ଅଭିଲେଖଦ୍ବୟର ଚିତ୍ର ତାମିଲ ଲିପିତତ୍ତ୍ୱବିତ୍ ଧନଶେଖର ପ୍ରଭାକରଣଙ୍କ ନିକଟକୁ ପଠାଇ ଥିଲୁ। ତାଙ୍କ ସୂଚନା ମୁତାବକ, ଏହା ଗଜପତି କପିଳେନ୍ଦ୍ରଦେବଙ୍କ ପୌତ୍ର ତଥା ହମ୍ବିର ଦେବଙ୍କ ପୁତ୍ର ଦକ୍ଷିଣ କପିଳେଶ୍ୱର ମହାପାତ୍ରଙ୍କ ଦ୍ୱାରା ପ୍ରଦତ୍ତ ଶିଳାଲେଖ। ଉଭୟ ଶିଳାଲେଖ ସମାନ ଉଦ୍ଦେଶ୍ୟରେ ଖୋତିତ ହୋଇଛି। ଖ୍ରୀଷ୍ଟାବ୍ଦ ୧୪୬୪ରେ ଦକ୍ଷିଣ କପିଳେଶ୍ୱର ମହାପାତ୍ର ଉଭୟ ମନ୍ଦିରର ମରାମତି କରାଇବା ସହ ଏଠାରେ ‘ହମ୍ବିରଭୋଗ’ ନାମକ ଏକ ଭୋଗର ବ୍ୟବସ୍ଥା କରାଇଥିଲେ। ସମ୍ଭବତଃ ଏହି ଭୋଗ ତାଙ୍କ ପିତା ହମ୍ବିରଦେବଙ୍କ କଲ୍ୟାଣାର୍ଥେ ଉଦ୍ଦିଷ୍ଟ ଥିଲା। ଶିଳାଲେଖରେ ଏ କଥା ମଧ୍ୟ ଉଲ୍ଲେଖ ଅଛି, ଦକ୍ଷିଣ କପିଳେଶ୍ୱର ସେତେବେଳେ କୋଣ୍ଡାପଲ୍ଲୀ, ଆଡ଼ାଙ୍କି, ବିନୁକୋଣ୍ଡା, ପାଡ଼ାଇଭିଡୁ, ତ୍ରିଚନାପଲ୍ଲୀ, ଚନ୍ଦ୍ରଗିରି ଓ ତିରୁବାରୁର ଆଦି ଅଞ୍ଚଳକୁ ଶାସନ କରୁଥିଲେ। ଶିଳାଲେଖ ଦ୍ବୟ ଓଡ଼ିଶା ଇତିହାସ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀ ନାୟକ କହିଛନ୍ତି।
ଏହା ପରୋକ୍ଷରେ ପଞ୍ଚଦଶ ଶତାବ୍ଦୀରେ ଓଡ଼ିଆ ସୂର୍ଯ୍ୟବଂଶୀ ଗଜପତି ସାମ୍ରାଜ୍ୟର ବୀରତ୍ୱ ଓ ଶୌର୍ଯ୍ୟର ପ୍ରତୀକ। ୧୪୬୪ ଖ୍ରୀଷ୍ଟାବ୍ଦ ବେଳକୁ ଦକ୍ଷିଣ କପିଳେଶ୍ୱର ମହାପାତ୍ର ଶାସନ କରୁଥିବା ସ୍ଥାନଗୁଡ଼ିକ ସେ ସମୟରେ ଓଡ଼ିଶା ସାମ୍ରାଜ୍ୟର ସୀମା କାବେରୀ ନଦୀର ଦକ୍ଷିଣ ଦିଗକୁ ମଧ୍ୟ ବିସ୍ତୃତ ହୋଇସାରିଥିଲା। ଏହି ସ୍ଥାନର ବିଷ୍ଣୁ ଦେବତାଙ୍କୁ ପୁରୁଷୋତ୍ତମ ନାମରେ ସମ୍ବୋଧନ କରିବା ସୂର୍ଯ୍ୟବଂଶୀ ରାଜୁତି ସମୟରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିଭାବର ନିଦର୍ଶନ। ଜଗନ୍ନାଥ ଙ୍କୁ ମଧ୍ୟ ପୁରୁଷୋତ୍ତମ ବୋଲି ସମ୍ବୋଧନ କରାଯାଇଥାଏ। ଏହି ଗୁରୁତ୍ୱପୂର୍ଣ୍ଣ ଶିଳାଲେଖ ଦ୍ବୟର ଇଷ୍ଟାମ୍ପେଜ ସଂଗ୍ରହ କରି ଏହାର ନକଲ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ସ୍ଥାନିତ କରିବାକୁ ଶ୍ରୀ ନାୟକ ମତ ରଖିଛନ୍ତି।
