Monday, September 28, 2026
24.7 C
Odisha

    ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି ପ୍ରସ୍ତାବ: ଶୁଣାଣି ବେଳେ ଦାବି ରଖିଲା ଟିପିଏନ୍‌ଓଡିଏଲ୍‌

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଖୁଚୁରା ବିଦ୍ୟୁତ୍‌ ମୂଲ୍ୟ ୟୁନିଟ୍‌ ପିଛା ୨୦ ପଇସା ବଢ଼ାଇବାକୁ ପ୍ରସ୍ତାବ ଦେଇଛି ଟାଟା ଉତ୍ତର ଓଡିଶା ବିଦ୍ୟୁତ୍‌ ବିତରଣ କମ୍ପାନି(ଟିପିଏନ୍‌ଓଡିଏଲ୍‌)। ଆଜି ଓଇଆର୍‌ସିରେ ଏହି ପ୍ରସ୍ତାବର ଶୁଣାଣି ହୋଇଥିଲା। ୨୨ ଜଣ ଅଭିଯୋଗକାରୀ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ଟିପିଏନ୍‌ଓଡିଏଲ୍‌ ପ୍ରସ୍ତାବ ମୁତାବକ, ଚଳିତବର୍ଷ ତୁଳନାରେ ଆସନ୍ତାବର୍ଷ ପାଇଁ ଗ୍ରିଡ୍‌କୋଠାରୁ ୫୫୬ ନିୟୁତ ୟୁନିଟ୍‌ ବିଦ୍ୟୁତ୍‌ ଅଧିକ କିଣାଯିବ। ଅର୍ଥାତ୍‌ ୮୭୧୯ ନିୟୁତ ୟୁନିଟ୍‌ ପାଇଁ ୩୨୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ସେଥିରୁ ୧୨.୯୬% ହିସାବରେ ୧୧୩୦ ନିୟୁତ ୟୁନିଟ୍‌ ବିତରଣ କ୍ଷତି ହେବ। ଅବଶିଷ୍ଟ ୭୫୮୯ ନିୟୁତ ୟୁନିଟ୍‌ ଉପଭୋକ୍ତାଙ୍କୁ ବିକ୍ରି ହେବ। ରାଜସ୍ୱ ଆବଶ୍ୟକତା ୪୬୫୦ କୋଟି ଟଙ୍କା ଥିବାବେଳେ ଆଦାୟ ହେବ ୪୪୯୯.୩୩ କୋଟି। ୧୫୧ କୋଟି ଟଙ୍କା ରାଜସ୍ୱ ନିଅଣ୍ଟ ହେବ। ଏହାକୁ ଭରଣା କରିବା ପାଇଁ ୟୁନିଟ୍‌ ପିଛା ୨୦ ପଇସା ବୃଦ୍ଧି କରାଯିବ।
    ଅଭିଯୋଗକାରୀ ତଥା ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ, ଇଂ ଅକ୍ଷୟ ସାହାଣି, ଶ୍ୟାମପଦ ନନ୍ଦି ଓ ବିଭୁ ସ୍ୱାଇଁ ଏହାର ଘୋର ବିରୋଧ କରିଥିଲେ। ଆଭାସୀରେ ଉପସ୍ଥିତ ବରିଷ୍ଠ ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର କହିଥିଲେ, ୨୦୨୩-୨୪ରେ ଆୟୋଗଙ୍କ ଅନୁମୋଦିତ ହାରାହାରି ଟାରିଫ୍‌ଠାରୁ ଅଧିକ ଆଦାୟ କରି ସଂସ୍ଥା ସମୁଦାୟ ୪୦୪ କୋଟି ଟଙ୍କା ଅଧିକ ପାଇଛି। ବର୍ତ୍ତମାନର ଟାରିଫ୍‌ ଅନୁସାରେ ଟାଟା ପୂର୍ବବର୍ଷ ୟୁନିଟ୍‌ ପିଛା ୬୩୩.୩୮ ପଇସା ଅଦାୟ କରିଥିଲା। ୨୦୨୫-୨୬ ପାଇଁ ୪୦. ୪୯ ପଇସା କମ୍‌ କରି ୫୯୨.୮୯ ପଇସାରେ ରାଜସ୍ୱ ଆକଳନ କରିଛି। ଏଣୁ ଆସନ୍ତାବର୍ଷ ପାଇଁ ପ୍ରସ୍ତାବିତ ରାଜସ୍ୱ ମଧ୍ୟ ୬୩୩.୩୮ ପଇସା ହାରରେ ପୁନଃ-ଆକଳନ କରାଯିବା ଆବଶ୍ୟକତା ରହିଛି। ଏହା ହେଲେ ରାଜସ୍ୱ ପରିମାଣ ୩୦୭.୨୭ କୋଟି ବଢ଼ି ୪୮୦୬.୬୦ କୋଟିରେ ପହଞ୍ଚିବ। ଫଳରେ ପ୍ରସ୍ତାବରେ ଯେଉଁ ୧୫୧.୧୧ କୋଟି ଟଙ୍କା ରାଜସ୍ୱ ନିଅଣ୍ଟ ବୋଲି ଦର୍ଶାଯାଇଛି, ଏହା ବଳକା ରାଜସ୍ୱ ୧୫୬.୧୬ କୋଟି ଟଙ୍କା ହୋଇଟିବ। ୟୁନିଟ ପିଛା ୨୦ ପଇସା ବୃଦ୍ଧି ଆବଶ୍ୟକ ପଡିବ ନାହିଁ ବୋଲି ସେ ପ୍ରସ୍ତାବ ଦେଇଥିଲେ।

    ସେହିଭଳି ଠିକା କର୍ମଚାରୀ ଖର୍ଚ୍ଚ ଦୁଇଥର ୮୪.୨୩ କୋଟି ଟଙ୍କା ଦର୍ଶାଯାଇଛି। ବିଦ୍ୟୁତ ବିକ୍ରି ଓ ରାଜସ୍ୱ ଆଦାୟ ଯଥାକ୍ରମେ ୮% ଓ ୧୧% ବୃଦ୍ଧି ହୋଇଥିବା ବେଳେ ନେଟ୍‌ ରାଜସ୍ୱ ଆବଶ୍ୟକତା ୧୬% ବୃଦ୍ଧି କିଭଳି ଦର୍ଶାଯାଇଛି? ପୂର୍ବରୁ ମରାମତି ଓ ରକ୍ଷଣାବେକ୍ଷଣ ବାବଦକୁ ବାର୍ଷିକ ହାରାହାରି ଖର୍ଚ୍ଚ ୧୬.୯୫ କୋଟି ଟଙ୍କା ଥିଲା। କିନ୍ତୁ ଟାଟା ଦାୟିତ୍ବ ନେବା ପରେ ଏହା ୧୭ ଗୁଣ ବଢ଼ିଯାଇଛି। ପ୍ରାଶାସନିକ ଓ ସାଧାରଣ ଖର୍ଚ୍ଚ ୪ ଗୁଣ ବଢ଼ିଛି। ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଜାତୀୟ ହାରାହାରିଠାରୁ ଢେର ଅଧିକ। ମାସକୁ ୧୦ ଘଣ୍ଟା ଓ ୧୫ ଥର ବିଦ୍ୟୁତ୍‌ ବ୍ୟାଘାତ ହୋଇପାରିବ ବୋଲି ନିୟମ ଥିବା ବେଳେ ଗତବର୍ଷ ଉତ୍ତର ଓଡିଶାରେ ମାସକୁ ୨୯ ଘଣ୍ଟା ଓ ୪୮ ଥର ବିଦ୍ୟୁତ୍‌ ବ୍ୟାଘାତ ହେବା ପ୍ରମାଣ ରହିଛି। ୧୦୪% ବିଲ ଆଦାୟ ହେଉଥିଲେ ମଧ୍ୟ ଅନାଦେୟ ବିଲ୍‌ କହି ପୂର୍ବ ବର୍ଷ ୩୬. ୭୬ କୋଟି ଓ ଆସନ୍ତାବର୍ଷ ୪୪. ୪୯ କୋଟି ଟଙ୍କା ପ୍ରସ୍ତାବ ଦେବା ନିନ୍ଦନୀୟ ବୋଲି ସେ କହିଥିଲେ। ଏହାଛଡ଼ା ଶହଶହ କୋଟି ଟଙ୍କା ଜରିମାନା ବାବଦକୁ ଉପଭୋକ୍ତାଙ୍କ ଠାରୁ ଆଦାୟ ହେଉଛି, ହେଲେ ଏହାକୁ ଅଡିଟେଡ୍‌ ଆର୍ଥିକ ବିବରଣୀ ଓ ରାଜସ୍ୱ ଆଦାୟ ଆକଳନରୁ ବାଦ୍‌ ଦିଆଯାଇଛି। ଏଣୁ କମିସନ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଆପତ୍ତିକର୍ତ୍ତାମାନେ ଦାବି କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.7 ° C
    24.7 °
    24.7 °
    86 %
    1.6kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ