ବର୍ଷା ଋତୁରେ ଅଧିକ ଅସୁସ୍ଥତା ଦେଖିବାକୁ ମିଳିଥାଏ । ଏହି ଦିନରେ ଥଣ୍ଡା ବାତାବରଣ ପାଇଁ ଅନେକ ଅସୁସ୍ଥତା ସମ୍ମୁଖୀନ କରିଥାଆନ୍ତି । ଏହି କାରଣରୁ ଇନଫେକ୍ସନ୍, ଥଣ୍ଡା, ଜ୍ବର ଏବଂ ନିଶ୍ବାସ ନେବାରେ ସମସ୍ୟା ଦେଖାଦେଇଥାଏ । ଆୟୁର୍ବେଦ ଅନୁସାରେ ଏହି ଋତୁରେ ଶରୀରର ବାତ ପିତ ଅସନ୍ତୁଳନର କାରଣ ହୋଇଥାଏ । ତେଣୁ ଏହି ସମୟରେ ରୋଗ ପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ । ସେଥିପାଇଁ ଖାଦ୍ୟପେୟ ଉପରେ ଗୁରୁତ୍ବ ଦେବା ଜରୁରୀ ।
ଥଣ୍ଡା ଯୋଗୁଁ ଶରୀରରେ ବାତ ସମସ୍ୟା ବୃଦ୍ଧି ପାଇଥାଏ । ଯାହା ଦ୍ବାରା ଥଣ୍ଡା, ସନ୍ଧି ଯନ୍ତ୍ରଣା, ଶରୀର ପୀଡ଼ା ଏବଂ ଥକ୍କା ଅନୁଭବ ହୋଇଥାଏ । ଖରାଦିନ ପରେ ବର୍ଷା ଋତୁ ଆସୁଥିବାରୁ ଶରୀରରେ ପିତ୍ତ ବୃଦ୍ଧି କରେ । ଯାହା ଦ୍ଵାରା ପେଟ ପୋଡ଼ା ଏବଂ ଏସିଡିଟି ଭଳି ସମସ୍ୟା ଦେଖିବାକୁ ମିଳିଥାଏ । ଯାହା ସିଧାସଳଖ ଆପଣଙ୍କ ପାଚନକୁ ପ୍ରଭାବିତ କରିଥାଏ । ଏଥିସହ ଥଣ୍ଡା ପରେ କାଶ, କଫ ଭଳି ସମସ୍ୟା ଦେଖାଦେବାରୁ କଫ ଅସନ୍ତୁଳିତ ହୋଇଥାଏ । ଯଦି ଆପଣଙ୍କର ବର୍ଷା ଋତୁରେ କୌଣସି ସମସ୍ୟା ଦେଖାଦେଉଛି ତେବେ ସେଥିପ୍ରତି ସଚେତନ ରୁହନ୍ତୁ । ଏହି ସମୟରେ ଖାଇବା ପିଇବା ଉପରେ ବିଶେଷ ଧ୍ୟାନ ଦେବା ଜରୁରୀ । ତେବେ ଆସନ୍ତୁ ଏହି ଋତୁରେ କେଉଁ ସବୁ ଜିନିଷ ଖାଇବା ଉଚିତ୍ ସେ ସମ୍ପର୍କରେ ଜାଣିବା । ଯାହା ଆମକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
ହଳଦୀ କ୍ଷୀର : ହଳଦୀର ଉଷ୍ମତା ପ୍ରଭାବ ରହିଛି । ତେଣୁ ବର୍ଷା ଋତୁରେ ଗରମ କ୍ଷୀରରେ ଅଳ୍ପ ପରିମାଣର ହଳଦୀ ମିଶାଇ ପିଇବାର ଅଭ୍ୟାସ କରନ୍ତୁ । ଯାହା ଦ୍ବାରା ଥଣ୍ଡା ଭଳି ରୋଗ ସହିତ ଲଢେଇ କରିବାରେ ସାହାଯ୍ୟ କରିବ । ହଳଦୀରେ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଥିବାରୁ ଏହା ପ୍ରାକୃତିକ ଔଷଧ ଭାବରେ କାର୍ଯ୍ୟ କରେ ।
ଅଁଳା : ବିଶେଷ କରି ବର୍ଷା ଋତୁ ପାଇଁ ଅଁଳା ଖୁବ୍ ଲାଭଦାୟକ ହୋଇଥାଏ । ଏହା ପାଚନ ଶକ୍ତିକୁ ଉନ୍ନତ କରିବା ସହ ସଂକ୍ରମଣ ସହ ଲଢେଇ କରିଥାଏ । ତେଣୁ ନିୟମିତ ଅଁଳା ଖାଆନ୍ତୁ । ଯାହା ସଂକ୍ରମଣର ଆଶଙ୍କାକୁ କମ୍ କରିଥାଏ ।
ଥଣ୍ଡା ପାଣି ପିଅନ୍ତୁ ନାହିଁ : ପ୍ରାୟତଃ ଲୋକମାନେ ଥଣ୍ଡା ପାଣି ପିଇବାକୁ ପସନ୍ଦ କରନ୍ତି । କିନ୍ତୁ ଏହି ଋତୁରେ ଥଣ୍ଡା ପାଣି ପରିବର୍ତ୍ତେ ଉଷୁମ ପାଣି ପିଅନ୍ତୁ । ଯାହା ସୁସ୍ଥ ଶରୀର ଗଠନ କରିବ ।
ଅତ୍ୟଧିକ ବ୍ୟାୟାମ କରନ୍ତୁ ନାହିଁ : ଏଭଳି ସ୍ଥିତିରେ ଅଧିକ ମାତ୍ରାରେ ବ୍ୟାୟାମ କରିବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ତେଣୁ କିଛି ଯୋଗ ଅଭ୍ୟାସ କରିପାରିବେ । ଯାହା ଆପଣଙ୍କୁ ସୁସ୍ଥତା ପ୍ରଦାନ କରିବ ।
