥିଲେ ଯେ, ଆଶୁତୋଷ ଶ୍ରୀବାସ୍ତବଙ୍କୁ ପରିବାର ପକ୍ଷରୁ କୌଣସି ଅନୁମତି ଦିଆଯାଇ ନାହିଁ । ସେ ସିୟାଙ୍କ ଠାରୁ ଛଳନା କରି ସ୍ୱାକ୍ଷର ହାସଲ କରିଥାଇପାରନ୍ତି ଏବଂ ପରିବାରକୁ ଧମକ ଦେଉଛନ୍ତି ବୋଲି ସାହିଲ କହିଥିଲେ ।
ଏହି ଅଭିଯୋଗକୁ ଭିତ୍ତିହୀନ ଦର୍ଶାଇ ଓକିଲ ଆଶୁତୋଷ, ସାହିଲଙ୍କୁ ଆଇନଗତ ନୋଟିସ୍ ପଠାଇ ତୁରନ୍ତ ଅଭିଯୋଗ ପ୍ରତ୍ୟାହାର କରିବା ସହ ସାର୍ବଜନୀନ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଛନ୍ତି । ସେ କହିଛନ୍ତି, ସିୟା ଜଣେ ସାବାଳିକା ଏବଂ ସେ ନିଜ ଇଚ୍ଛାରେ ବମ୍ବେ ହାଇକୋର୍ଟ ପର୍ଯ୍ୟନ୍ତ ମାମଲା ଲଢ଼ିବା ପାଇଁ ଓକିଲାତିନାମାରେ ସ୍ୱାକ୍ଷର କରିଛନ୍ତି । ତେବେ ଏହାକୁ ନେଇ ସିୟାଙ୍କ ପକ୍ଷରୁ କୌଣସି ଜବାବ ସାମ୍ନାକୁ ଆସିନାହିଁ ।
