ବଲାଙ୍ଗିର : ବ୍ୟାଙ୍ଗକକ୍ରେ ଚାଲିଥିବା ବିଶ୍ବ ପାରା ତୀରନ୍ଦାଜୀ ସିରିଜ୍ରେ କ୍ରମାଗତ ୨ୟ ଦିନରେ ଦେଶ ପାଇଁ ୨ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଓଡ଼ିଆ ଝିଅ ପାୟଲ ନାଗ। ଶନିବାର ଫାଇନାଲରେ ୧୮ ବର୍ଷ ବୟସ୍କା ପାୟଲ ମହିଳା କମ୍ପାଉଣ୍ଡ ବ୍ୟକ୍ତିଗତ ବର୍ଗରେ ବିଶ୍ବର ୧ନଂ ତୀରନ୍ଦାଜ ଭାରତର ଶୀତଳ ଦେବୀଙ୍କୁ ପରାସ୍ତକରି ସ୍ବର୍ଣ୍ଣପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ଫାଇନାଲରେ ପାୟଲ ବିଶ୍ବ ଚମ୍ପିଆନ୍ ଶୀତଳଙ୍କୁ ୧୩୯-୧୩୬ ପଏଣ୍ଟରେ ପରାସ୍ତକରି ବିପର୍ଯ୍ୟୟ ଘଟାଇଛନ୍ତି।
ଫାଇନାଲର ପ୍ରଥମ ରାଉଣ୍ଡରେ ପାୟଲ ୨୭-୨୫ରେ ଆଗୁଆ ଥିଲେ। ୨ୟ ରାଉଣ୍ଡରେ ଶୀତଳ ପଏଣ୍ଟକୁ ୫୪-୫୪ କରିଥିଲେ। ୩ୟ ରାଉଣ୍ଡରେ ପାୟଲ ୮୨-୮୦ରେ ଆଗୁଆ ହେବା ପରେ ୪ର୍ଥ ରାଉଣ୍ଡରେ ଭଲ ପ୍ରଦର୍ଶନ କରି ସ୍ବର୍ଣ୍ଣପଦକ ନିଶ୍ଚିତ କରିଥିଲେ।
ସୂଚନାଯୋଗ୍ୟ; ଏହା ପାୟଲ ନାଗଙ୍କ ଦ୍ବିତୀୟ ଆନ୍ତର୍ଜାତିକ ପ୍ରତିଯୋଗିତା ଥିଲା। ଗତବର୍ଷ ଏସୀୟ ଯୁବ ପାରା କ୍ରୀଡ଼ାରେ ପାୟଲ ଭାଗନେଇ ବିଶ୍ବ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ।୨ଟିଯାକ ହାତ ଓ ଗୋଡ଼ ନ ଥିବା ବିଶ୍ବର ପ୍ରଥମ ତୀରନ୍ଦାଜ ଭାବେ ପାୟଲ ଏକ ଆନ୍ତର୍ଜାତିକ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବେ ତାଙ୍କ ଦ୍ବିତୀୟ ଆନ୍ତର୍ଜାତିକ ପ୍ରତିଯୋଗିତାରେ ୨ଟି ସ୍ବର୍ଣ୍ଣପଦକ ଜିତି ପାୟଲ ତାଙ୍କ ଦକ୍ଷତା ଦେଖାଇଛନ୍ତି। ଶୁକ୍ରବାର ମହିଳା ଯୁଗଳ କମ୍ପାଉଣ୍ଡ ରାଉଣ୍ଡରେ ପାୟଲ ଓ ଶୀତଳ ଦେବୀଙ୍କ ଯୋଡ଼ି ସ୍ବର୍ଣ୍ଣ ପଦକ ଜିତିଥିଲେ। ବଲାଙ୍ଗିର ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କ କନ୍ୟା ପାୟଲଙ୍କୁ ୭ ବର୍ଷ ବୟସ ହୋଇଥିବା ବେଳେ ଏକ ଇଟା ଭାଟିରେ ବିଦ୍ୟୁତ ତାର ସ୍ପର୍ଶରେ ଦୁଇଟିଯାକ ହାତ ଓ ଦୁଇଟିଯାକ ଗୋଡ଼ ହରାଇଥିଲେ। ଏହାସତ୍ତ୍ବେ ପ୍ରଶିକ୍ଷକ କୁଲଦୀବ ବିଦ୍ବାନଙ୍କ ପ୍ରୟାସ ଯୋଗୁଁ ପାୟଲ ଆନ୍ତର୍ଜାତିକ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି।
