ଉଦଳା : ଚାକିରି ପାଇଁ ଯାଇଥିଲେ । ଶବ ହୋଇ ଫେରିଲେ। କାନ୍ଦୁଛି ପୁରା ଗାଁ । ସମସ୍ତଙ୍କ ଆଖିରେ ଲୁହ। କାହା ଆଖିରୁ ଧାର ଧାର ହୋଇ ଗଡି ଯାଉଛି ଲୁହ ତ, ଆଉ କିଏ ମୁହଁକୁ ଚାପି କାନ୍ଦୁଛି । ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗ୍ରାମର କୃଷ୍ଣ ଗୋପାଳ ଫରେଷ୍ଟ ଗାର୍ଡ ପରୀକ୍ଷାର ରିଟିନ୍ କ୍ଲିଅର କରିବା ପରେ ଫିଜିକାଲ ଟେଷ୍ଟ ପାଇଁ ବାଲେଶ୍ବର ଯାଇଥିଲେ । ଗତକାଲି ଫିଜିକାଲ ଟେଷ୍ଟ ବେଳେ ଅଚାନକ ଟଳି ପଡ଼ିଲେ ।
ବାଲେଶ୍ୱରର ପୋଲିସ ଫିଲଡରେ ଦୌଡ଼ ଲଗାଉଥିବା ବେଳେ ଆଉ ମାତ୍ର ଦେଢ କିମି ବାକି ଥାଇ ଅଚାନକ ଟଳି ପଡ଼ିଥିଲେ କୃଷ୍ଣ ଗୋପାଳ । ତାଙ୍କୁ ପ୍ରଥମେ ବାଲେଶ୍ୱର ଏବଂ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ପରୀକ୍ଷାରେ ପାସ ହୋଇ ପୁଅ ଫେରିବ । ଚାକିରି ହେଲେ ଘରର ଦୁଃଖ ଦୂର ହେବା ଆଶାରେ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ ପରିବାର । ହେଲେ ସବୁ ସ୍ବପ୍ନ ଅଧା ରହିଗଲା । ଘରକୁ ଫେରିଲା ପୁଅର ମୃତଦେହ । ପୁରା ଗାଁ ଶୋକରେ ଡୁବିଛି । ଗାଁର ଗେହ୍ଲା ପୁଅକୁ ଶେଷ ଥର ଦେଖିବା ପାଇଁ ଗାଁ ମୁଣ୍ଡରେ ଭିଡ଼ ଜମିଛି ।