ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କର ଜୟଲାଭ ହେଲା । ସତ୍ୟର ଜୟ,ପାପର କ୍ଷୟ ହୁଏ ବୋଲି ସମସ୍ତେ ଅନୁଭବ କଲେ । ତାପରେ ମହାରାଜା ଯୁଧିଷ୍ଠିର ଏକ ଅଶ୍ଵମେଧ ଯଜ୍ଞର ଆୟୋଜନ କଲେ । ଗୋଟିଏ ସୁନ୍ଦର ଅଶ୍ୱକୁ ସଜ୍ଜିତ କରି ତା ବେକରେ ଏକ ଲେଖା ଝୁଲେଇ ଦିଆଗଲା । ଉକ୍ତ ଲେଖା ଅନୁସାରେ ଯଦି କୌଣସି ରାଜ୍ୟର ରାଜା ସେ ଘୋଡ଼ାକୁ ଅଟକାଇ ରଖନ୍ତି, ତେବେ ଗୋଡ ଅଟକାଇଥିବା ରାଜା ଓ ତାଙ୍କ ସୈନ୍ୟମାନଙ୍କ ସହିତ ଯୁଧିଷ୍ଠିରଙ୍କର ଯୁଦ୍ଧ ହେବ । ନଚେତ ସେ ରାଜ୍ୟର ରାଜା ଯୁଧିଷ୍ଠିରଙ୍କର ଅଧୀନତା ସ୍ଵୀକାର କଲେ ବୋଲି ଜଣାଯିବ ।
ସେତେବେଳେ ଚମ୍ପକପୁରୀ ନାମକ ଏକ ଛୋଟ ରାଜ୍ୟରେ ରାଜା ହଂସଧ୍ଵଜ ଶାସକ ଥାନ୍ତି । ସେ ଘୋଡାଟିକୁ ଅଟକାଇବା ଲାଗି ମନସ୍ଥ କଲେ । କରଣ ସେ ପାଣ୍ଡବମାନଙ୍କୁ ଯୁଦ୍ଧରେ ହରେଈ ନପାରିଲେ ମଧ୍ୟ ଯୁଦ୍ଧରେ ପାଣ୍ଡବଙ୍କୁ ସହାୟତା ନିମନ୍ତେ ଅର୍ଜୁନଙ୍କ ସଖା ଭଗବାନ ଶ୍ରୀକୃଷ୍ଣ ଆସିଲେ ତାଙ୍କର ଦର୍ଶନ ମିଳିପାରିବ ବୋଲି ଭାବିଲେ । ଯାହାଫଳରେ ରାଜା ଓ ପ୍ରଜାଗଣ ଭଗବାନ ଶ୍ରୀକୃଷ୍ଣଙ୍କର ଦର୍ଶନ ପାଇ ଧନ୍ୟ ହୋଇଯିବେ । ରାଜାଙ୍କର ଏପରି ଯୋଜନା ଦେଖି ତାଙ୍କ ଗୁରୁ ଶଙ୍ଖ ଓ ଲିଖିତ ମଧ୍ୟ ତାଙ୍କ ସହ ଏକମତ ହୋଇ ଏ ଭାବନାକୁ ପ୍ରଶଂସା କଲେ । ଯଜ୍ଞ ଅଶ୍ୱକୁ ଅଟକାଇ ରଖାଗଲା । ଫଳସ୍ଵରୂପ ଯୁଦ୍ଧ ପାଇଁ ସମସ୍ତେ ପ୍ରସ୍ତୁତ ହୋଇଗଲେ । ରାଜା ହଂସଧ୍ଵଜଙ୍କ ସୈନ୍ୟସାମନ୍ତ ଓ ସମସ୍ତ ପୁତ୍ର ଯୁଦ୍ଧ କରିବା ପାଇଁ ଆଗେଇ ଚାଲିଲେ । ତାଙ୍କର ସାନପୁଅ କିଶୋର ସୁଧନ୍ଵା ମଧ୍ୟ ଯୁଦ୍ଧକୁ ଯିବା ଲାଗି ଅଝଟ କଲା । ସୁଧନ୍ଵାଙ୍କ ଜନନୀ ତାଙ୍କୁ ଯୁଦ୍ଧବେଶରେ ସଜାଇଦେଲେ । ଯୁଦ୍ଧରେ ବଡ଼ ବଡ଼ ବୀରଙ୍କୁ ଦେଖି ଡରିଯିବୁ ନାହିଁ କହି ପୁଅକୁ ବଳ ଦେଲେ । ଯଦି ବୀର ଯୁଦ୍ଧ କରୁ କରୁ ମୃତ୍ୟୁବରଣ କରେ ତେବେ ବି ସେ ବିଜୟୀ ଭାବେ ଗଣ୍ୟ ହୁଏ ବୋଲି କହିଲେ ।
ଦୁଇ ପକ୍ଷ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଲା । ଅର୍ଜୁନ ଓ ସୁଧନ୍ଵା ଦୁହେଁ ଭଗବାନ ଶ୍ରୀକୃଷ୍ଣଙ୍କର ପରମଭକ୍ତ ଥିଲେ । ଏ ଦୁଇଜଣଙ୍କ ମଧ୍ୟରେ ସମ୍ମୁଖ ଯୁଦ୍ଧ ହେଲା । ବାଳକ ସୁଧନ୍ଵାଙ୍କ ତୀରଚାଳନା ଶୈଳୀ ଓ ବୀରତ୍ଵ ଦେଖି ଅର୍ଜୁନ ଆଶ୍ଚର୍ଯ ହୋଇଗଲେ । ଯେଉଁ ଅର୍ଜୁନ ମହାଭାରତ ଯୁଦ୍ଧରେ ଭୀଷ୍ମ,ଦ୍ରୋଣ,କର୍ଣ୍ଣଙ୍କ ପରି ମହାରଥୀଙ୍କୁ ପରାସ୍ତ କରିଥିଲେ ଆଜି ଏହି ବଳକଟିର ରଣକୌଶଳ ଦେଖି ତାର ପ୍ରଶଂସା କଲେ । ଅର୍ଜୁନଙ୍କ ପ୍ରଶଂସାରେ ସୁଧନ୍ଵା ଉତଫୁଲ୍ଲିତ ନହୋଇ ବୀର ଭାଷାରେ ତାଙ୍କୁ ତାତ୍ସଲ୍ୟ କରିବାକୁ ଲାଗିଲା । ତା’ର ଉଦ୍ଦେଶ୍ୟ ଥିଲା ଅରଜୁଆଙ୍କୁ ସହାୟତା କରିବା ନିମନ୍ତେ ଯେପରି ଶ୍ରୀକୃଷ୍ଣ ଅସନ୍ତୁ ଓ ତାଙ୍କ ସହିତ ପ୍ରଜାଗଣ ଭଗବାନଙ୍କର ଦର୍ଶନ କରି କୃତାର୍ଥ ହୁଅନ୍ତୁ ।
ଆଶ୍ଚର୍ଯର କଥା, ଅର୍ଜୁନ ବାରମ୍ବାର ବିଭିନ୍ନ ମନ୍ତ୍ର ଉଚ୍ଚାରଣ କରି ତୀର ଚାଳନା କଲେ ମଧ୍ୟ ସବୁ ବାଣକୁ ସୁଧନ୍ଵା କାଟି ଚାଲିଥାନ୍ତି । ସୁଧନ୍ଵାଙ୍କୁ ପରାସ୍ତ କରିବ ଏତେ ସହଜ ନୁହେଁ ଜାଣି ଅର୍ଜୁନ ଶ୍ରୀକୃଷ୍ଣଙ୍କ ଶରଣାପନ୍ନ ହେଲେ । ତାଙ୍କର ସହାୟତା ମାଗିଲେ । ଶ୍ରୀକୃଷ୍ଣ ସ୍ବୟଂ ଉପସ୍ଥିତ ହୋଇ ସାରଥି ସାଜିଲେ । ତଥାପି ଭକ୍ତଶ୍ରେଷ୍ଠ ସାହସୀ ବୀର ବାଳକ ସୁଧନ୍ଵା ଅର୍ଜୁନଙ୍କ ବିଭିନ୍ନ ବାଣର ମୁକାବିଲା କରି ତାଙ୍କ ମନରେ ଭୟ ସଂଚାର କରିଚାଲିଥାନ୍ତି । ଶେଷରେ ଅର୍ଜୁନଙ୍କ ଶେଷ ତୀରରେ ଶ୍ରୀକୃଷ୍ଣ ନିଜର ସମସ୍ତ ଶକ୍ତି ସଂଚାର କରାଇଲେ । ଏହାଦେଖି ସୁଧନ୍ଵା ଜାଣିଲା ମୋର ପ୍ରଭୁ କରୁଣା କରି ମୋତେ ଦର୍ଶନ ଦେଲେନି । ଶେଷରେ ତାଙ୍କ ଶକ୍ତି ମୋତେ ମୃତ୍ଯୁ ପ୍ରଦାନ କରିବ । ଏଥିରେ ବୀରତ୍ବର ଗାରିମା ଅକ୍ଷୁର୍ଣ୍ଣ ରହିବା ସହିତ ମୁକ୍ତି ସମ୍ଭବ । ଅର୍ଜୁନଙ୍କ ସେହି ଶର ସୁଧନ୍ଵାଙ୍କ ଗଳା କାଟିଦେଲା । “ଗୋବିନ୍ଦ ଗୋପାଳ ହରେ ମୁରାରୀ” କହି ସୁଧନ୍ଵା ମୃତ୍ୟୁଲାଭ କରି ଧନ୍ୟ ହୋଇଗଲେ ।
କାହାଣୀ- ନିରଞ୍ଜନ ପତି