Friday, September 20, 2024
24.1 C
Odisha

    ବୁଦ୍ଧିଆ ତେନାଲୀରାମ

    ଆଗକୁ ପଢନ୍ତୁ

     

    ବିଜୟନଗର ରାଜ୍ୟର ରାଜା ମହାମାନ୍ୟ କୃଷ୍ଣଦେବରାୟ । ଏକଦା ତାଙ୍କ ରାଜ୍ୟରେ ମୂଷା ମାନଙ୍କର ପ୍ରାଦୁର୍ଭାବ ବଢି ବଢି ଚାଲିଲା । ଏମିତିକି ଏଇ ମୂଷା ମାନଙ୍କ ଦ୍ଵାରା ଫସଲ କ୍ଷତି ଯୋଗୁଁ ରାଜ୍ୟରେ ଖାଦ୍ୟାଭାବ ଦେଖାଯିବାର ଭୟଙ୍କର ଆଶଙ୍କା ଉପୁଜିଲା । ରାଜା ଅତ୍ୟନ୍ତ ଦୁଃଖିତ, ମର୍ମାହତ ଓ ବ୍ୟତିବ୍ୟସ୍ତ ହୋଇପଡ଼ିଲେ । ଏହାର ପ୍ରତିକାର କରିବା ପାଇଁ ଏ ସମ୍ବନ୍ଧରେ ପାରିଷଦବର୍ଗ ଓ ବିଭିନ୍ନ କର୍ମକର୍ତ୍ତା ମାନଙ୍କ ସହିତ ବିଚାର ଆଲୋଚନା କଲେ । ଏ ବିଷୟରେ ନାନାଦି ମନ୍ତ୍ରୀମାନେ ଭିନ୍ନ ଭିନ୍ନ ମତ ପୋଷଣ କଲେ । କେଉଁ ମନ୍ତ୍ରୀଙ୍କର ପରାମର୍ଶ ଉଚିତ ଓ ଯୁକ୍ତିଯୁକ୍ତ ସେପାଇଁ ମଧ୍ୟ ରାଜା ଓ ମନ୍ତ୍ରୀମାନଙ୍କ ମଧ୍ୟରେ ବିଚାର ଚାଲିଲା । ବୁଦ୍ଧିମାନ ମନ୍ତ୍ରୀ ପରିଷଦ ମାନଙ୍କ ମତ ନେଇ ସିଦ୍ଧାନ୍ତ ନିଆଗଲା ଯେ ପ୍ରତି ପରିବାରକୁ ଗୋଟିଏ ଗୋଟିଏ ବିଲେଇ ଛୁଆ ଯୋଗାଇ ଦିଆଯିବ । ସେଇ ବିଲେଇ ମାନଙ୍କର ଲାଳନ ପାଳନ ପାଇଁ ଗୋଟିଏ ଗୋଟିଏ ଦୁଧିଆଳୀ ଗାଈ ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଗଲା । କଥାହେଲା ପ୍ରତ୍ୟକ ଘରେ ବିଲେଇ ରହିଲେ ମୂଷାଙ୍କର ବଂଶ ବୃଦ୍ଧି ନହୋଇ ବରଂ ଲୋପ ପାଇଯିବ ।

    ଏକଥା ଦରବାରର ମୁଖ୍ୟ ପରାମର୍ଶଦାତା,ପଣ୍ଡିତ ଓ କବି ତେନାଲିରାମଙ୍କ କାନକୁ ଗଲା । ସେ ଏଥିରେ ଏକମତ ନହେଲେ ବି ଏ ସିଦ୍ଧାନ୍ତକୁ କାଟି ପାରିଲେ ନାହିଁ । ସେ ମଧ୍ୟ ଖୋଲାଖୋଲି ଏକଥାର ପ୍ରତିବାଦ କରିପାରିଲେ ନାହିଁ । ତାର କାରଣ ହେଲା ଅନ୍ୟ ଯେଉଁ ମନ୍ତ୍ରୀମାନେ ସେଇ ମତକୁ ରାଜାଙ୍କ ପାଖରେ ପେଶ କରିଛନ୍ତି,ଏହା ପାଳନ ନହେଲେ ତାଙ୍କ ଟାଣପଣ ବା ପତିଆର କମିଯିବ ।

    ନିଷ୍ପତ୍ତି ପାଳନ ହେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଗଲା । ସମସ୍ତ ପ୍ରଜାଙ୍କୁ ଗୋଟିଏ ଗୋଟିଏ ବିଲେଇ ଛୁଆ ଓ ଗୋଟିଏ ଗୋଟିଏ ବାଛୁରୀ ସହ ଗାଈ ଯୋଗେଇ ଦିଆଗଲା । ରାଜକୋଷରୁ ଏ ବାବଦରେ ଅନେକ ଅର୍ଥ ବ୍ୟୟ ହେଲା । ପ୍ରାୟ ସାତ ଆଠ ମାସ ପରେ ରାଜା ସମସ୍ତ ବିଲେଇ ମାନଙ୍କର ପ୍ରଦର୍ଶନୀ ଉତ୍ସବ ପାଳନ ପାଇଁ ଆଦେଶ ଦେଲେ । ସୁସ୍ଥ,ସୁନ୍ଦର,ହୃଷ୍ଟପୃଷ୍ଟ ବିଲେଇ ମାଲିକ ମାନଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯିବାର ବ୍ୟବସ୍ଥା ହେଲା। ସମସ୍ତ ବିଲେଇଙ୍କର ମିଆଉଁ ମିଆଉଁ ଶବ୍ଦରେ ପ୍ରଦର୍ଶନୀ ସ୍ଥଳ ଉଚ୍ଛୁଳି ଉଠୁଥାଏ । ବହୁତ ସୁନ୍ଦର ସୁନ୍ଦର ବିଲେଇ ମାନଙ୍କୁ ଦେଖି ରାଜାଙ୍କର ମନ ଆନନ୍ଦିତ ହେଉଥାଏ । କିନ୍ତୁ ତେନାଲିରାମଙ୍କ ବିଲେଇଟି ଖୁବ କ୍ଷୀଣକାୟ ବା ଦୁର୍ବଳ ହୋଇଥାଏ । ରାଜା ଏହାର କାରଣ ପଚାରିବାରୁ ତେନାଲିରାମ କହିଲେ,“ଆଜ୍ଞା ମୋ ବିଲେଇଟି କ୍ଷୀର ପିଏ ନାହିଁ । ବିନା କ୍ଷୀରରେ ସେ ବଳୁଆ,ସୁନ୍ଦର ଓ ହୃଷ୍ଟପୃଷ୍ଟ ହେବ କେମିତି କହିଲେ ।“

    ରାଜା ଏକଥାର ସତ୍ୟାସତ୍ୟ ପରୀକ୍ଷା କରିବାକୁ ଆଦେଶ ଦେଲେ । ସତରେ ତ ! ତେନାଲୀଙ୍କ ବିଲେଇଟି କ୍ଷୀରକୁ ଦେଖି ଦଉଡି ପଳାଇ ଯାଉଛି । ରାଜା ଚକିତ ହେଲେ । ତେନାଲିରାମଙ୍କୁ ଏହାର ପ୍ରକୃତ କାରଣ ପଚାରିଲେ । ତେନାଲିରାମ କହିଲେ,“ଆଜ୍ଞା,ବିଲେଇ ଯଦି କ୍ଷୀର ପିଇବ ତେବେ ଏତେ ବୁଦ୍ଧିମାନ ମଣିଷ କ’ଣ ପିଇବ? ମଣିଷ ର ବୁଦ୍ଧି ବଢିବା ପାଇଁ କ୍ଷୀର ପିଇବା ଆବଶ୍ୟକ ବୋଲି ଡାକ୍ତରମାନେ ମତ ଦିଅନ୍ତି । ମୁଁ ଜାଣିଶୁଣି ବିଲେଇ କୁ ଅନ୍ୟାନ୍ୟ ଖାଦ୍ୟ ଦେଇ କ୍ଷୀର ଦିଏନାହିଁ । ବିଲେଇ କିପରି କ୍ଷୀର ପିଇବ ନାହିଁ ସେଥିପାଇଁ ଗୋଟିଏ ସୁଚିନ୍ତିତ ଉପାୟ ସ୍ଥିର କଲି । ମୁଁ ବିଲେଇକୁ ବାରମ୍ବାର ଡହଡହ ତାତିଥିବା କ୍ଷୀର ପିଇବାକୁ ଦିଏ । କେତେଥର ଏପରି ତାର ପାଟି,ଥୋଡି ଓ ଜିଭ ପୋଡିଯିବାରୁ ସେ ଭୟରେ ଆଉ କ୍ଷୀର ପିଉନାହିଁ । ଆପଣ ରାଜକୋଷର ଅର୍ଥ ବ୍ୟୟ କରି ଏ ଯେଉଁ ବ୍ୟବସ୍ଥା କରିଛନ୍ତି, ଏହା ଠିକ ନୁହେଁ । ଆପଣ ଦୟାକରି ଏ ବ୍ୟବସ୍ଥା ବନ୍ଦ କରନ୍ତୁ । ରାଜା ତେନାଲିରାମଙ୍କ ପ୍ରକୃତ ଉଦ୍ଦେଶ୍ୟ ଓ ମହାନତା ବିଷୟ ଜାଣିପାରିଲେ ଓ ତତସହିତ ବିଲେଇ କ୍ଷୀର ପିଉନଥିବାର କାରଣ ଜାଣି ଚକିତ ହେଲେ । ତେନାଲିରାମଙ୍କ ବୁଦ୍ଧିକୁ ତାରିଫ କରି ରାଜା ତାଙ୍କୁ ଅନେକ ପୁରସ୍କାର ଦେଇ ଖୁସିରେ ବିଦାୟ ଦେଲେ ।

    କାହାଣୀ- ନିରଞ୍ଜନ ପତି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.1 ° C
    24.1 °
    24.1 °
    91 %
    1kmh
    100 %
    Thu
    24 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ