Thursday, October 15, 2026
22.4 C
Odisha

    ପ୍ରଭୁ ନୀଳମାଧବ ପୀଠର ଅବହେଳା ନେଇ କ୍ଷୋଭ ପ୍ରକାଶ କଲେ ରାଷ୍ଟ୍ରପତି

    ଆଗକୁ ପଢନ୍ତୁ

    ନୟାଗଡ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୟାଗଡ଼ ଜିଲ୍ଲା କଣ୍ଟିଲୋ ସ୍ଥିତ ନୀଳମାଧବ ଗସ୍ତରେ ଯାଇ ବିଶ୍ୱାବସୁ ସମାଜ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ରାଷ୍ଟ୍ରପତି ଏହି ଗସ୍ତକୁ ଏକ ସୁଯୋଗ ଭାବେ ବର୍ଣ୍ଣନା କରିଛନ୍ତି। ରାଷ୍ଟ୍ରପତି ପ୍ରଭୁ ଜଗନ୍ନାଥଙ୍କ ଆଦିପୀଠ କୁହାଯାଉଥିବା କଣ୍ଟିଲୋ ନୀଳମାଧବ ପୀଠର ବିକାଶ ହୋଇନଥିବା ବିଷୟ ପ୍ରକାଶ କରି କ୍ଷୋଭ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୀଳମାଧବ ପୀଠର ବିକାଶ ଲାଗି ଅର୍ଥର ଅଭାବ ରହିବ ନାହିଁ ବୋଲି କହିବା ପରେ ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

    ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱରରୁ ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ନୟାଗଡ଼ ଆସି ମହାପ୍ରଭୁ ନୀଳମାଧବ ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ। ପରେ ସେ କାଳିଆପଲ୍ଲୀଠାରେ ଭାରତୀୟ ବିଶ୍ୱାବସୁ ଶବର ସମାଜର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ।କାଳିଆପଲ୍ଲୀରେ ସମାବେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଥିଲେ ଯେ, ଏହି ଅଞ୍ଚଳର ଚମତ୍କାର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଏହା ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଅଞ୍ଚଳରେ ଭିତ୍ତିଭୂମିର ବିକାଶ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ଆକୃଷ୍ଟ କରିବ ବୋଲି ସେ କହିଥିଲେ। ପର୍ଯ୍ୟଟନର ବିକାଶ ହେଲେ ସେହି ଅଞ୍ଚଳର ଅର୍ଥନୀତି ମଧ୍ୟ ସୁଦୃଢ଼ ହେବ। ଏହି ସ୍ଥାନ ଓ ଅଞ୍ଚଳର ବିକାଶ ରେ ସହଯୋଗ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ। କୃଷି, ହସ୍ତଶିଳ୍ପ, ପର୍ଯ୍ୟଟନ ଆଦି ବିଭିନ୍ନ କ୍ଷେତ୍ରରେ ନୟାଗଡ଼ର ସମ୍ଭାବନାକୁ ପୂର୍ଣ୍ଣ ରୂପ ଦେବା ପାଇଁ ସମସ୍ତେ ଆଗେଇ ଆସିବା ଦରକାର ବୋଲି ସେ କହିଥିଲେ।

    ପ୍ରକୃତି ଅନୁକୂଳ ଜୀବନଶୈଳୀ ଭାରତୀୟ ସଂସ୍କୃତିର ଏକ ବୈଶିଷ୍ଟ୍ୟ ବୋଲି ରାଷ୍ଟ୍ରପତି କହିଥିଲେ। ଏହା ମଧ୍ୟ ଆଦିବାସୀ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଆଦିବାସୀ ଭାଇ ଭଉଣୀମାନେ ଜଙ୍ଗଲ, ଗଛ ଇତ୍ୟାଦିକୁ ଦେବତା ଭାବରେ ପୂଜା କରନ୍ତି। ଆଦିବାସୀ ବିଶ୍ୱାସ ଅନୁଯାୟୀ, ସେମାନଙ୍କ ପୂର୍ବପୁରୁଷଙ୍କ ଆତ୍ମା ଜଙ୍ଗଲରେ ବାସ କରନ୍ତି। ଏହି ବିଶ୍ୱାସ ଜଙ୍ଗଲ ସୁରକ୍ଷାର ମହାନ ମନ୍ତ୍ର।ରାଷ୍ଟ୍ରପତି କହିଥିଲେ ଯେ ଆଦିବାସୀ ଭାଇ ଭଉଣୀଙ୍କ କଳା ଓ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ସହିତ ସେମାନଙ୍କ ସଶକ୍ତୀକରଣ ଓ ଆତ୍ମନିର୍ଭରଶୀଳତା ପାଇଁ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ ହୋଇ ସେହି ଯୋଜନାଗୁଡ଼ିକର ଲାଭ ଉଠାଇବାକୁ ସେ ଅନୁରୋଧ କରିଥିଲେ। ଲୋକଙ୍କ ସହଯୋଗ ଓ ଭାଗିଦାରୀରେ ହିଁ ସରକାରୀ ଯୋଜନା ସଫଳ ହେବ ବୋଲି ରାଷ୍ଟ୍ରପତି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    95 %
    1.5kmh
    5 %
    Wed
    22 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ