Monday, September 28, 2026
24.7 C
Odisha

    ବିଜେପି ସଭାପତି ବାଟ ଫିଟୁନି: ଗୋଷ୍ଠୀ ବିବାଦ ଯୋଗୁ ନିଷ୍ପତ୍ତି ହୋଇପାରୁନି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଜେ.ପି ନଡ୍ଡାଙ୍କ ପରେ ବିଜେପିର ରାଷ୍ଟ୍ରୀୟ ସଭାପତି କିଏ ହେବେ ତାହାକୁ ନେଇ କେନ୍ଦ୍ରୀୟ ବିଜେପିର ଅଙ୍କ ଛିଣ୍ଡୁନି। ଉତ୍ତର-ପୂର୍ବ ଭାରତ ଏବଂ ଦକ୍ଷିଣ ଭାରତରେ ବି‌େଜପିର ଦବ୍‌ଦବା କମ୍‌ ଥିବାରୁ ଦଳ ଏହି ଅଞ୍ଚଳରୁ ଜଣେ ବଡ଼ ନେତାଙ୍କୁ ରାଷ୍ଟ୍ରୀୟ ସଭାପତି କରିବା ନେଇ ଆଲୋଚନା ଚାଲିଛି। ଏହାବାଦ୍ ପ୍ରାୟ ତିନି ଜଣ କେନ୍ଦ୍ର ମନ୍ତ୍ରୀ ଏବେ ରାଷ୍ଟ୍ରୀୟ ସଭାପତି ଦୌଡ଼ରେ ଅଛନ୍ତି। ବିଜେପିର ରାଷ୍ଟ୍ରୀୟ ସଭାପତି ପାଇଁ ଦଳ ଭିତରେ ବିଚାର ବିମର୍ଶ ଚାଲୁଥିବାରୁ ଜାନୁଆରି ସୁଦ୍ଧା ଯେଉଁ ସାଙ୍ଗଠନିକ ନିର୍ବାଚନ ‌‌େଶଷ ହେବାର ଥିଲା ତାହା ଘୁଞ୍ଚି ଘୁଞ୍ଚି ଚାଲିଛି। ଏହା ଏବେ ଓଡ଼ିଶା ବିଜେପିକୁ ସୁହାଇଛି। ଓଡ଼ିଶା ବିଜେପିର ସାଙ୍ଗଠନିକ ନିର୍ବାଚନ ଜାନୁଆରି ୧୫ ସୁଦ୍ଧା ଶେଷ ହେବାର ଥିଲା। ମାତ୍ର ଦଳ ଭିତରେ ଚାଲିଥିବା ଗୋଷ୍ଠୀ କନ୍ଦଳ ଏହି ପ୍ରକ୍ରିୟାକୁ ବିଳମ୍ବିତ କରୁଥିବା ଚର୍ଚ୍ଚା ଜୋର ଧରିଲାଣି। ରାଜ୍ୟ ବିଜେପିର ଜଣେ ନେତାଙ୍କ କହିବାନୁଯାୟୀ, ଆମର ୩୭ଟି ସାଙ୍ଗଠନିକ ଜିଲ୍ଲାରୁ ୧୯ଟିରେ ସଭାପତି ନିର୍ବାଚନ ଶେଷ ହେବା ପରେ ରାଜ୍ୟ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଯୋଗ୍ୟ ହୋଇଥିଲୁ। ଜାନୁଆରି ୨୫ରେ ୨୩ଜଣ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା ହେବା ପରେ ଓଡ଼ିଶାରେ ରାଜ୍ୟ ସଭାପତି ଓ ଜାତୀୟ ପରିଷଦ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡ଼ିଶା ଦାୟିତ୍ବରେ ଥିବା ରିଟର୍ଣ୍ଣିଂ ଅଫିସର ସଞ୍ଜୟ ଜୟସ୍ବାଲଙ୍କୁ ଜଣାଇଥିଲୁ। ହେଲେ ଏହା ମଧ୍ୟରେ ୧ମାସ ବିତିବାକୁ ବସିଛି। ଶ୍ରୀ ଜୟସ୍ବାଲ କିନ୍ତୁ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଆସୁନାହାନ୍ତି। ନିୟମ ଅନୁଯାୟୀ, ରାଜ୍ୟ କାର୍ଯ୍ୟାଳୟରେ ହିଁ ରାଜ୍ୟ ସଭାପତି ନିର୍ବାଚନ ହେବ। ଆଶାୟୀ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିବେ। ଏହାପରେ ଜିଲ୍ଲା ସଭାପତି ଓ ରାଜ୍ୟ ପରିଷଦକୁ ନିର୍ବାଚିତ ହୋଇଥିବା (୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଜଣେ ଲେଖାଏଁ ସଦସ୍ୟ) ମତଦାନ କରି ରାଜ୍ୟ ସଭାପତି ବାଛିବେ। ଯଦି ଏକାଧିକ ପ୍ରାର୍ଥୀ ଥିବେ ତେବେ ମତଦାନ ହେବ; ନଚେତ୍ ଯେଉଁ ଜଣେ ପ୍ରାର୍ଥୀ ନାମାଙ୍କନ ଭରିବେ ତାଙ୍କୁ ନିର୍ବାଚିତ କରାଯିବ। କିନ୍ତୁ ରିଟର୍ଣ୍ଣିଂ ଅଫିସର କାହିଁକି ଓଡ଼ିଶା ଗସ୍ତରେ ଆସୁନାହାନ୍ତି ତାହା ଜଣାପଡ଼ୁନି।

    ଗୋଷ୍ଠୀ ବିବାଦ ଯୋଗୁ ନିଷ୍ପତ୍ତି ହୋଇପାରୁନି
    ପ୍ରକ୍ରିୟା ଆରମ୍ଭ କରିନାହାନ୍ତି ନିର୍ବାଚନ ଅଧିକାରୀ

    ଅପରପକ୍ଷେ ଦଳର ୩୭ଟି ସାଙ୍ଗଠନିକ ଜିଲ୍ଲା ସଭାପତି ମଧ୍ୟରୁ ଏବେ ୩୬ଟି ଘୋଷଣା ହୋଇଛି। ସମ୍ବଲପୁର ଜିଲ୍ଲା ସଭାପତି ଘୋଷଣା ଅଟକି ରହିଛି। ଦଳ ତରଫରୁ ନିଷ୍ପତ୍ତି ହୋଇଥିଲା ଯେ ସମସ୍ତ ଜିଲ୍ଲା ସଭାପତିଙ୍କ ନାମ ଜିଲ୍ଲା କାର୍ଯ୍ୟାଳୟରେ ଘୋଷଣା କରାଯିବ। ହେଲେ ଜାନୁଆରି ୨୫ରେ ୨୩ଜଣଙ୍କ ନାମ ଘୋଷଣା ହେବା ପରେ ବିବାଦ ବଢ଼ି ଚାଲିଥିଲା। ସ୍ଥିତି ଏପରି ହେଲା ଯେ ନିୟମକୁ ଢୋକିବାକୁ ପଡ଼ିଲା। ଆଉ ପୂର୍ବ ଧାରା ଅନୁଯାୟୀ, ୧୩ଜଣ ଜିଲ୍ଲା ସଭାପତିଙ୍କ ନାମ ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଘୋଷଣା କରାଗଲା। ସେହିପରି ଦଳର ୧୦୫୨ଟି ମଣ୍ଡଳ ରହିଛି। ଏବେ ସୁଦ୍ଧା ପ୍ରାୟ ୭୫୦ଟି ମଣ୍ଡଳର ସଭାପତି ଘୋଷଣା ହୋଇଛି। ଏହ ପଛର କାରଣ ଯାହା କୁହାଯାଉଛି; ଦଳ ତରଫରୁ ଧାର୍ଯ୍ୟ ହୋଇଥିବା ମାନଦଣ୍ଡକୁ ବିଧାୟକ, ମନ୍ତ୍ରୀ ଓ ସାଂସଦଙ୍କ ଲବି ଖାପ ଖାଉନି। ନିୟମ କରାଯାଇଛି ଯେ ମଣ୍ଡଳ ସଭାପତି ହେବା ପାଇଁ ନେତାଙ୍କ ବୟସ ୪୫ରୁ ୫୫ବର୍ଷ ମଧ୍ୟରେ ହୋଇଥିବ, ସେ ଦୁଇ ଥର ଲଗାତାର ମଣ୍ଡଳ ସଭାପତି ହୋଇନଥିବ ଏବଂ ସେ ଜିଲ୍ଲାସ୍ତରୀୟ କମିଟିରେ କୌଣସି ପଦପଦବିରେ ଥିବେ।

    ଏହାକୁ ଦେଖିଲେ ପୁରୁଣା ବିଜେପି ନେତାଙ୍କୁ ମଣ୍ଡଳ ସଭାପତି କରିବାକୁ ପଡ଼ିବ। କେତେକ ଶୀର୍ଷ ନେତା କିଛି ଦଳଡିଆଁଙ୍କୁ ମଣ୍ଡଳ ସଭାପତି କରିବାକୁ ଚାହୁଥିବାରୁ ପ୍ରାୟ ୩୦୦ଟି ମଣ୍ଡଳର ସଭାପତି ଘୋଷଣା ହୋଇପାରୁନି। ଦଳର ଅନ୍ୟ ଏକ ବର୍ଗର ମତ ହେଉଛି, ବର୍ତ୍ତମାନର ସଭାପତି ମନ‌ମୋହନ ସାମଲଙ୍କୁ ପୁଣି ସଭାପତି କରିବାକୁ କିଛି ବରିଷ୍ଠ ନେତା, ମନ୍ତ୍ରୀ, ସାଂସଦ ଚାହୁଛନ୍ତି। ହେଲେ ଆଉ କିଛି ଏହି ପ୍ରସ୍ତାବ ବିରୋଧରେ ଅଛନ୍ତି। କେନ୍ଦ୍ରୀୟ ବିଜେପି ଏବେ ରାଷ୍ଟ୍ରୀୟ ସଭାପତି କାହାକୁ କରିବେ ସେନେଇ ନିଷ୍ପତ୍ତି ନେଇପାରୁ ନଥିବାରୁ ଓଡ଼ିଶା ବିଜେପି ନେତାଙ୍କୁ କିଛି ଦିନ ଅପେକ୍ଷା କରିବାକୁ କହିଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ