ମୟୁରଭଞ୍ଜ: ଅଣ୍ଟାରେ ଆଉ ବଳ ନାହିଁ । ଆଖିକୁ ଭଲ ଭାବେ ଦିଶୁନି କି ଚାଲିବାକୁ ଗୋଡ଼ରେ ବଳ ନାହିଁ । ଏ ବୟସରେ ବିତାଉଛନ୍ତି ଅତ୍ୟନ୍ତ ଦୟନୀୟ ଜୀବନ । ବାଡ଼ି ଖଣ୍ଡେ ହିଁ ତାଙ୍କର ସାହା ଭରସା । ରହିବାକୁ ଘର ନାହିଁ । ଜଙ୍ଗଲ ରାସ୍ତା କଡ଼ରେ ପାଲ ଟାଣି ଏକା ରହୁଛନ୍ତି ବୁଢ଼ୀ ମାଉସୀ ଜଣକ । କେତେବେଳେ ସାପ ବେଙ୍ଗ ଭୟ ତ କେତେବେଳେ ଜଙ୍ଗଲୀ ଯନ୍ତୁଙ୍କ ଭୟ । କିନ୍ତୁ କରିବେ ବା କଣ ନିଜର ବୋଲି କେହି ନାହିଁ, ତେଣୁ ଭାଗ୍ୟକୁ ଆଦରି ରାସ୍ତା କଡ଼ରେ ରହୁଛନ୍ତି । ଦୁଃଖର କଥା ବାର୍ଦ୍ଧକ୍ୟ ଭତ୍ତା ପାଇଁ ଜଙ୍ଗଲିଆ ରାସ୍ତାରେ ଚାଲି ଚାଲି ଯିବାକୁ ପଡୁଛି ଦେଢ଼ କିଲୋମିଟର । ଏତେ ବାଟ ଯିବା ପରେ ମିଳୁଛି ମାତ୍ର ହଜାରେ ଟଙ୍କା, ଯାହା ସମୁଦ୍ରକୁ ଶଙ୍ଖେ ।
ବାର୍ଦ୍ଧକ୍ୟ ଭତ୍ତା ପାଇଁ ହିନସ୍ତା ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକର ଲକ୍ଷ୍ମୀପୋଷିର ରଇବାରୀ ବନ୍ଧାଣୀ । ରଇବାରୀଙ୍କ ବୟସ ୭୦ ପାର୍ ହେଲାଣି । ସ୍ବାମୀ ଚୁନୁ ବିନ୍ଧାଣୀଙ୍କ ମୃତ୍ୟୁ ପରେ ସେ ଏକଟୁଆ ହୋଇପଡ଼ିଛନ୍ତି । ସାହାଭରସା କେହି ନାହିଁ । ବାର୍ଦ୍ଧକ୍ୟ ଭତ୍ତା ପାଇଁ ଘରଠାରୁ ଦେଢ଼ କିଲୋମିଟର ଦୂରରେ କୋଚିଳାଘାଟି ପଞ୍ଚାୟତ ଅଫିସକୁ ତାଙ୍କୁ ଯିବାକୁ ପଡୁଛି । ଭତ୍ତା ବାବଦରେ ମିଳୁଛି ମାତ୍ର ହଜାରେ ଟଙ୍କା । ଏଥିସହ ମାସକୁ ମିଳୁଛି ୫ କେଜି ଚାଉଳ । ଆଜିର ମହଙ୍ଗା ଯୁଗରେ ଏତିକିରେ ଚଳିବା ମୁସ୍କିଲ । ଏଥିପାଇଁ ବୟସର ଅପରାହ୍ଣରେ ଜଙ୍ଗଲରୁ ରଇବାରୀଙ୍କୁ ଜାଳେଣି କାଠ ସଂଗ୍ରହ କରି ବିକିବାକୁ ପଡୁଛି । ରଇବାରୀଙ୍କ ମୁଣ୍ଡ ଉପରେ ଛପର ନାହିଁ । ନିଜର ଜମି ନାହିଁ କି ଘର ନାହିଁ । ରାସ୍ତା କଡ଼ରେ ପଲିଥିନ ଟାଣି ମୁଣ୍ଡ ଗୁଞ୍ଜିଛନ୍ତି । ନିଜର ଦୁର୍ଦ୍ଦିନ, ଅଭାବ ଓ ଅସୁବିଧା ସଂପର୍କରେ ବହୁ ବାର ସରପଞ୍ଚ ଓ ପ୍ରଶାସନକୁ ଜଣାଇଛନ୍ତି ରଇବାରୀ ବିନ୍ଧାଣୀ । ହେଲେ ତାଙ୍କ କଥା କେହି ଶୁଣୁନାହାନ୍ତି ।
ଏପଟେ ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି, ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି । ରଇବାରୀଙ୍କୁ ୪ ଡିସିମିଲ ଜମି ସହ ଘର ଯୋଗାଇ ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି ।
ପରିଣତ ବୟସରେ ରଇବାରୀ ବିନ୍ଧାଣୀଙ୍କ ସାହା ଭରସା କେହି ନାହିଁ । ନିଜେ ଖଟିଲେ ପେଟକୁ ଦି ମୁଠା ଦାନା ଯାଉଛି । ଏମିତି ପରିସ୍ଥିତିରେ ତାଙ୍କୁ ଯଦି ସରକାରୀ ସହାୟତା ମିଳନ୍ତା, ତେବେ ତାଙ୍କ ଦୁଃଖ ଅଳ୍ପ ବହୁତ ଦୂର ହେବ ନିଶ୍ଚୟ ।

