Saturday, October 3, 2026
23 C
Odisha

    ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପ୍ରକଳ୍ପ, ଅନୁଧ୍ୟାନ କଲେ କେନ୍ଦ୍ର ଜଙ୍ଗଲ ଉପଦେଷ୍ଟା କମିଟି

    ଆଗକୁ ପଢନ୍ତୁ

    ପୁରୀ : ଆଗେଇବ କି ପୁରୀ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ପ୍ରକଳ୍ପ ?  ପରିବେଶ ମଞ୍ଜୁରୀ ନେଇ ସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ର ଜଙ୍ଗଲ ଉପଦେଷ୍ଟା କମିଟି ପୁରୀ ଆସିଛି ।  ପ୍ରସ୍ତାବିତ ପୁରୀ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ଦ୍ବାରା ପରିବେଶ ଉପରେ ପଡ଼ିବାକୁ ଥିବା ଗମ୍ଭୀର ପ୍ରଭାବ ନେଇ ଉଦବେଗ ପ୍ରକାଶ କରିଛି କମିଟି । ଗତ ନଭେମ୍ବର ୨୭ ତାରିଖରେ ନୂଆଦିଲ୍ଲୀରେ କେନ୍ଦ୍ର ପରିବେଶ ମନ୍ତ୍ରାଳୟର ଏନେଇ ବୈଠକ ବସିଥିଲା ।

    ବୈଠକର ନିଷ୍ପତ୍ତି ଅନୁସାରେ ପ୍ରସ୍ତାବିତ ବିମାନବନ୍ଦର ନିକଟରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା, ଚିଲିକାରେ ଇରାୱାଡ଼ି ଡଲଫିନଙ୍କ ବାସସ୍ଥାନ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଉଦବେଗ ପ୍ରକାଶ ପାଇଥିଲା । ଏହା ସହ ଚିଲିକାକୁ ବହୁ ବିଦେଶାଗତ ପକ୍ଷୀ ଆସୁଥିବାରୁ ଏହାକୁ ଦୃଷ୍ଟି ଦିଆଯାଇଥିଲା । ଚିଲିକାରେ ନୌସେନା ଘାଟି ଥିବାରୁ ପ୍ରକଳ୍ପ ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ଠାରୁ ମତାମତ ନେବାକୁ ରିପୋର୍ଟରେ ଦର୍ଶାଯାଇଥିଲା ।

    ଏବେ ଜଙ୍ଗଲ ଉପଦେଷ୍ଠା କମିଟି ପୁରୀ ଆସି ସ୍ଥିତି ଅନୁଧ୍ୟାନ ପରେ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବ ବୋଲି ଜଣାପଡ଼ିଛି । ୨୦୨୪ ଜୁନ ୭ ତାରିଖରେ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଏଫଏସି ନିକଟରେ ମଞ୍ଜୁରୀ ପାଇଁ ଦାଖଲ କରିଥିଲେ। ପ୍ରସ୍ତାବିତ ବିମାନ ବ୍ରହ୍ମଗିରି ତହସିଲର ସିପସରୁବାଲି ଠାରେ ନିର୍ମାଣ ହେବ ବୋଲି ଜଣାଇଥିଲେ ରାଜ୍ୟ ସରକାର।

    ଭୁବନେଶ୍ବର ବିମାନ ବନ୍ଦର ସଂପ୍ରସାରଣ ପାଇଁ ଆବଶ୍ୟକ ଜମି ପାଖରେ ନାହିଁ। ଏଭଳି ପରିସ୍ଥିତିରେ ଭୁବନେଶ୍ବର ନିକଟବର୍ତ୍ତୀ ସ୍ଥାନରେ ଆଉ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ ଜରୁରୀ ବୋଲି ଜଣାଇଥିଲେ ରାଜ୍ୟ ସରକାର। ରାଜ୍ୟରେ ଆଉ ଏକ ବିମାନବନ୍ଦରର ଆବଶ୍ୟକତା ଦର୍ଶାଇ କିଛି ଦିନ ତଳେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁଙ୍କୁ ଭେଟି ଦାବି ଜଣାଇଥିଲେ ଓଡ଼ିଶା ସମସ୍ତ ବିଜେପି ସାଂସଦ।

    ସେହିପରି ବିମାନ ବନ୍ଦର ନେଇ ରାଜ୍ୟ ସଭାରେ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରଶ୍ନରେ ବିମାନ ଚଳାଚଳ ମନ୍ତ୍ରାଳୟ ସାଇଟ କ୍ଲିଅରାନସ ସାର୍ଟିଫିକେଟ ପ୍ରଦାନ କରିଥିବା କହିଥିଲେ ମନ୍ତ୍ରୀ। ତେବେ ଜମି ଅଧିଗ୍ରହଣ ରାଜ୍ୟ ସରକାରଙ୍କ ଦାୟିତ୍ବ ବୋଲି କହିଥିଲେ ମନ୍ତ୍ରୀ। ଏହା ସହ ପ୍ରସ୍ତାବିତ ବିମାନବନ୍ଦରର ଡିପିଆର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ବିଧିବଦ୍ଧ ଭାବେ ବିମାନବନ୍ଦର ନିର୍ମାଣ ପାଇଁ ସାର୍ଟିଫିକେଟ ପ୍ରଦାନ କରାଯିବ ବୋଲି କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23 ° C
    23 °
    23 °
    86 %
    1.4kmh
    58 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ