କୋଲକାତା : ଆଜି ଅପରାହ୍ନରେ ତୁର୍କୀସ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଛି । ପରେ ବିମାନଟିକୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତାରଣା କରାଯାଇଛି । ନେପାଳ ରାଜଧାନୀରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀସ୍ ଏୟାରଲାଇନ୍ସର ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛିକ୍ଷଣ ପରେ ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । THY-727 ନମ୍ବର ବିଶିଷ୍ଟ ତୁର୍କୀସ୍ ଏୟାରଲାଇନ୍ସ ଏହି ବିମାନଟି ଉଡ଼ାଣ ଆରମ୍ଭ ହେବାର ଚାରି ମିନିଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା । ବିମାନଟି ଅପରାହ୍ନ ୧:୨୮ରେ (ଭାରତୀୟ ସମୟ) ଉଡ଼ାଣ ଆରମ୍ଭ କରିଥିଲା ।
ଅଧିକାରୀଙ୍କ ଅନୁଯାୟୀ, ପାଇଲଟ୍ କାଠମାଣ୍ଡୁର ପଶ୍ଚିମ ଦିଗରେ ବିମାନକୁ ବୁଲାଇଥିଲେ ଏବଂ ଡାହାଣ ଇଞ୍ଜିନକୁ ବନ୍ଦ କରି ଦେଇଥିଲେ, ପ୍ରାୟ ୧୦ ମିନିଟ୍ ପାଇଁ ବିମାନକୁ ନିୟନ୍ତ୍ରଣରେ ରଖିଥିଲେ ।
ବିମାନଟି ୨୨୫ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା । ବିମାନରେ ୧୧ଜଣ କ୍ରୁ ସଦସ୍ୟ ଥିଲେ । ଇଞ୍ଜିନରେ ଅଗ୍ନିକାଣ୍ଡର ରିପୋର୍ଟ ପରେ, ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରକୁ ପ୍ରାୟ ୧୫ ମିନିଟ୍ ପାଇଁ ବନ୍ଦ କରିଦିଆଯାଇଥିଲା । କୋଲକତା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ (NSCBI) ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି ଯେ, ଇଂଜିନରେ ନିଆଁ ଲାଗିବ ପରେ ବିମାନକୁ କୋଲକାତା ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । କ୍ୟାପ୍ଟେନ କୋଲକାତା ATCକୁ ଡାହାଣ ଇଞ୍ଜିନରେ ସମ୍ଭାବ୍ୟ ଅଗ୍ନିକାଣ୍ଡ ବିଷୟରେ ସୂଚନା ଦେଇଥିଲେ । କୋଲକାତା ବିମାନବନ୍ଦରରେ ଅପରାହ୍ନ ୦୨:୪୯ ରେ ଏହା ଅବତରଣ କରିଥିଲା । ବିମାନଟି ବର୍ତ୍ତମାନ କୋଲକାତା ବିମାନବନ୍ଦରରେ ଅଛି । ଅଧିକାରୀମାନେ ଯାଞ୍ଚ ଚଳାଇଥିବା ସୂଚନା ମିଳିଛି ।

