Thursday, October 8, 2026
22.2 C
Odisha

    ବଢ଼ୁଛି H1 N1 ସଂକ୍ରମଣ, ଦିଲ୍ଲୀରେ ବାଜିଲା ସତର୍କ ଘଣ୍ଟି; ଭିଡ଼ ସ୍ଥାନରେ ମାସ୍କ ପିନ୍ଧିବାକୁ ପରାମର୍ଶ

    ଆଗକୁ ପଢନ୍ତୁ

    ଦେଶରେ ପୁଣି ବଢ଼ିବାରେ ଲାଗିଛି ଫ୍ଲୁ ସଂକ୍ରମଣ । ବିଶେଷକରି ସ୍ୱାଇନ୍ ଫ୍ଲୁ ବା H1 N1 ମାମଲା ବୃଦ୍ଧି ପାଇବା ପରେ ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଛି। ଦିଲ୍ଲୀରେ ସଂକ୍ରମଣ ବଢ଼ିବା ପରେ ସରକାର ପକ୍ଷରୁ ଲୋକଙ୍କ ପାଇଁ ସତର୍କତା ଜାରି କରାଯାଇଛି । ତେବେ ଏହାକୁ ନେଇ ଭୟଭୀତ ନହେବାକୁ ଅପିଲ୍ କରାଯାଇଛି । ଦିଲ୍ଲୀରେ ଏପର୍ଯ୍ୟନ୍ତ ୨୩୦୮ଟି H1 N1 ମାମଲା ଚିହ୍ନଟ ହୋଇଛି। ଏହାସହ ଅନ୍ୟ ଫ୍ଲୁ ଭାରିଆଣ୍ଟର ପ୍ରାୟ ୬୦୦ରୁ ୬୫୦ ମାମଲା ରହିଛି । ଦିଲ୍ଲୀ ସରକାର କହିଛି, ସଂକ୍ରମଣ ବଢ଼ିଥିଲେ ମଧ୍ୟ ସ୍ଥିତି ନିୟନ୍ତ୍ରଣରେ ରହିଛି । ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହଙ୍କ ଅନୁସାରେ, ହସ୍ପିଟାଲ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ବେଡ୍‌, ଡାକ୍ତର ଏବଂ ଔଷଧ ଉପଲବ୍ଧ ରହିଛି । ଏପର୍ଯ୍ୟନ୍ତ କୌଣସି ମୃତ୍ୟୁ ହୋଇନଥିବା ବେଳେ ଗୁରୁତର ଅବସ୍ଥାରେ କୌଣସି ରୋଗୀ ଆଇସିୟୁ କିମ୍ବା ଭେଣ୍ଟିଲେଟରରେ ନଥିବା ସେ କହିଛନ୍ତି ।

    ଏକାସାଙ୍ଗରେ ୩ ଭାଇରସ୍‌ ଉପରେ ନଜର
    ଆଇସିଏମ୍‌ଆର୍‌ ମହାନିର୍ଦ୍ଦେଶକ ରାଜୀବ ବାହଲଙ୍କ କହିବା ଅନୁସାରେ, ବର୍ତ୍ତମାନ ଦେଶରେ ଇନ୍‌ଫ୍ଲୁଏଞ୍ଜା-ଏ, ଇନ୍‌ଫ୍ଲୁଏଞ୍ଜା-ବି ଏବଂ କୋଭିଡ୍‌ ଭଳି ଶ୍ୱାସଜନିତ ସଂକ୍ରମଣ ଚିହ୍ନଟ ହେଉଛି । ତେବେ ବର୍ତ୍ତମାନ ଏଚ୍‌୧ଏନ୍‌୧ର ପ୍ରଭାବ ଅଧିକ ଦେଖାଯାଉଛି । କୋଭିଡ୍‌ର କିଛି ମାମଲା ମଧ୍ୟ ରିପୋର୍ଟ ହେଉଛି । ତେଣୁ ଦେଶରେ କେଉଁ ଭାଇରସ୍‌ କେତେ ପରିମାଣରେ ବ୍ୟାପୁଛି, ତାହା ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ସପ୍ତାହକୁ ସପ୍ତାହ ତଥ୍ୟ ଉପରେ ନଜର ରଖୁଛି ।
    କୋଭିଡ୍‌ ପରେ ଦେଶର ରୋଗ ନିରୀକ୍ଷଣ ବ୍ୟବସ୍ଥାକୁ ଆହୁରି ମଜବୁତ କରାଯାଇଛି । ବର୍ତ୍ତମାନ ଦେଶର ୭୩ଟି ଲାବୋରେଟୋରୀ ମାଧ୍ୟମରେ ଶ୍ୱାସଜନିତ ରୋଗର ନମୁନା ପରୀକ୍ଷା କରାଯାଉଛି । ଗୁରୁତର ଶ୍ୱାସଜନିତ ସଂକ୍ରମଣ ଥିବା ରୋଗୀଙ୍କ ନମୁନା ସହ ଅନ୍ୟ ମାମଲାର ନମୁନା ମଧ୍ୟ ପରୀକ୍ଷା କରାଯାଉଛି । ଏହାଦ୍ୱାରା ଦେଶର କେଉଁ ଅଞ୍ଚଳରେ କେଉଁ ଭାଇରସ୍‌ ସକ୍ରିୟ ଅଛି, ତାହାର ତଥ୍ୟ ମିଳୁଛି ।

    ଏହା କୌଣସି ନୂଆ ଭାଇରସ୍‌ ନୁହେଁ
    ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ଏଚ୍‌୧ଏନ୍‌୧ କୌଣସି ନୂଆ ଭାଇରସ୍‌ ନୁହେଁ । ଏହା ଏକ ଋତୁକାଳୀନ ଇନ୍‌ଫ୍ଲୁଏଞ୍ଜା । ଫ୍ଲୁ ଭାଇରସ୍‌ରେ ସମୟ ସହିତ ପରିବର୍ତ୍ତନ ହେଉଥିବାରୁ ପୂର୍ବରୁ ଫ୍ଲୁ ହୋଇଥିବା ବ୍ୟକ୍ତିଙ୍କୁ ମଧ୍ୟ ପୁଣି ଥରେ ସଂକ୍ରମଣ ହୋଇପାରେ । ସାଧାରଣତଃ ଏହି ସଂକ୍ରମଣର ଲକ୍ଷଣ ହାଲୁକା ରହିଥାଏ ଏବଂ ଅଧିକାଂଶ ଲୋକ ଘରେ ବିଶ୍ରାମ ନେଇ ସୁସ୍ଥ ହୋଇପାରନ୍ତି। ତେବେ ଛୋଟ ପିଲା, ୬୫ ବର୍ଷରୁ ଅଧିକ ବୟସ୍କ, ଗର୍ଭବତୀ ମହିଳା ଏବଂ ରୋଗ ପ୍ରତିରୋଧକ କ୍ଷମତା କମ୍‌ ଥିବା ବ୍ୟକ୍ତି ଅଧିକ ଝୁମ୍ପରେ ରହିପାରନ୍ତି ।

    କେମିତି ବ୍ୟାପେ H1 N1?
    H1 N1 ମୁଖ୍ୟତଃ ଶ୍ୱାସଜନିତ ଡ୍ରପ୍‌ଲେଟ୍‌ ମାଧ୍ୟମରେ ବ୍ୟାପିପାରେ । ଆକ୍ରାନ୍ତ ବ୍ୟକ୍ତି ଛିଙ୍କିବା, କାଶିବା କିମ୍ବା କଥା କହିବା ସମୟରେ ନିର୍ଗତ ହେଉଥିବା ଡ୍ରପ୍‌ଲେଟ୍‌ ଦ୍ୱାରା ଅନ୍ୟମାନେ ସଂକ୍ରମିତ ହୋଇପାରନ୍ତି । ସେଥିପାଇଁ ଭିଡ଼ ଅଞ୍ଚଳରେ ସତର୍କ ରହିବା, ହାତକୁ ବାରମ୍ବାର ସଫା କରିବା ଏବଂ ଅସୁସ୍ଥ ଥିଲେ ଅନ୍ୟମାନଙ୍କଠାରୁ ଦୂରତା ରଖିବା ଜରୁରୀ ।

    ଫ୍ଲୁ ହେଲେ କ’ଣ କରିବେ?
    ଫ୍ଲୁର ଲକ୍ଷଣ ଦେଖାଦେଲେ ପ୍ରଥମେ ପର୍ଯ୍ୟାପ୍ତ ବିଶ୍ରାମ ନିଅନ୍ତୁ । ଶରୀରରେ ପାଣିର ଅଭାବ ନହେବା ପାଇଁ ପର୍ଯ୍ୟାପ୍ତ ତରଳ ଖାଦ୍ୟ ଖାଆନ୍ତୁ । ପୁଷ୍ଟିକର ଖାଦ୍ୟ ଖାଇବା ସହ ଭିଡ଼ ଅଞ୍ଚଳକୁ ଯିବା ଏଡ଼ାନ୍ତୁ । ଡାକ୍ତରଙ୍କ ପରାମର୍ଶ ବିନା ଆଣ୍ଟିବାୟୋଟିକ୍‌ ଖାଇବା ଉଚିତ୍ ନୁହେଁ । କାରଣ H1 N1 ଏକ ଭାଇରାଲ୍‌ ସଂକ୍ରମଣ । ଆବଶ୍ୟକତା ଅନୁସାରେ ଡାକ୍ତର ଆଣ୍ଟିଭାଇରାଲ୍‌ ଔଷଧ ଦେଇପାରନ୍ତି । ସାଧାରଣ ଜ୍ୱର, କାଶ, ଥଣ୍ଡା ଓ ଶରୀର ବିନ୍ଧା ଭଳି ଲକ୍ଷଣ ଫ୍ଲୁରେ ଦେଖାଯାଇପାରେ। କିନ୍ତୁ ନିଶ୍ୱାସ ନେବାରେ କଷ୍ଟ, ଛାତିରେ ଯନ୍ତ୍ରଣା କିମ୍ବା ଅବସ୍ଥା ଗୁରୁତର ହେବା ଭଳି ଲକ୍ଷଣ ଦେଖାଦେଲେ ବିଳମ୍ବ ନକରି ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ।

    ଫ୍ଲୁ ଟିକା ମଧ୍ୟ ଉପଲବ୍ଧ
    ଭାରତରେ ଫ୍ଲୁ ବିରୋଧୀ ଟିକା ଉପଲବ୍ଧ ରହିଛି । ବିଶେଷକରି ଅଧିକ ଝୁମ୍ପରେ ଥିବା ବ୍ୟକ୍ତିମାନେ ଟିକା ନେବା ବିଷୟରେ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ତେବେ ଫ୍ଲୁ ଟିକା ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ନୁହେଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.2 ° C
    22.2 °
    22.2 °
    88 %
    1.5kmh
    1 %
    Wed
    22 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ